ବଜେଟ୍ରେ ମହିଳା ସଶକ୍ତୀକରଣ ଉପରେ ଜୋର ଦିଆଯାଇଛି। ନିଜ ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ୧୩ ଥର ମହିଳା ଶବ୍ଦ ଉଚ୍ଚାରଣ କରିଛନ୍ତି। ଏଥର ବିଭିନ୍ନ ସ୍କିମ୍ରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଯାହା ଦ୍ବାରା ମହିଳାମାନେ ଉପକୃତ ହେବେ। ବଜେଟ୍ରେ ଓଡ଼ିଶା ପାଇଁ ଦୁଇଟି ବଡ଼ ଘୋଷଣା କରାଯାଇଛି; ଯେଉଁଥିରୁ ଗୁରୁତ୍ବପୂର୍ଣ୍ଣ ହେଉଛି ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ। ତିନିଟି କ୍ୟାନସର୍ ଔଷଧ ଉପରୁ ଶୁଳ୍ପ ଛାଡ଼ କରି ତାହାକୁ ରୋଗୀଙ୍କ ପାଇଁ ସୁଲଭ କରାଯାଇଛି...
ନୂଆଦିଲ୍ଲୀ: ବଜେଟ୍ରେ ମହିଳା ସଶକ୍ତୀକରଣ ଉପରେ ଜୋର ଦିଆଯାଇଛି। ନିଜ ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ୧୩ ଥର ମହିଳା ଶବ୍ଦ ଉଚ୍ଚାରଣ କରିଛନ୍ତି। ଏଥର ବିଭିନ୍ନ ସ୍କିମ୍ରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଯାହା ଦ୍ବାରା ମହିଳାମାନେ ଉପକୃତ ହେବେ। ଶିଳ୍ପ ସଂସ୍ଥାଗୁଡ଼ିକ ସହଯୋଗରେ ମହିଳା କର୍ମଚାରୀମାନଙ୍କ ଲାଗି ହଷ୍ଟେଲ୍ ଓ କ୍ରେଚ୍ ନିର୍ମାଣ କରାଯିବ। ଫଳରେ ଶିଳ୍ପାଞ୍ଚଳରେ ମହିଳାମାନେ ସୁବିଧାରେ ରହି କାର୍ଯ୍ୟ କରିପାରିବେ ଓ ସେମାନଙ୍କ ଛୋଟ ପିଲାମାନଙ୍କୁ ସୁରକ୍ଷିତ ଭାବେ କ୍ରେଚ୍ରେ ଛାଡ଼ି କର୍ମକ୍ଷେତ୍ରକୁ ଯାଇପାରିବେ। ଏହି ସହଯୋଗିତାରେ ସ୍ବତନ୍ତ୍ର ଭାବେ ମହିଳାମାନଙ୍କ ଲାଗି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦିତ ସାମଗ୍ରୀ ପାଇଁ ବଜାର ଯୋଗାଇ ଦିଆଯିବ। ସେହିପରି, ମହିଳାମାନଙ୍କ ପାଇଁ ଷ୍ଟାମ୍ପ୍ ଡ୍ୟୁଟିକୁ ଆହୁରି କମ୍ କରାଯିବ। ତାହା ସହରାଞ୍ଚଳ ବିକାଶ ସଂସ୍କାରର ଏକ ପ୍ରମୁଖ ଅଂଶ ହେବ। କାରିଗର, ବୁଣାକାର, ସ୍ବୟଂ ସହାୟକ ଗୋଷ୍ଠୀ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଉଦ୍ୟୋଗୀ ଏବଂ ରାସ୍ତାକଡ଼ ବେପାରୀମାନଙ୍କ ଲାଗି ସ୍କିମ୍ କାର୍ଯ୍ୟକାରୀ କରାଯାଉଛି ଯାହାର ଲାଭ ମହିଳାମାନଙ୍କୁ ମିଳୁଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
ବଜେଟ୍ରେ ଓଡ଼ିଶା ପାଇଁ ଦୁଇ ବଡ଼ ଘୋଷଣା
ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା କ୍ରମାଗତ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ୍ ୨୦୨୪-୨୫ ଆଗତ କରାଯାଇଛି। ଏଥର ବଜେଟ୍ରେ ବିହାର ଓ ଆନ୍ଧ୍ର ପ୍ରଦେଶ ପାଇଁ ଅନେକ ଘୋଷଣା କରାଯାଇଥିବା ବେଳେ ଓଡ଼ିଶା ପରିପ୍ରେକ୍ଷୀରେ ପର୍ଯ୍ୟଟନ ବିକାଶ ଏବଂ ପୂର୍ବୋଦୟ ଯୋଜନାର ଘୋଷଣା କରାଯାଇଛି। ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଜେଟ୍ରେ ଗୁରୁତ୍ବ ଦିଆଯାଇଛି। ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ସହାୟତା ଦେବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ୍ ଭାଷଣରେ କହିଛନ୍ତି। ସେ କହିଛନ୍ତି ପ୍ରାକୃତିକ ଶୋଭାରେ ସମୃଦ୍ଧ ଓଡ଼ିଶାର ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ବେଳାଭୂମି ଗୁଡ଼ିକ ପର୍ଯ୍ୟଟନର ମୁଖ୍ୟ ଆଧାର ହୋଇଥିବାରୁ ଏହାକୁ ବିଶେଷ ଗୁରୁତ୍ବ ଦିଆଯିବ। ଓଡ଼ିଶାର ପର୍ଯ୍ୟଟନସ୍ତଳୀକୁ ବିଶ୍ବସ୍ତରୀୟ କରାଯିବ। ହେଲେ ସହାୟତା ରାଶିର ପରିମାଣ ସଂପର୍କରେ ବଜେଟ ଭାଷଣରେ କିଛି ଉଲ୍ଲେଖ କରାଯାଇନାହିଁ। ଏଥି ସହିତ ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଅର୍ଥମନ୍ତ୍ରୀ ବଜେଟ୍ ଭାଷଣରେ ସ୍ବତନ୍ତ୍ର ପୂର୍ବୋଦୟ ଯୋଜନା ଘୋଷଣା କରିଛନ୍ତି। ସେ କହିଛନ୍ତି ଦେଶର ପୂର୍ବାଂଚଳ ରାଜ୍ୟଗୁଡ଼ିକର ସମୃଦ୍ଧ ସାଂସ୍କୃତିକ ପରମ୍ପରା ରହିଛି। ପୂର୍ବଦୋୟ ଯୋଜନା ଅନ୍ତର୍ଗତ ପୂର୍ବାଂଚଳ ରାଜ୍ୟ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆନ୍ଧ୍ର ପ୍ରଦେଶର ସାମଗ୍ରିକ ବିକାଶ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏସବୁ ରାଜ୍ୟଗୁଡ଼ିକରେ ମାନବ ସମ୍ବଳର ବିକାଶ ସହିତ ଭିତ୍ତିଭୂମିର ବିକାଶ ଏବଂ ଆର୍ଥିକ ସୁଯୋଗର ଧାରା ସୃଷ୍ଟି କରାଯିବ। ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ ଓଡ଼ିଶା ସଂପର୍କରେ ଉଲ୍ଲେଖ କରିବା ସମୟରେ ଓଡ଼ିଶା ବିଜେପିର ସମସ୍ତ ସାଂସଦ ଟେବୁଲ ବାଡେଇ ଜୟ ଜଗନ୍ନାଥ ନାରା ସହିତ ଖୁସି ପ୍ରକାଶ କରିଥିଲେ। ବଜେଟ୍ରେ ପ୍ରତ୍ୟକ୍ଷଭାବେ ଓଡ଼ିଶା ପରିପେକ୍ଷୀରେ ପର୍ଯ୍ୟଟନ ଓ ପୂର୍ବୋଦୟ ଯୋଜନା ଘୋଷଣା କରାଯାଇଥିବାବେଳେ ଆଦିବାସୀ ଗୋଷ୍ଠୀଙ୍କ ସାମାଜିକ ଓ ଆର୍ଥିକସ୍ଥିତି ସୁଧାରିବା ସହିତ ମାନବ ସଂପଦ ବିକାଶ ଉଦ୍ଦେଶ୍ୟରେ ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନର ଫାଇଦା ଓଡ଼ିଶାର ଆଦିବାସୀଙ୍କୁ ମିଳିବ। ଆଦିବାସୀ ବହୁଳ ଗାଁ ତଥା ଆକାଂକ୍ଷୀ ଜିଲ୍ଲାର ଜନଜାତି ପରିବାର ବର୍ଗଙ୍କୁ ଏହି ଯୋଜନାରେ ସାମିଲର ବ୍ୟବସ୍ଥା ରହିଛି। ବଜେଟରେ ଓଡିଶା ପାଇଁ ରେଳ ବିକାଶକୁ କେତେ ବଜେଟ ଆବଣ୍ଟନ କରାଯାଇଛି ସେ ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ। ଆଜିର ବଜେଟ ଘୋଷଣାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆନ୍ଧ୍ରର ପୋଲାଭରମ ପ୍ରକଳ୍ପର କାର୍ଯ୍ୟକୁ ଶୀଘ୍ର ତ୍ବରାନ୍ବିତ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି କହିଥିଲେ। ସୂଚନାଯୋଗ୍ୟ ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମାଲକାନଗିରି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ ଏହି ପ୍ରକଳ୍ପକୁ ନେଇ ଓଡ଼ିଶାର ଆପତ୍ତି ରହିଛି।
/sambad/media/post_attachments/wp-content/uploads/2024/07/sffhhffhfh.jpg)
ଦହି-ଚିନି ଖୁଆଇଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ନିଜର ସପ୍ତମ ବଜେଟ୍ ଉପସ୍ଥାପନ କରିବା ଲାଗି ସଂସଦ ଭବନ ଯିବା ପୂର୍ବରୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ତାଙ୍କ ଟିମ୍ ସାକ୍ଷାତ କରିଥିଲେ। ଏହି ଅବସରରେ ବଜେଟ୍ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ମଙ୍ଗଳ କାମନା କରି ରାଷ୍ଟ୍ରପତି ମୁର୍ମୁ ଦହି-ଚିନି ଖୁଆଇଥିଲେ। ଭାରତରେ ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମିଠା ଖାଇବାର ପରମ୍ପରା ରହିଛି। ଗତ କିଛି ବଜେଟ୍ ଉପସ୍ଥାପନ ପୂର୍ବରୁ ମୁହଁମିଠା କରିବା ପରମ୍ପରା ଜାରି ରହିଛି। ଏହି ଅବସରରେ ରାଷ୍ଟ୍ରପତିଙ୍କୁ ଅର୍ଥମନ୍ତ୍ରୀ ସୀତାମରଣ ବଜେଟ୍ ଦସ୍ତାବିଜ୍ର ଏକ ନକଲ ପ୍ରଦାନ କରିଥିଲେ। ଏଥି ସହିତ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ନିର୍ମଳାଙ୍କ ବଜେଟ୍କୁ ମଞ୍ଜୁରି ମିଳିଥିଲା। ଏହାପରେ ସେ ଲୋକସଭାକୁ ଯାଇ ବଜେଟ୍ ଭାଷଣ ପଢ଼ିଥିଲେ।
୧୦୦ ସହରରେ ଶିଳ୍ପ ପାର୍କ ହେବ
ନୂଆଦିଲ୍ଲୀ: ବଜେଟ୍ରେ ଶିଳ୍ପାୟନକୁ ତ୍ବରାନ୍ବିତ କରିବା ଲାଗି ଦେଶର ୧୦୦ଟି ସହରରେ ସମ୍ପୂର୍ଣ୍ଣ ଭିତ୍ତିଭୂମି ଥିବା ଶିଳ୍ପ ପାର୍କ ସ୍ଥାପନ ନେଇ ଘୋଷଣା କରାଯାଇଛି। ରାଜ୍ୟ ସରକାର ଏବଂ ଘରୋଇ କ୍ଷେତ୍ରା ସହଭାଗିତାରେ ଏହି ପାର୍କଗୁଡ଼ିକୁ ବିକାଶ କରାଯିବ। ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ ଅଧୀନରେ ଶିଳ୍ପ ପାର୍କକୁ ମଞ୍ଜୁରି ଦିଆଯିବା ନେଇ ବଜେଟ୍ରେ ଉଲ୍ଲେଖ କରାଯାଇଛି। ସେହିପରି, ଦେଶର ୩୦ ଲକ୍ଷରୁ ଅଧିକ ଲୋକ ବାସ କରୁଥିବା ୧୪ଟି ବଡ଼ ସହର ପାଇଁ ପରିବହନଭିତ୍ତିକ ବିକାଶ ଯୋଜନା ପ୍ରସ୍ତୁତ କରାଯିବ।
ସହରରେ େକାଟିଏ ଲୋକଙ୍କ ପାଇଁ ଘର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ ୨.୦) ଅଧୀନରେ ସହରାଞ୍ଚଳର ଏକ କୋଟି ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ପରିବାରଗୁଡ଼ିକର ଘର ଆବଶ୍ୟକତା ପୂରଣ କରାଯିବ। ଏଥିପାଇଁ ୧୦ ଲକ୍ଷ କୋଟି ଟଙ୍କା ନିବେଶ ହେବ। ଆସନ୍ତା ୫ ବର୍ଷ ମଧ୍ୟରେ କେନ୍ଦ୍ରୀୟ ସହାୟତା ବାବଦରେ ଏଥିପାଇଁ ୨.୨୨ ଲକ୍ଷ କୋଟି ଟଙ୍କା ଦିଆଯିବ। ସେହିପରି, ବଛା ବଛା ସହରରେ ୧୦୦ଟି ସାପ୍ତାହିକ ହାଟ ବା ଷ୍ଟ୍ରିଟ୍ ପୁଡ୍ ହବ୍ ସ୍ଥାପନ କରାଯିବ। ଆସନ୍ତା ୫ ବର୍ଷ ଭିତରେ ଏହି ହାଟଗୁଡ଼ିକୁ ସ୍ଥାପନ କରାଯିବ ବୋଲି ଆଜି ବଜେଟ୍ରେ ଘୋଷଣା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/gdjgdgjdjggy.jpg)