ହୋଟେଲଗୁଡ଼ିକରେ ସେବାଶୁଳ୍କକୁ ବାଧ୍ୟତାମୂଳକ କରାଯାଇପାରିବନି: ସିସିପିଏ

ନୂଆଦିଲ୍ଲୀ : କେନ୍ଦ୍ର ଖାଉଟି ସୁରକ୍ଷା ପ୍ରାଧିକରଣ (ସିସିପିଏ) ଜିଲ୍ଲାପାଳମାନଙ୍କୁ ହୋଟେଲ୍ ଓ ରେଷ୍ଟୁରାଂଟ ଦ୍ୱାରା ସେବା କର ସମ୍ପର୍କିତ ଜାରି ନିର୍ଦ୍ଦେଶାବଳୀ ଲାଗୁ କରିବାକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ଅଭିଯୋଗ ମିଳିବା ପରେ ଜିଲ୍ଲାପାଳ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ସମ୍ପର୍କରେ ଯାଂଚ କରି ପାରିବେ ଏବଂ ୧୫ ଦିନ ଭିତରେ ପ୍ରାଧିକରଣକୁ ରିପୋର୍ଟ ପ୍ରଦାନ କରିବେ।

ସିସିପିଏ ସାରା ଭାରତରେ ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟ ସଚିବ ଏବଂ ଜିଲ୍ଲାପାଳମାନଙ୍କୁ ଉପଭୋକ୍ତାଙ୍କ ସ୍ୱାର୍ଥର ସୁରକ୍ଷା ନିମନ୍ତେ ଏହାର ତତ୍କାଳ କାର୍ଯ୍ୟାନ୍ୱୟନ ସହିତ ନିର୍ଦ୍ଦେଶାବଳୀର ବ୍ୟାପକ ପ୍ରଚାର-ପ୍ରସାର ବ୍ୟବସ୍ଥା କରିବା ପାଇଁ ଚିଠି ଲେଖିଛନ୍ତି। ଏହି ଚିଠିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ, ସେବାଶୁଳ୍କ ଲଗାଇବା ନିର୍ଦ୍ଦେଶାବଳୀର ଉଲ୍ଲଂଘନ। ଏହା ଅନୁଚିତ ବ୍ୟବସାୟ ପ୍ରଥା ସୃଷ୍ଟି କରିଥାଏ, ଯେଉଁଥିରେ ଏକ ଶ୍ରେଣୀର ଉପଭୋକ୍ତାଙ୍କ ଅଧିକାର ପ୍ରଭାବିତ ହୋଇଥାଏ। ଏଭଳି ଅଭିଯୋଗଗୁଡିକୁ ପ୍ରାଥମିକତା ଆଧାରରେ ଗ୍ରହଣ କରାଯିବ ଉଚିତ।

ସେବା ଶୁକ୍ଳ ଲାଗୁ କରିବା ସମ୍ପର୍କରେ ଅନେକ ଉପଭୋକ୍ତା ଜାତୀୟ ଉପଭୋକ୍ତା ହେଲ୍ପଲାଇନରେ ନିଜର ଅଭିଯୋଗ ଦାଖଲ କରିଛନ୍ତି। ପ୍ରମୁଖ ଅଭିଯୋଗଗୁଡିକ ମଧ୍ୟରେ ହୋଟେଲ୍/ରେଷ୍ଟୁରାଂଟରେ ସେବା କରକୁ ବାଧ୍ୟତାମୂଳକ କରିବା, ସେବା ଶୁଳ୍କ ପ୍ରଦାନକୁ ବିରୋଧ କରୁଥିବା ଉପଭୋକ୍ତାମାନଙ୍କୁ ଲଜ୍ଜିତ କରିବା, କୌଣସି ଅନ୍ୟ ନାମରେ ସେବା ଶୁଳ୍କକୁ ଯୋଡିବା ଏବଂ ଉପଭୋକ୍ତାମାନଙ୍କଠାରୁ ସେବା ଶୁଳ୍କ ଦେୟ ପ୍ରଦାନ ବୈକଳ୍ପିକ ଏବଂ ସ୍ୱେଚ୍ଛାକୃତ ବୋଲି ଲୁଚାଇବା ଇତ୍ୟାଦି ସାମିଲ ଅଟେ। ସିସିପିଏର ମୁଖ୍ୟ ଆୟୁକ୍ତ ନିଧି ଖାରେ ସ୍ପଷ୍ଟ କରିଛନ୍ତି ଯେ, ନିର୍ଦ୍ଦେଶାବଳୀଗୁଡିକ ପରାମର୍ଶଭିତ୍ତିକ ନୁହେଁ ଏବଂ ଆଇନ୍ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଲାଗୁ କରିବା ଯୋଗ୍ୟ।

ଯଦି କୌଣସି ଉପଭୋକ୍ତା ଏହା ଜାଣିବାକୁ ପାନ୍ତି ଯେ, କୌଣସି ହୋଟେଲ୍ କିମ୍ବା ରେଷ୍ଟୁରାଂଟ ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରି ସେବା ଶୁଳ୍କ ଲଗାଉଛି, ତେବେ ସେ ସେହି ହୋଟେଲ୍ କିମ୍ବା ରେଷ୍ଟୁରାଂଟକୁ ସେବା ଶୁଳ୍କକୁ ବିଲ୍‌ରୁ ହଟେଇ ଦେବା ପାଇଁ ଅନୁରୋଧ କରିପାରିବେ। କିମ୍ବା ଜାତୀୟ ଉପଭୋକ୍ତା ହେଲ୍ପଲାଇନରେ ୧୯୧୫କୁ କଲ୍ କରି କିମ୍ବା ଏନସିଏଚ୍ ମୋବାଇଲ୍ ଆପ୍ ମାଧ୍ୟମରେ ଅଭିଯୋଗ ଦାଖଲ କରି ପାରିବେ। ଉପଭୋକ୍ତା ଅନୁଚିତ ବ୍ୟବସାୟ ବ୍ୟବହାରର ବିରୋଧ କରି ଉପଭୋକ୍ତା ଆୟୋଗରେ ମଧ୍ୟ ଅଭିଯୋଗ ଦାଖଲ କରି ପାରିବେ। ପୋର୍ଟାଲ୍ www.edaakhil.nic.in ମାଧ୍ୟମରେ ମଧ୍ୟ ଅଭିଯୋଗ ଦାଖଲ କରାଯାଇ ପାରିବ। ଏହା ସହିତ ଉପଭୋକ୍ତା ଏହା ପରବର୍ତୀ ପ୍ରକ୍ରିୟା ନିମନ୍ତେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଭିଯୋଗ ଦାଖଲ କରି ପାରିବ। ଅଭିଯୋଗ ସିସିପିଏକୁ [email protected] ମାଧ୍ୟମରେ ଇ-ମେଲ୍ ଦ୍ୱାରା ମଧ୍ୟ ପଠାଯାଇ ପାରିବ।

ସମ୍ବନ୍ଧିତ ଖବର