‘ମୁଁ କିଛି ଭୁଲ୍‌ କରି ନାହିଁ। ଏବେ ହସ୍ପିଟାଲ କର୍ତ୍ତୃପକ୍ଷ କାରଣଟା କହିବେ; କାହିଁକି ସେମାନେ ସିସିଟିଭି ବନ୍ଦ ରଖିଥିଲେ’: ଦୀନାକରନ୍‌

ଚେନ୍ନାଇ: ତାମିଲନାଡ଼ୁର ପୂର୍ବ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ହସ୍ପିଟାଲର ସମସ୍ତ ସିସିଟିଭି କ୍ୟାମେରାକୁ ବନ୍ଦ କରିଦିଆ ଯିବା ସହ ଖୋଲି ଦିଆ ଯାଇଥିଲା ବୋଲି ଆପୋଲୋ ଅଧ୍ୟକ୍ଷ ଡାକ୍ତର ପ୍ରଥାପ ସି ରେଡ୍ଡି ଗୁରୁବାର ସାମ୍ବାଦିକମାନଙ୍କୁ ସୂଚନା ଦେବା ପରେ ଏହାକୁ ନେଇ ଏବେ ଏକ ବିବାଦ ଦେଖାଦେଇଛି।


ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏଆଇଏଡିଏମ୍‌କେର ପୂର୍ବତନ ନେତା ତଥା ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଦୀନାକରନ୍‌ ଜୟଲଳିତା ଆପୋଲୋରେ ଚିକିତ୍ସାଧୀନ ଥିବା ଅବସ୍ଥାର ଏକ ଭିଡିଓ ଚିତ୍ର ଛାଡ଼ିଥିଲେ, ଯେତେବେଳେ କି ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ନାନା ରକମର ଗୁଜବ ପ୍ରଚାରିତ ହେଉଥିଲା। ଏବେ, ଜୟଲଳିତା ୨୦୧୬ ସେପ୍ଟେମ୍ବର ୨୨ରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହେବାପର ଠାରୁ ୫ ଡିସେମ୍ବର ୨୦୧୬, ତାଙ୍କ ମୁତ୍ୟୁ ପର୍ଯ୍ୟନ୍ତ ଦୀର୍ଘ ୭୫ ଦିନ ପାଇଁ ଆପୋଲୋ ହସ୍ପିଟାଲରେ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରାକୁ ବନ୍ଦ କରି ଦିଆଯାଇଥିଲା ବୋଲି ଆପୋଲୋ ଅଧ୍ୟକ୍ଷ ଡାକ୍ତର ରେଡ୍ଡ ସୂଚନା ଦେବା ପରେ ଦୀନାକରନ୍‌ ବିବାଦ ଘେର ମଧ୍ୟକୁ ଆସି ଯାଇଛନ୍ତି। କାରଣ ଯଦି ସିସଟିଭି କ୍ୟାମେରା ବନ୍ଦ ଥିଲା ତେବେ ଜୟଲଳିତାଙ୍କ ଆପୋଲୋରେ ଚିକିତ୍ସାଧୀନ ଥିବା ଅବସ୍ଥାର ଭିଡିଓ ଚିତ୍ର ଦୀନାକରନ ପାଇଲେ କୁଆଡ଼ୁ ଓ କେମିତି?

ଏନେଇ ସମ୍ବାଦିକମାନେ ଦୀନାକରନ୍‌ଙ୍କୁ ପ୍ରଶ୍ନ କରିବାରୁ ସେ କହିଛନ୍ତି ଯେ ଏଥିରେ ମୋର କିଛି ବ୍ୟସ୍ତ ବିବ୍ରତ ହେବାର ନାହିଁ। ମୁଁ କୌଣସି ଭୁଲ୍‌ କରିନାହିଁ। ଏବେ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ କହିବେ କେଉଁ କାରଣ ପାଇଁ ସେମାନେ ହସ୍ପିଟାଲର ସିସିଟିଭିକୁ ବନ୍ଦ ରଖିଥିଲେ।

ସମ୍ବନ୍ଧିତ ଖବର