ନୂଆଦିଲ୍ଲୀ: ଦୁଷ୍କର୍ମ, ଏସିଡ୍ ଆକ୍ରମଣ ଓ ଯୌନ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କ ମାଗଣା ଚିକିତ୍ସା ପାଇଁ କୌଣସି ସରକାରୀ ବା ଘରୋଇ ହସ୍ପିଟାଲ୍ ବା ନର୍ସିଂହୋମ୍ ମନା କରିପାରିବେ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍ ପ୍ରତିଭା ଏମ୍ ସିଂହ ଓ ଜଷ୍ଟିସ୍ ଅମିତ ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ବାପା ଦୁଷ୍କର୍ମ କରିଥିବା ମାମଲାରେ ସୋମବାର ଏକାଧିକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଦୁଷ୍କର୍ମ ପୀଡ଼ିତା, ପୋକ୍ସୋ ମାମଲାର ପୀଡ଼ିତା ତଥା ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ସମସ୍ତ ଡାକ୍ତରଖାନା, ନର୍ସିଂହୋମ୍, କ୍ଲିନିକ୍, ମେଡିକାଲ୍ ସେଣ୍ଟରର ଦାୟିତ୍ବ ବୋଲି କୋର୍ଟ କହିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯୌନ ନିର୍ଯାତନା ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ମନା କରିବା ଏକ ଅପରାଧ, ଯେଉଁଥିପାଇଁ ଡାକ୍ତରଖାନାର ଡାକ୍ତର, କର୍ମଚାରୀ ଓ ପରିଚାଳକଙ୍କୁ ଦଣ୍ଡିତ କରାଯାଇପାରେ।
ଖଣ୍ଡପୀଠ କହିଛନ୍ତି, ମାଗଣା ଚିକିତ୍ସା ପୀଡ଼ିତାଙ୍କ ପାଇଁ ଆବଶ୍ୟକ ଯେକୌଣସି ପରୀକ୍ଷା, ନିଦାନ ଓ ଦୀର୍ଘକାଳୀନ ଚିକିତ୍ସା ସେବା ପର୍ଯ୍ୟନ୍ତ ମଧ୍ୟ ବିସ୍ତାରିତ ହୋଇଥାଏ। ଏଭଳି ପୀଡ଼ିତାଙ୍କୁ ଆବଶ୍ୟକତା ଅନୁଯାୟୀ ଶାରୀରିକ ଓ ମାନସିକ ପରାମର୍ଶ ମଧ୍ୟ ପ୍ରଦାନ କରାଯିବ। ଅଦାଲତ ଡାକ୍ତରଖାନାଗୁଡ଼ିକ ପାଇଁ ଏକ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଅଦାଲତ କହିଛନ୍ତି ଯେ ଦିଲ୍ଲୀର ପ୍ରତ୍ୟେକ ଚିକିତ୍ସା କେନ୍ଦ୍ରରେ ଯୌନ ନିର୍ଯାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ, ଏସିଡ୍ ଆକ୍ରମଣର ପୀଡ଼ିତାଙ୍କ ପାଇଁ ମାଗଣାରେ ଚିକିତ୍ସା ଉପଲବ୍ଧ ଅଛି ବୋଲି ଏକ ବୋର୍ଡ ଲଗାଇବାକୁ ପଡ଼ିବ। ରୋଗୀ ଆବଶ୍ୟକତା ଅନୁଯାୟୀ ହସ୍ପିଟାଲରେ ଆଡମିସନ ନେଇ ଚିକିତ୍ସିତ ହେଉ ବା ବାହାରୁ ଆସି ଚିକିତ୍ସିତ ହେଉ ନା କାହିଁକି ଉଭୟ ପରିସ୍ଥିତିରେ ହସ୍ପିଟାଲଗୁଡ଼ିକ ମାଗଣା ଚିକିତ୍ସା ପ୍ରଦାନ କରିବେ।
ଅଦାଲତ କହିଛନ୍ତି ଯେ ଏଭଳି ଅପରାଧରେ ବଞ୍ଚିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଯାଞ୍ଚ କରାଯିବା ଦରକାର ଏବଂ ଆବଶ୍ୟକ ପଡ଼ିଲେ ଏଚ୍ଆଇଭି ଭଳି ଯୌନ ସଂକ୍ରମଣ ଜନିତ ରୋଗର ଚିକିତ୍ସା କରାଯିବା ଉଚିତ। ଏଭଳି ପୀଡ଼ିତାଙ୍କୁ ଶାରୀରିକ ଓ ମାନସିକ ପରାମର୍ଶ ପ୍ରଦାନ କରାଯିବ, ଗର୍ଭାବସ୍ଥା ପାଇଁ ଯାଞ୍ଚ କରାଯିବ ଏବଂ ଆବଶ୍ୟକ ସ୍ଥଳେ ଗର୍ଭନିରୋଧକ ପ୍ରଦାନ କରାଯିବ। ଜରୁରିକାଳୀନ ପରିସ୍ଥିତିରେ ପୀଡ଼ିତାଙ୍କୁ ଭର୍ତ୍ତି କରିବା ପାଇଁ ସମ୍ପୃକ୍ତ ମେଡିକାଲ ପ୍ରତିଷ୍ଠାନ ପରିଚୟପତ୍ର ଉପରେ ଜୋର ଦେବେ ନାହିଁ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ଅଦାଲତ ଓ ଦିଲ୍ଲୀ ରାଜ୍ୟ ଆଇନ ସେବା ପ୍ରାଧିକରଣ (ଡିଏଲ୍ଏସ୍ଏ)ର ବାରମ୍ବାର ହସ୍ତକ୍ଷେପ ସତ୍ତ୍ୱେ ନିଜ ବାପାଙ୍କ ଦ୍ବାରା ଦୁଷ୍କର୍ମର ଶିକାର ଜଣେ ପୀଡ଼ିତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା।