ଜାତିସଂଘରେ ତୁର୍କୀ କଶ୍ମୀର ପ୍ରସଙ୍ଗ ଉଠାଇବା ଜବାବରେ ସାଇପ୍ରସ ପ୍ରସଙ୍ଗ ଉଠାଇଲା ଭାରତ

ନ୍ୟୁୟର୍କ : ଜାତିସଂଘ ସାଧାରଣ ପରିଷଦ ବୈଠକରେ ତୁର୍କୀକୁ ଦୃଢ ଜବାବ ଦେଇଛି ଭାରତ । ତୁର୍କୀ ରାଷ୍ଟ୍ରପତି ରିସେପ ତାୟିବ୍ ଏର୍ଡୋଗାନ କଶ୍ମୀର ପ୍ରସଙ୍ଗ ଉଠାଇବାର କିଛି ଘଣ୍ଟା ପରେ ଭାରତ ସାଇପ୍ରସ ପ୍ରସଙ୍ଗ ଉଠାଇ ତୁର୍କୀକୁ ଘେରିଛି ।

ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ସାଇପ୍ରସର ବୈଦେଶିକ ମନ୍ତ୍ରୀ ନିକୋସ କ୍ରିଷ୍ଟୋଡୁଲଡେସଙ୍କୁ ଭେଟିବା ସହ ସାଇପ୍ରସ ପ୍ରସଙ୍ଗରେ ଜାତିସଂଘ ନିରାପତ୍ତା ପରିଷଦର ସଂକଳ୍ପକୁ ସବୁ ପକ୍ଷ ମାନିବା ଉଚିତ ବୋଲି କହିଛନ୍ତି ।

ଗତକାଲି ଜାତିସଂଘରେ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ କଶ୍ମୀର ପ୍ରସଙ୍ଗ ଉଠାଇବା ସହ ଜାତିସଂଘ ଅଧିନରେ ଏହି ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଦାବି କରିଥିଲେ । ଗତ ବର୍ଷ ମଧ୍ୟ ସେ ଜାତିସଂଘ ସାଧାରଣ ପରିଷଦ ବୈଠକରେ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ ।

 

ସାଇପ୍ରସ ପ୍ରସଙ୍ଗ କ’ଣ ?

ଭୂ-ମଧ୍ୟସାଗରୀୟ ଦେଶ ସାଇପ୍ରସର ଦୁଇ ସଂପ୍ରଦାୟ- ଗ୍ରୀସ ବଂଶୋଦ୍ଭବ ସାଇପ୍ରିଅଟ୍ ଓ ତୁର୍କ ବଂଶୋଦ୍ଭବ ସାଇପ୍ରିଅଟମାନଙ୍କ ମଧ୍ୟରେ ବିଗତ ଅନେକ ଦଶନ୍ଧି ଧରି ବିବାଦ ରହିଆସିଛି । ଖ୍ରୀଷ୍ଟ ଧର୍ମାବଲମ୍ବୀ ଗ୍ରୀକ୍ ସାଇପ୍ରିଅଟମାନେ ମୋଟ ଜନସଂଖ୍ୟାର ପ୍ରାୟ ୭୭ ପ୍ରତିଶତ ହୋଇଥିବାବେଳେ ଇସଲାମ ଧର୍ମାବଲମ୍ବୀ ତୁର୍କ ସାଇପ୍ରିଅଟମାନେ ହେଉଛନ୍ତି ପ୍ରାୟ ୧୮ ପ୍ରତିଶତ । ୧୯୭୨ରେ ସାଇପ୍ରସରେ ତୁର୍କୀ ସେନା ପ୍ରବେଶ କରିବାପରେ ସାଇପ୍ରସ ଦୁଇଭାଗରେ ବିଭକ୍ତ ହୋଇଥିଲା । ତୁର୍କୀ ନିୟନ୍ତ୍ରଣରେ ଥିବା ଉତ୍ତର ସାଇପ୍ରସକୁ କେବଳ ତୁର୍କୀ ମାନ୍ୟତା ଦେଉଥିବାବେଳେ ଦକ୍ଷିଣରେ ଥିବା ସାଇପ୍ରସ ଗଣତନ୍ତ୍ରକୁ ଜାତିସଂଘ ସମେତ ବିଶ୍ବ ସମୁଦାୟ ସମର୍ଥନ ଦେଉଛି । ଉତ୍ତର ସାଇପ୍ରସକୁ ତୁର୍କୀ ବେଆଇନ ଭାବେ ଅଧିକାର କରିଥିବା ବିଶ୍ବ ସମୁଦାୟ ସ୍ବୀକାର କରିଛି ।

 

ସମ୍ବନ୍ଧିତ ଖବର