ନୂଆଦିଲ୍ଲୀ : ଗ୍ରୀଷ୍ମଲହରି ଯୋଗୁ କେଇଦିନ ଭିତରେ ଭାରତରେ ପ୍ରାୟ ଦେଢ଼ଶହରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଗଲାଣି। ମୌସୁମୀର ଆଗମନ ସତ୍ତ୍ବେ ଆଗାମୀ ଜୁଲାଇ ପ୍ରଥମ ସପ୍ତାହ ଯାଏ ଦେଶର କେତେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏଥିପାଇଁ ସମୁଦ୍ର ପୃଷ୍ଠଦେଶର ତାପମାତ୍ରା ଅଧିକ ରହିବା ବା ଏଲ୍‌ନିନୋ ପ୍ରଭାବକୁ ଦାୟୀ କରିଛନ୍ତି ପାଣିପାଗ ବିଶେଷଜ୍ଞମାନେ।

Advertisment

ଭାରତୀ ଇନ୍‌‌ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ପଲିସି, ଇଣ୍ଡିଆନ ସ୍କୁଲ ଅଫ୍ ବିଜ୍‌ନେସ, ହାଇଦ୍ରାବାଦର ସହଯୋଗୀ ପ୍ରାଧ୍ୟାପକ ତଥା ଗବେଷଣା ନିର୍ଦ୍ଦେଶକ ଅଞ୍ଜଳ ପ୍ରକାଶଙ୍କ କହିବା ଅନୁସାରେ, ଜଳବାୟୁ ପରିବର୍ତ୍ତନ ହେଉଛି ରୋଗ ଏବଂ ଏଲ୍‌ନିନୋ ବା ଅନ୍ୟ କାରକ ହେଉଛି ତା’ର ଲକ୍ଷଣ ମାତ୍ର। ବିଶ୍ବ ତାପମାତ୍ରା ବୃଦ୍ଧି ସହ ଭବିଷ୍ୟତରେ ଗ୍ରୀଷ୍ମଲହରି ଘଟଣା ମଧ୍ୟ ବୃଦ୍ଧି ପାଇବା ଆଶା କରାଯାଏ।

publive-image

ଗ୍ରୀଷ୍ମଲହରି କାହାକୁ କହନ୍ତି
ଗ୍ରୀଷ୍ମଲହରିର ସଂଜ୍ଞା ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ହୋଇଥିବା ବେଳେ ବିଶ୍ୱ ପାଣିପାଗ ବିଭାଗ (ଡବ୍ଲୁଏମ୍‌ଓ)ର ସଂଜ୍ଞା ଅନୁସାରେ, ଯେତେବେଳେ କ୍ରମାଗତ ପାଞ୍ଚଦିନରୁ ଅଧିକ ଦୈନିକ ସର୍ବାଧିକ ତାପମାତ୍ରା ୫୦ ଡିଗ୍ରି ସେଲସିୟସରୁ ଅଧିକ ହୁଏ, ତାକୁ ଗ୍ରୀଷ୍ମଲହରି କୁହାଯାଏ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ, ସମସ୍ତ ସ୍ଥାନ ପାଇଁ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ କିମ୍ବା ଉପକୂଳବର୍ତ୍ତୀ ସ୍ଥାନଗୁଡିକ ପାଇଁ ୪୦ ଡିଗ୍ରୀ ସେଲସିୟସରୁ ଅଧିକ ହେଲେ ତାକୁ ଗ୍ରୀଷ୍ମଲହରି ବୋଲି କୁହାଯିବ। ଭାରତରେ ଗ୍ରୀଷ୍ମଲହରି ମାର୍ଚ୍ଚ ଶେଷ ଭାଗରୁ ଆରମ୍ଭ ହୋଇ ଜୁଲାଇ ପର୍ଯ୍ୟନ୍ତ ଚାଲିଥାଏ। ବିଶେଷଜ୍ଞମାନଙ୍କ ଦାବି ଅନୁସାରେ, ଚଳିତ ବର୍ଷର ଗ୍ରୀଷ୍ମଲହରି ଗତ ବର୍ଷ ଅପେକ୍ଷା ଅଧିକ ଉତ୍କଟ।

