ଆଇଏସ୍‌ଆଇଏସ୍‌ ଓ ଜିହାଦୀ କାର୍ଯ୍ୟକଳାପର ସୂଚନା ଦେବା ପାଇଁ ହଟ୍‌ଲାଇନ୍ ନମ୍ବର ଜାରି

ନୂଆଦିଲ୍ଲୀ: ନିରବଚ୍ଛିନ୍ନ ଅନ୍‌ଲାଇନ୍ ପ୍ରଚାର ମାଧ୍ୟମରେ ଆଇଏସ୍‌ଆଇଏସ୍‌ ଭାରତରେ ତା’ର ଶୁଣ୍ଢ ଲମ୍ବାଉଥିବାରୁ ଭାରତର ଗୋଇନ୍ଦା ସଂସ୍ଥାଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି। କେରଳରେ ଏହି ଆତଙ୍କବାଦୀ ସଂଗଠନ ତା’ର ନେଟ୍‌ୱାର୍କ ଅଧିକ ବିଛେଇବାରେ ଲାଗିଛି। ସ୍ଥାନୀୟ ଯୁବକଙ୍କୁ ମୌଳବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ କରିବା, ସେମାନଙ୍କୁ ନିଜ ଗୋଷ୍ଠୀରେ ସାମିଲ କରିବା ବା ନିଯୁକ୍ତି ଦେବା ଭଳି ଘଟଣାର ବହୁ ରିପୋର୍ଟ ମିଳିଛି ବୋଲି ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଆତଙ୍କବାଦୀଙ୍କ ଗତିବିଧି, ଅନ୍‌ଲାଇନ୍ ପ୍ରଚାର ଏବଂ ଜିହାଦୀ କାର୍ଯ୍ୟକଳାପ ଆଦି ସମ୍ବନ୍ଧରେ ସୂଚନା ଦେବା ପାଇଁ ଭାରତ ସରକାର ଏକ ହଟ୍‌ଲାଇନ୍ ନମ୍ବର ଜାରି କରିଛନ୍ତି। ଏହି ନମ୍ବରଟି ହେଉଛି: ୦୧୧-୨୪୩୬୮୮୦୦। ଯଦି କୌଣସି ବ୍ୟକ୍ତି ସାଧାରଣ ନିରୀହ ଯୁବକଙ୍କୁ ଭୁଲ୍ କାମ କରିବା ପାଇଁ ମତଉଥାନ୍ତି, ସାମାଜିକ ଗଣମାଧ୍ୟମରେ ଆଇଏସ୍‌ଆଇଏସ୍ ଆଦର୍ଶର ପ୍ରଚାର କରୁଥାନ୍ତି, ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ସଂଗ୍ରହ କରୁଥାନ୍ତି ବା ସେମାନଙ୍କୁ ଦେଉଥାନ୍ତି, ତେବେ ଏ ବିଷୟରେ କେହି କିଛି ସୂଚନା ପାଇଲେ ତୁରନ୍ତ ଉକ୍ତ ହଟ୍‌ଲାଇନ୍ ନମ୍ବରରେ ସୂଚନା ଦେବା ପାଇଁ ନିବେଦନ କରାଯାଇଛି।

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ, ଷଡ଼୍‌ଯନ୍ତ୍ର ଓ ଆକ୍ରମଣ ଆଦି ଅନେକ ମାମଲାର ତଦନ୍ତ କରିବା ବେଳେ ୩୭ଟି ମାମଲାରେ ଅଭିଯୁକ୍ତ ଆଇଏସ୍‌ଆଇଏସ୍‌ ଦ୍ବାରା ଅନୁପ୍ରାଣିତ ବୋଲି ଜଣାପଡ଼ିଥିଲା। ସର୍ବଶେଷ ମାମଲା ୨୦୨୧ ଜୁନ୍ ମାସରେ ପଞ୍ଜୀକୃତ ହୋଇଥିଲା। ତଦନ୍ତ ସମୟରେ ଏନ୍‌ଆଇଏ ୧୬୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ୩୧ ଜଣଙ୍କ ନାମରେ ଚାର୍ଜସିଟ୍ ଦିଆଯାଇଥିବା ବେଳେ ୨୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର