ବିଶ୍ୱ ହଟ୍‌ସ୍ପଟ୍‌ରେ ଭାରତର ୩ ମେଟ୍ରୋ, ଦିଲ୍ଲୀ ଚତୁର୍ଥ ସର୍ବାଧିକ ପ୍ରଭାବିତ ସହର

ନୂଆଦିଲ୍ଲୀ : ୟୁରୋପ୍‌ ଏବଂ ଉତ୍ତର ଆମେରିକାରେ କରୋନା ସଂକ୍ରମଣ ମାମଲା କମିଥିବା ବେଳେ ଏବେ ଦକ୍ଷିଣ ଆମେରିକା ଏବଂ ଦକ୍ଷିଣ ଏସିଆ ମହାମାରୀର କେନ୍ଦ୍ରସ୍ଥଳ ପାଲଟିଛି। ବିଶ୍ବରେ କୋଭିଡ୍‌-୧୯ ହଟ୍‌ସ୍ପଟ୍‌ ମଧ୍ୟରେ ଭାରତର ୩ ଟି ମେଟ୍ରୋ ରହିଛି। ଏହି ୩ଟି ମେଟ୍ରୋ ସହର ହେଉଛି ଦିଲ୍ଲୀ, ମୁମ୍ବାଇ ଏବଂ ‌ଚେନ୍ନାଇ। ଜୁନ୍‌ ୧୨ ତାରିଖ ଭାରତ ପାଇଁ ଅତି ଚିନ୍ତାର ଦିନ ଥିଲା। ବିଶ୍ବରେ ଚତୁର୍ଥ ସହର ଭାବେ ଦିଲ୍ଲୀରେ ୧୨ ତାରିଖ ଦିନ ସର୍ବାଧିକ ସଂକ୍ରମଣ ମାମଲା ଥିଲା।ସାଣ୍ଟିଆଗୋ (ଚିଲି), ଲିମା (ପେରୁ), ସାଓ ପଲୋ (ବ୍ରାଜିଲ୍‌) ପରେ ଚତୁର୍ଥ ସହର ଭାବେ ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ ମାମଲା ଥିଲା।

Zee News

ତେବେ ବିଶ୍ବରେ ସର୍ବାଧିକ ସଂକ୍ରମଣ ମାମଲା ଥିବା ସହର କ୍ଷେତ୍ରରେ ଚେନ୍ନାଇ ଷଷ୍ଠ ସ୍ଥାନରେ ରହିଛି ଏବଂ ମୁମ୍ବାଇ ସପ୍ତମ ସ୍ଥାନ‌ରେ ରହିଛି। ଜୁନ୍‌ ଆରମ୍ଭରୁ ମସ୍କୋରେ ମାମଲା କମିଛି। କିନ୍ତୁ ଦକ୍ଷିଣ ଆମେରିକାର ୩ ସହର ଏବଂ ଭାରତର ୩ ସହରରେ ମାମଲା ବଢ଼ିଛି। ଗତ ଶୁକ୍ରବାର ତଥା ୧୨ ତାରିଖରେ ସାଣ୍ଟିଆଗୋରେ ୫,୫୦୦ରୁ ଅଧିକ ନୂଆ ମାମଲା ଥିଲା। କିନ୍ତୁ ଏହିଦିନ ଭାରତରେ ଦିଲ୍ଲୀ ଏବଂ ଚେନ୍ନାଇ ମାମଲା ମୁମ୍ବାଇକୁ ଟପିଯାଇଥିଲା। ଜୁନ୍‌ ୧୧ ଏବଂ ୧୨ରେ ଦିଲ୍ଲୀରେ ମାମଲା ଯଥାକ୍ରମେ ୧୮୭୭ ଏବଂ ୨,୧୩୭ ଥିଲା। ମହାମାରୀ ଆରମ୍ଭରୁ ଭାରତର କୌଣସି ସହରରେ ଏତେ ସଂଖ୍ୟକ ମାମଲା ଚିହ୍ନଟ ‌ହୋଇନଥିଲା। ପୂର୍ବରୁ ମେ’ ୨୨ରେ ମୁମ୍ବାଇରେ ସର୍ବାଧିକ ୧୭୫୧ ମାମଲା ଚିହ୍ନଟ ହୋଇଥିଲା। ତେବେ ଏପ୍ରିଲ ୬ ତାରିଖରେ ନ୍ୟୁୟର୍କରେ ସର୍ବାଧିକ ୬,୩୭୫ ମାମଲା ଚିହ୍ନଟ ହୋଇଥିଲା।

ମୁମ୍ବାଇରେ ନୂଆ ସଂକ୍ରମଣ କମିଥିବା ବେଳେ ଚେନ୍ନାଇରେ ବଢ଼ିଛି। ସେହିପରି ଜୁନ୍‌ ୧୨ ତାରିଖରେ ଦିଲ୍ଲୀ ମୃତ୍ୟୁସଂଖ୍ୟା (୧୨୯) ସାଓପଲୋଠାରୁ (୧୨୩) ଅଧିକ ଥିଲା। ଅନ୍ୟପକ୍ଷେ ମୁମ୍ବାଇର ମୋଟ୍‌ ମୃତ୍ୟୁସଂଖ୍ୟା ୨ ହଜାର୪୨ ଥିବା ବେଳେ ସାଣ୍ଟିଆଗୋ (୨,୪୬୮) ଏବଂ ଲିମା (୨,୬୭୫)ଠାରୁ କମ୍‌ ରହିଛି।

ସମ୍ବନ୍ଧିତ ଖବର