ଅଂଶୁଘାତ ମୃତକଙ୍କୁ କ୍ଷତିପୂରଣ
ସମଗ୍ର ଦେଶରେ ଗ୍ରୀଷ୍ମଲହରି ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ଅନେକ ରାଜ୍ୟ ସରକାର ମୃତକଙ୍କ ପାଇଁ କ୍ଷତିପୂରଣ ଦେବା ଆରମ୍ଭ କରିଛନ୍ତି। ନିକଟରେ ରାଜ୍ୟ ସରକାରଙ୍କ ଏକ କାର୍ଯ୍ୟକ୍ରମରେ ଏକ ଡଜନରୁ ଊର୍ଦ୍ଧ୍ୱ ଲୋକ ଅଂଶୁଘାତରେ ମୃତ୍ୟୁ ବରଣ କରିବା ପରେ ମହାରାଷ୍ଟ୍ର ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଏହି ମାସ ଆରମ୍ଭରେ ଓଡ଼ିଶା ଏହାର ପ୍ରଥମ ଗ୍ରୀଷ୍ମଲହରି-ଜନିତ ମୃତ୍ୟୁ ଘୋଷଣା କରିଥିବାବେଳେ ମୃତକଙ୍କ ପରିବାର ପାଇଁ ୫୦,୦୦୦ ଟଙ୍କା ଅନୁକମ୍ପା ରାଶି ମଞ୍ଜୁର କରିଛନ୍ତି।

ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଦୁଇଟି ରାଜ୍ୟ- ଉତ୍ତରପ୍ରଦେଶ ଓ ବିହାର ସରକାର ଏଭଳି ଘୋଷଣା କରିନାହାନ୍ତି। ବିଶେଷଜ୍ଞମାନେ ସୂଚାଇ ଦେଇଛନ୍ତି ଯେ ଅଂଶୁଘାତରେ ପୀଡ଼ିତ ଅଧିକାଂଶ ବ୍ୟକ୍ତି ସ୍ୱଳ୍ପ ଆୟ ବର୍ଗର ଏବଂ ସେମାନଙ୍କ ପାଖରେ ସ୍ୱାସ୍ଥ୍ୟ ଓ ଜୀବନ ବୀମା ନ ଥାଏ। ପ୍ରକାଶଙ୍କ କହିବା ଅନୁସାରେ, ପୀଡିତଙ୍କ ପରିବାରକୁ ଏଭଳି ପରିସ୍ଥିତିରେ ସରକାରୀ କ୍ଷତିପୂରଣ ହିଁ ସାହାଯ୍ୟ କରିଥାଏ। ତଥାପି ଅନେକ କ୍ଷେତ୍ରରେ ଉପଯୁକ୍ତ କାଗଜପତ୍ର ଅଭାବରୁ ପରିବାର ପାଇଁ କ୍ଷତିପୂରଣ ପାଇବା କଷ୍ଟକର ହୋଇପଡେ। ଭାରତ ଭଳି ଦେଶରେ ଗ୍ରୀଷ୍ମଲହରିର ଶିକାର ହୋଇଥିବା ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଉପରେ ଏକ କେନ୍ଦ୍ରୀୟ ନର୍ଦ୍ଦେଶାବଳୀ ଆବଶ୍ୟକ ବୋଲି ପ୍ରକାଶ କହିଛନ୍ତି।

publive-image

୨୦୨୨ରେ ସର୍ବାଧିକ ୨୦୩ଟି ଗ୍ରୀଷ୍ମଲହରି
ଭାରତରେ ୨୦୨୨ର ଗ୍ରୀଷ୍ମଋତୁ ଥିଲା ସବୁଠାରୁ ଉତ୍ତପ୍ତତମ। ଏହିବର୍ଷ ଭାରତରେ ମୋଟ ୨୦୩ଟି ଗ୍ରୀଷ୍ମଲହରି ରେକର୍ଡ କରାଯାଇଥିଲା। ୨୦୨୧ରେ ୩୬ଟି ଗ୍ରୀଷ୍ମଲହରି ରେକର୍ଡ ହୋଇଥିବା ବେଳେ ୨୦୨୨ରେ ଏହାଠାରୁ ପାଞ୍ଚ ଗୁଣରୁ ଅଧିକ ଗ୍ରୀଷ୍ମଲହରି ଅନୁଭୂତ ହୋଇଥିଲା। ଆଇଏମ୍‌ଡିର ବରିଷ୍ଠ ବୈଜ୍ଞାନିକ ନରେଶ କୁମାର କହିଛନ୍ତି ଯେ, ପୂର୍ବବର୍ଷ ପାଶ୍ଚାତ୍ୟ ବିଶୃଙ୍ଖଳା (ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ) ମୁଖ୍ୟ ଭୂଭାଗରେ ପହଞ୍ଚି ନ ଥିଲା। ଫଳରେ ପାଣିପାଗଜନିତ ଘଟଣା ଓ ଗ୍ରୀଷ୍ମଲହରି କମ୍ ଦେଖିବାକୁ ମିଳିଥିଲା।

