ଥମୁନି ପେଗାସସକୁ ନେଇ ବିରୋଧୀଙ୍କ ବିରୋଧ: ଆସନ୍ତାକାଲି ଯାଏଁ ମୁଲତବୀ ରହିଲା ଲୋକସଭା

ନୂଆଦିଲ୍ଲୀ: ଲୋକସଭାରେ ମୌସୁମୀ ଅଧିବେଶନର ଶେଷ ସପ୍ତାହ ଆରମ୍ଭ ହୋଇଥିବାବେଳେ ପେଗାସସକୁ ନେଇ ବିରୋଧୀ ଦଳ ବିରୋଧ ଜାରି ରଖିଛନ୍ତି | ଆଉ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଆସନ୍ତାକାଲି(ମଙ୍ଗଳବାର) ଦିନ ୧୧ଟା ଯାଏଁ ଲୋକସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି | ତେବେ ଆଜି ବିରୋଧୀଙ୍କ ବିରୋଧ ସତ୍ତ୍ୱେ ସୋମବାର ଲୋକସଭାରେ ତିନୋଟି ବିଲ୍ ପାରିତ ହୋଇଛି |
ବିରୋଧୀଙ୍କ ନାରାବାଜି ସତ୍ତ୍ୱେ ସମ୍ବିଧାନ (ଅନୁସୂଚିତ ଜନଜାତି) ଅର୍ଡର (ସଂଶୋଧନ) ବିଲ୍, ୨୦୨୧ ସୀମିତ ଦେୟ ଭାଗିଦାରୀ (ସଂଶୋଧନ) ବିଲ୍, ଜମା ବୀମା ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ (ସଂଶୋଧନ) ବିଲ୍, ୨୦୨୧ ପାରିତ ହୋଇଯାଇଛି |

ସୂଚନା ମୁତାବକ ସୋମବାର ଦିନ ୧୧ଟା ସମୟରେ ଲୋକସଭା ଆରମ୍ଭ ହୋଇଥିଲା ଏବଂ ଭାରତ ଛାଡ ଆନ୍ଦୋଳନର ୭୯ ତମ ବାର୍ଷିକୀରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହାର କିଛି ସମୟ ପରେ ବିରୋଧୀ ଦଳ ପକ୍ଷରୁ ହଙ୍ଗାମା ଆରମ୍ଭ ହୋଇଯାଇଥିଲା | ଯାହା ପରେ ଲୋକସଭାକୁ ୧୧ଟା ୩୦ ଯାଏଁ ମୁଲତବୀ କରାଯାଇଥିଲା | ପୁଣି ୧୧ଟା ୩୦ରେ ଗୃହ ଆରମ୍ଭ ହୋଇଥିବାବେଳେ ପେଗାସସ୍ ପ୍ରସଙ୍ଗରେ ବିରୋଧୀ ସାଂସଦ ସ୍ଲୋଗାନ ଦେଇ ହଙ୍ଗାମା କରିବାରୁ ଗୃହକୁ ପୁଣି ୧୨ଟା ଯାଏଁ ମୁଲତବୀ ରଖାଯାଇଥିଲା | ଏହା ପରେ କେନ୍ଦ୍ରମନ୍ତ୍ରୀ ଡ. ବୀରେନ୍ଦ୍ର ସିଂହ ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ ଆଗତ କରିଥିଲେ | ବିଲ ପାରିତ ହେବାର କିଛି ସମୟ ପରେ ପୁଣି ବିରୋଧୀ ହଟ୍ଟଗୋଳ କରିଥିଲେ |

ଏହା ପରେ ଗୃହକୁ ପୁଣି ଅଧଘଣ୍ଟା ପାଇଁ ମୁଲତବୀ କରାଯାଇଥିଲା | ମୁଲତବୀ ସମୟ ପରେ ଗୃହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇଟି ବିଲ ଆଗତ କରିଥିଲେ | ଏଗୁଡିକ ପାରିତ ହେବା ପରେ ବିରୋଧୀ ପୁଣି ପେଗାସସକୁ ନେଇ ହଙ୍ଗାମା କରିଥିଲେ | ଏହାପରେ ବାଚସ୍ପତି ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି | ସୂଚନା ଥାଉ କି ଯେ ମୌସୁମୀ ଅଧିବେଶନ ୧୯ ଜୁଲାଇରୁ ଆରମ୍ଭ ହୋଇଥିବାବେଳେ ୧୩ ଅଗଷ୍ଟରେ ଶେଷ ହେବ | ବିରୋଧୀ ଦଳ ପେଗାସସ୍, କୃଷି ଆଇନ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଉପରେ ଆନ୍ଦୋଳନ ଜାରି ରଖିଛନ୍ତି । ଯେଉଁଥିପାଇଁ ଗୃହ ଠିକ ଭାବେ ଚାଲିପାରୁନାହିଁ |

ସମ୍ବନ୍ଧିତ ଖବର