କୋଇଲା ଅଭାବରୁ ଡାକ୍ତରଖାନା ଓ ମେଟ୍ରୋକୁ ବିଜୁଳି ଯୋଗାଣ ବ୍ୟାହତ ହୋଇପାରେ: ଦିଲ୍ଲୀ ସରକାର

ନୂଆଦିଲ୍ଲୀ: କୋଇଲା ଅଭାବରୁ ଡାକ୍ତରଖାନା ଓ ଭୂତଳ ରେଳ ସମେତ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ବିଜୁଳି ଯୋଗାଣରେ ବ୍ୟାଘାତ ସୃଷ୍ଟି ହୋଇପାରେ ବୋଲି ଗୁରୁବାର ଦିନ ଦିଲ୍ଲୀ ସରକାର ସତର୍କ କରାଇ ଦେଇଛନ୍ତି।

ଏ ସଂକ୍ରାନ୍ତରେ ଦିଲ୍ଲୀ ସରକାର ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ଦାଦ୍ରି-୨ ଏବଂ ଉଞ୍ଚହର ପାୱାର୍‌ ଷ୍ଟେସନ୍‌ରୁ ବିଜୁଳି ଯୋଗାଣ ବ୍ୟାହତ ହେଉଥିବାରୁ ଦିଲ୍ଲୀ ଭୂତଳ ରେଳ ଓ ଦିଲ୍ଲୀ ସରକାରୀ ଡାକ୍ତରଖାନା ସମେତ ଅନେକ ଅତ୍ୟାବଶ୍ୟକ ପ୍ରତିଷ୍ଠାନଗୁଡ଼ିକୁ ୨୪ଘଣ୍ଟିଆ ବିଜୁଳି ଯୋଗାଣରେ ସମସ୍ୟା ହୋଇପାରେ।

ଜାତୀୟ ରାଜଧାନୀକୁ ବିଜୁଳି ଯୋଗାଉଥିବା ‘ପାୱାର୍‌ ପ୍ଲାଣ୍ଟ୍‌’ଗୁଡ଼ିକୁ ଯଥେଷ୍ଟ କୋଇଲା ଯୋଗାଇ ଦେବାକୁ ଅନୁରୋଧ କରି ଦିଲ୍ଲୀ ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି।

Image Courtesy of India Today

ଜୈନ୍‌ କହିଛନ୍ତି ଯେ, ସମ୍ପ୍ରତି ଏହି ସବୁ କୋଇଲା ଚାଳିତ ଷ୍ଟେସନ୍‌ଗୁଡ଼ିକ ଦିଲ୍ଲୀରେ ୨୫%ରୁ ୩୦% ବିଜୁଳି ଚାହିଦା ମେଣ୍ଟାଉଛି। ଜନସାଧାରଣଙ୍କୁ ବିଜୁଳିକାଟର ସମ୍ମୁଖୀନ ନ କରାଇ ଦେବା ଲାଗି ସରକାର ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି।

ସତ୍ୟେନ୍ଦ୍ର ଜୈନ୍‌ କହିଛନ୍ତି, ଦିଲ୍ଲୀ ଅନେକ ପ୍ରାନ୍ତରେ ବିଜୁଳିକାଟ ଏଡ଼ାଇବାରେ ଏହି ପାୱାର୍‌ ଷ୍ଟେସନ୍‌ ସବୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଏହାଛଡ଼ା, ଗ୍ରୀଷ୍ମ କାଳରେ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌, ହସ୍ପିଟାଲ୍‌ ଏବଂ ବାସଗୃହଗୁଡ଼ିକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଇବା ପାଇଁ ଉକ୍ତ ଷ୍ଟେସନ୍‌ ସବୁ ଅପରିହାର୍ଯ୍ୟ।

‘ନ୍ୟାସ୍‌ନାଲ୍‌ ଥର୍ମାଲ୍‌ ପାୱାର୍‌ କର୍ପୋରେସନ୍‌’ର ଦାଦ୍ରି-୨ ଏବଂ ଝାଜ୍ଜର୍‌ (ଅରାବଳୀ) ପାୱାର୍‌ ଷ୍ଟେସନ୍‌ରେ କୋଇଲା ରିଜର୍ଭ ହ୍ରାସ ପାଉଥିବାରୁ ଦିଲ୍ଲୀ ସରକାର ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି। ମୁଖ୍ୟତଃ, ଦିଲ୍ଲୀର ବିଜୁଳି ଚାହିଦା ମେଣ୍ଟାଇବା ପାଇଁ ଏହି ପାୱାର୍‌ ଷ୍ଟେସନ୍‌ ସବୁ ସ୍ଥାପନ କରାଯାଇଥିଲା।

ସମ୍ବନ୍ଧିତ ଖବର