ଭୋପାଳ : ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ସୋମବାର ଏକ ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଅଛି। ଜବଲପୁର ଜିଲ୍ଲାର ଗୋହଲପୁର ଥାନା ଅଧୀନ ଦମୋହ ନାକା ଅଞ୍ଚଳରେ ଆଜି ନ୍ୟୁ ଲାଇଫ୍ ମଲ୍ଟିସ୍ପେସାଲିଟି ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା କୁହାଯାଉଛି। ନିଆଁ ଲାଗିବା ଖବର ପାଇ ଅଗ୍ନି ନିର୍ବାପକ ଦଳ ସଙ୍ଗେସଙ୍ଗେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଜବଲପୁର ପୁଲିସର ସୂଚନା ଅନୁଯାୟୀ ଉକ୍ତ ଅଗ୍ନିକାଣ୍ଡରେ ୫ ଜଣ ରୋଗୀ ଏବଂ ୩ ହସ୍ପିଟାଲ କର୍ମଚାରୀଙ୍କର ମୃତ୍ୟୁ ହୋଇଛି।
ରିପୋର୍ଟ ଅନୁଯାୟୀ ହସ୍ପିଟାଲରୁ ବାହାରିବା ପାଇଁ କେବଳ ଗୋଟିଏ ବାଟ ଥିବାରୁ ଅଧିକାଂଶ ଲୋକ ନିଆଁ ଭିତରେ ଫସି ଯାଇଥିଲେ। ପ୍ରଥମେ ଅଗ୍ନି ନିର୍ବାପକ ଯାନ ମଧ୍ୟ ନିଆଁକୁ ନିୟନ୍ତ୍ରଣ କରିପାରିନଥିଲା। ପରେ ବିଦ୍ୟୁତ୍ ବିଭାଗ ବିଜୁଳି ସଂଯୋଗ ବିଚ୍ଛିନ କରିବା ପରେ ନିଆଁକୁ ପ୍ରାୟ ଘଣ୍ଟାଏ ପରେ ନିୟନ୍ତ୍ରଣକୁ ଅଣାଯାଇଥିଲା।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଟ୍ବିଟ୍ କରି ଚୌହାନ କହିଛନ୍ତି, ଏଭଳି ସଙ୍କଟ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟ ନିଜକୁ ଏକା ମନେ କରିବା ଉଚିତ ନୁହେଁ। ମୁଁ ଏବଂ ସମଗ୍ର ମଧ୍ୟପ୍ରଦେଶ ବାସିନ୍ଦା ସେମାନଙ୍କ ସହ ଅଛୁ। ରାଜ୍ୟ ସରକାର ମୃତକଙ୍କ ପରିବାର ସଦସ୍ୟଙ୍କୁ ୫ ଲକ୍ଷ କ୍ଷତିପୂରଣ ଏବଂ ଆହତଙ୍କ ପରିବାର ସଦସ୍ୟଙ୍କୁ ୫୦ ହଜାର କ୍ଷତିପୂରଣ ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଳ ନାଥ ମଧ୍ୟ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଉକ୍ତ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ଏକ ତଦନ୍ତ କମିଟି ଗଠନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/jabalpur.jpg)