ଆଇଏମ୍‌ଡି ଅନୁଯାୟୀ, ଗତ ୧୨-୧୪ ଦିନ ହେଲା ଓଡିଶା, ଝାଡଖଣ୍ଡ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳରେ ଏବଂ ୮-୧୦ ଦିନ ହେଲା ପୂର୍ବ ଉତ୍ତରପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ବିହାର, ଛତିଶଗଡ ଓ ବିଦର୍ଭରେ ଗ୍ରୀଷ୍ମଲହରି କିମ୍ବା ପ୍ରବଳ ଉତ୍ତାପଜନିତ ପରିସ୍ଥିତି ଜାରି ରହିଛି। ତେବେ ଜୁନ୍ ୨୩ରୁ ପୂର୍ବ ଭାରତ ଏବଂ ମଧ୍ୟ ଭାରତ ଅଞ୍ଚଳରେ ଗ୍ରୀଷ୍ମଲହରି ଅବସ୍ଥା ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ଆଇଏମ୍‌ଡି ଏକ ରିପୋର୍ଟରେ କହିଛି।

publive-image

ହିଟ୍ ୱେଭ୍‌-ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଛି
ବଢ଼ୁଥିବା ହିଟ୍ ୱେଭ୍ ସଂଖ୍ୟା ମାନବ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଉଛି। ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ଅନୁଯାୟୀ, ୨୦୨୧ ମସିହାରେ ୭,୧୨୬ଟି ମୃତ୍ୟୁ ମଧ୍ୟରୁ ଗ୍ରୀଷ୍ମଲହରି ଯୋଗୁ ୫.୨ ପ୍ରତିଶତ (୩୭୪) ମୃତ୍ୟୁ ହୋଇଛି। ୨୦୧୭ରୁ ୨୦୨୧ ମଧ୍ୟରେ ୪,୧୯୫ ଅଂଶୁଘାତ ଯୋଗୁ ମୃତ୍ୟୁ ବରଣ କରିଥିଲେ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ୨୦୦୩ରେ ୟୁରୋପରେ ୭୦,୦୦୦ରୁ ଅଧିକ ମୃତ୍ୟୁ ସମେତ ୧୯୯୮ରୁ ୨୦୧୭ପର୍ଯ୍ୟନ୍ତ ସାରା ବିଶ୍ବରେ ୧,୬୬,୦୦୦ରୁ ଅଧିକ ମୃତ୍ୟୁ ଗ୍ରୀଷ୍ମଲହରି ଯୋଗୁ ହୋଇଥିଲା।

ଆଗକୁ ଗ୍ରୀଷ୍ମଲହରି ସଂଖ୍ୟା ବଢ଼ିବ
ପୃଥିବୀର ତାପମାତ୍ରା ବଢ଼ୁଥିବାରୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆଗାମୀ ଦିନରେ ଅଧିକ ଦୃଶ୍ୟମାନ ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ୱାର୍କିଂ ଗ୍ରୁପ୍‌ ଆଇର ଆଇପିସିସି ଷଷ୍ଠ ଆକଳନ ରିପୋର୍ଟ “ଜଳବାୟୁ ପରିବର୍ତ୍ତନ ୨୦୨୧: ଭୌତିକ ବିଜ୍ଞାନ ଆଧାର” ଅନୁଯାୟୀ ଦକ୍ଷିଣ ଏସିଆରେ ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଭାବ ପକାଉଥିବା ଆନ୍ଥ୍ରୋପୋଜେନିକ୍ ଏରୋସୋଲ୍ ଏବଂ ଗ୍ରୀନ୍ ହାଉସ୍ ଗ୍ୟାସର ପରିମାଣ ବୃଦ୍ଧି ପାଇଛି। ଫଳରେ ଭାରତ ସମେତ ଦକ୍ଷିଣ ଏସିଆରେ ଗ୍ରୀଷ୍ମ ଲହରି ସଂଖ୍ୟା ବୃଦ୍ଧି ପାଇବ।