ଅନାଦେୟ ବିଲ୍‌ ପୈଠ ଦାବିରେ ହସ୍ପିଟାଲ ରୋଗୀଙ୍କ ମୃତଦେହ ବନ୍ଧକ ରଖିପାରିବେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲ୍‌ମାନେ ବିଲ୍‌ ପୈଠ ହୋଇ ନ ଥିବାରୁ ରୋଗୀଙ୍କ ମୃତଦେହକୁ ବନ୍ଧକ ରଖିବା ଭଳି ଘଟଣା ପ୍ରାୟତଃ ଶୁଣାଯାଇଥାଏ। ଯଦି କୌଣସି ବ୍ୟକ୍ତି ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ମୁଖ୍ୟରେ ପଡ଼ନ୍ତି ଓ ତାଙ୍କ ଚିକିତ୍ସା ବିଲ୍‌ ବାକିଆ ଥାଏ, ତେବେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ବାକିଆ ରାଶି ପୈଠ ନ ହେବା ପର୍ଯ୍ୟନ୍ତ ମୃତଦେହ ହସ୍ତାନ୍ତର କରନ୍ତି ନାହିଁ। ତେବେ  ଏଭଳି ଆଉ କରିପାରିବେ ନାହିଁ ଘରୋଇ ହସ୍ପିଟାଲ।  ଦିଲ୍ଲୀ ହାଇକୋର୍ଟ ଏ ସମ୍ପର୍କିତ ଏକ ମାମଲାର ବିଚାର କରି ରାୟ ଦେଇଛନ୍ତି କି ଘରୋଇ ହସ୍ପିଟାଲ୍‌ମାନେ ଅନାଦେୟ ବିଲ୍‌ର ଭରଣା ଦାବିରେ ରୋଗୀଙ୍କ ମୃତଦେହକୁ କୌଣସି କ୍ରମେ ବନ୍ଧକ ରଖିପାରିବେ ନାହିଁ। ଜଷ୍ଟିସ୍‌ ବିପିନ୍‌ ସାଂଘି ଏବଂ ଦୀପା ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଘରୋଇ ହସ୍ପିଟାଲଗୁଡ଼ିକ ଦ୍ୱାରା ଅନୁସରଣ କରାଯାଉଥିବା ଏହି କାର୍ଯ୍ୟଧାରାକୁ ନାପସନ୍ଦ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ‘ଯଦି ବା ବିଲ୍‌ ପୈଠ ହୋଇନାହିଁ,ତା’ବୋଲି ମୃତଶରୀରକୁ ବନ୍ଧକ ରଖାଯାଇ ପାରିବ ନାହିଁ। ଏହା ଆଦୌ ପ୍ରଚଳିତ ବ୍ୟବସ୍ଥା ହେବା ଉଚିତ ନୁହେଁ।’

ନୂଆଦିଲ୍ଲୀର ସାର୍‌ ଗଙ୍ଗାରାମ୍‌ ହସ୍ପିଟାଲ କର୍ତ୍ତୁପକ୍ଷଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ବିଲ୍‌ ପରିମାଣ ୧୬.୭୫ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ଏହି ସମୟରେ ତାଙ୍କର ମୃତ୍ୟୁ ହୋଇଗଲା। ଏହାପରେ ବକେୟା ଟଙ୍କା ଦାବି କରି ଉକ୍ତ ରୋଗୀଙ୍କ ମୃତଦେହକୁ ଡାକ୍ତରଖାନା ପକ୍ଷରୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଗଲା ନାହିଁ। ଏହାପରେ ରୋଗୀଙ୍କ ସମ୍ପର୍କୀୟ ଅଦାଲତରେ ମାମଲା ରୁଜୁ କରିଥିଲେ। ମାମଲାର ବିଚାର କରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ।

ସମ୍ବନ୍ଧିତ ଖବର