ହୋଟେଲ୍‌ ମାମଲାରେ ଦୋଷୀ ସାବ୍ୟସ୍ତ:ମେଜର ଗୋଗୋଇଙ୍କୁ କୋର୍ଟ ମାର୍ସଲ୍‌

କର୍ତବ୍ୟରେ ଅବହେଳା କରିଥିଲେ:ସ୍ଥାନୀୟ ମହିଳାଙ୍କ ସହିତ ସଂପର୍କ ରଖିଥିଲେ

ନୂଆଦିଲ୍ଲୀ: ଶ୍ରୀନଗର ହୋଟେଲ୍‌ ମାମଲାରେ ଭାରତୀୟ ସେନାର ମେଜର ଲିତୁଲ ଗୋଗୋଇଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ମାମଲାରେ ସେନାର କୋର୍ଟ ଅଫ୍‌ ଇନ୍‌କ୍ୱାରି ପକ୍ଷରୁ ଗୋଗୋଇଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। କର୍ତବ୍ୟରେ ଥିବା ସମୟରେ ସେ ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ଶ୍ରୀନଗରର ଲୋକମାନଙ୍କ ସହିତ ମିଳାମିଶା କରିଥିଲେ। ଏହାସହ ଏକ ସ୍ଥାନୀୟ ହୋଟେଲ୍‌କୁ ଜଣେ ମହିଳାଙ୍କୁ ନେଇ ଯାଇଥିଲେ। ଉପରିସ୍ଥ ଅଧିକାରୀଙ୍କ ବାରଣ ସତ୍ତ୍ୱେ ସେ ଶୁଣିନଥିଲେ। କୋର୍ଟ ଅଫ୍‌ ଇନ୍‌କ୍ୱାରି ପକ୍ଷରୁ ହୋଇଥିବା ଶୁଣାଣିରେ ଆଜି ଏହା ସ୍ପଷ୍ଟ କରାଯାଇଛି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋର୍ଟ କହିଛନ୍ତି।
କୋର୍ଟ ଅଫ୍‌ ଇନ୍‌କ୍ୱାରିଙ୍କ ଏଭଳି ରାୟ ପରେ ମେଜର ଗୋଗୋଇଙ୍କୁ କୋର୍ଟ ମାର୍ସଲ୍‌ର ସାମ୍ନା କରିବାକୁ ପଡ଼ିପାରେ। ସେନା ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ଶୁଣାଣି ହେବ। କୋର୍ଟ ଅଫ୍‌ ଇନ୍‌କ୍ୱାରିରେ ଶୁଣାଣି ବେଳେ ଜଣାପଡ଼ିଥିଲା ଯେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ସଂଘର୍ଷ ଲାଗିରହିଥିବା ସତ୍ତ୍ୱେ ଗୋଗୋଇ ଏଥିପ୍ରତି ଭ୍ରୂକ୍ଷେପ ନକରି ସ୍ଥାନୀୟ ମହିଳାଙ୍କ ସହିତ ସଂପର୍କ ରଖି ସେନା ନିୟମ ଉଲ୍ଲଂଘନ କରିଥିଲେ। କର୍ତବ୍ୟ ସ୍ଥଳରୁ ଯଥେଷ୍ଟ ଦୂରରେ ରହି ସେ ନିଜ ଦାୟିତ୍ୱ ନିର୍ବାହରେ ଖିଲାପ କରିଥିଲେ। ତେଣୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ବୋଲି କୋର୍ଟ କହିଛନ୍ତି।
ଚଳିତବର୍ଷ ଏପ୍ରିଲ୍‌ରେ ଜମ୍ମୁ-କଶ୍ମୀରରେ ପ୍ରବଳ ସଂଘର୍ଷ ଯୋଗୁ ସ୍ଥାନୀୟ ଲୋକମାନେ ସୁରକ୍ଷା ବାହିନୀ ଉପରକୁ ପଥରମାଡ଼ କରିଥିଲେ। ଗୋଗୋଇ ଫାରୁକ୍‌ ଅହମ୍ମଦ ଡାର୍‌ ନାମକ ଜଣେ ପଥର ଫିଙ୍ଗାଳିଙ୍କୁ ନିଜ ଜିପ୍‌ରେ ବାନ୍ଧି ବୁଲାଇ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ମେ ମାସରେ ସେ ଶ୍ରୀନଗରର ଏକ ହୋଟେଲ୍‌କୁ ଜଣେ ୧୮ ବର୍ଷୀୟା ମହିଳାଙ୍କୁ ନେଇ ଯାଇଥିଲେ। କିନ୍ତୁ ତାଙ୍କୁ ଅଟକ ରଖାଯାଇଥିଲା। ପରେ କୋର୍ଟ ଅଫ୍‌ ଇନ୍‌କ୍ୱାରିରେ ତାଙ୍କ ବିରୋଧରେ ମାମଲା କରିବା ପାଇଁ ସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜିର ରାୟକୁ ଡାର୍‌ ଓ ସେମାନଙ୍କ ପରିବାର ଲୋକ ସ୍ୱାଗତ କରିଛନ୍ତି।

ସମ୍ବନ୍ଧିତ ଖବର