ଲକ୍ଷ୍ମୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌର ପାଞ୍ଚ ତାରକା ହୋଟେଲ ରେଡିସନରେ ୯ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ହୋଟେଲରେ ଫେବ୍ରୁଆରି ୨୮ରେ ଅଭିନେତ୍ରୀ ମହିମା ଚୌଧୁରୀ ରହିଥିଲେ। ସ୍ୱାସ୍ଥ୍ୟ ବିଭାଗର ଟିମ୍ ହୋଟେଲ କର୍ମଚାରୀଙ୍କ ନମୁନା ସଂଗ୍ରହ ପାଇଁ ମଙ୍ଗଳବାର ହୋଟେଲରେ ପହଞ୍ଚିଥିଲେ। ହୋଟେଲଟି ବର୍ତ୍ତମାନ ୪୮ ଘଣ୍ଟା ପାଇଁ ସିଲ୍ ହୋଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ହୋଟେଲରେ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ରୋଷେୟା ରହିଛନ୍ତି। ଏହି କାରଣରୁ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି।
ଗତ କିଛି ଦିନ ମଧ୍ୟରେ ମହାରାଷ୍ଟ୍ର ଏବଂ କେରଳରେ ସଂକ୍ରମଣ ବୃଦ୍ଧି ପାଇଥିବାରୁ ସତର୍କତା ସ୍ୱରୂପ ଲକ୍ଷ୍ମୌର ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରାଯାଉଛି। ଏଥିସହ ବାହାରୁ ଆସୁଥିବା ଯାତ୍ରୀଙ୍କ ନମୁନା ମଧ୍ୟ ନିଆଯାଉଛି। ସେପଟେ ହୋଟେଲରୁ ନିଆଯାଇଥିବା ନମୁନାରୁ ୯ ଜଣଙ୍କ ରିପୋର୍ଟ ପିଜିଟିଭ ରହିଛି।
ରେଡିସନ୍ ହୋଟେଲର ୯ଜଣ କୁକ୍ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଅନ୍ୟ ୬୦ଜଣ କର୍ମଚାରୀଙ୍କ ନମୁନା ନିଆଯାଇଛି। ଏଥିରୁ ୨୪ଟି ନମୁନା ବାହାର ଲୋକଙ୍କର ରହିଛି। ଫେବୃଆରି ୨୮ ରେ ଫିଲ୍ମ ଅଭିନେତ୍ରୀ ମହିମା ଚୌଧୁରୀ ରେଡିସନ ହୋଟେଲରେ ରହିଥିବା ଜଣାପଡ଼ିବା ପରେ ଅଧିକାରୀଙ୍କ ଚିନ୍ତା ବଢ଼ି ଯାଇଛି।
ଅଧିକାରୀମାନେ ଯୋଗାଯୋଗ ଅନୁସନ୍ଧାନ ଆରମ୍ଭ କରିଛନ୍ତି ଏବଂ ସ୍କ୍ରିନିଂ କରିବାକୁ ଭ୍ରମଣକାରୀଙ୍କୁ ନିବେଦନ କରିଛନ୍ତି । ହୋଟେଲର ସମସ୍ତ ୯ ରୋଷେୟାଙ୍କୁ କ୍ବାରେନଣ୍ଟାଇନ କରାଯାଇଛି।