ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେତୁ ହୋଇଥିବା ବିପର୍ଯ୍ୟୟ ମଧ୍ୟରେ ଅନେକ ହୃଦୟ ଥରାଇ ଦେବା ଭଳି କାହାଣୀ ସାମ୍ନାକୁ ଆସି ସାରିଛି। କିଏ ପରିବାରକୁ ହରାଇଛି ତ କାହା ମୁଣ୍ଡ ଉପରକୁ ଛାତ ଚାଲିଯାଇଛି। ଏ ମଧ୍ୟରେ ଅଶୋକ ଗୁଲେରିଆ ନାମକ ଜଣେ କନଷ୍ଟେବଳଙ୍କ କାହାଣୀ ଏବେ ସାମ୍ନାକୁ ଆସିଛି, ଯାହା ଲୋକଙ୍କ ଆଖିରେ ଲୁହ ଆଣି ଦେଇଛି। ଅଶୋକ ଗୁଲେରିଆ ପ୍ରଥମେ ଲାନ୍ସ ନାୟକ ଭାବରେ ୧୭ବର୍ଷ ଭାରତୀୟ ସେନାରେ କାର୍ଯ୍ୟ କରିବା ପରେ ଅବସର ନେଇଥିଲେ ଏବଂ ପରେ ୨୦୦୬ମସିହାରେ ପୁଲିସରେ କନଷ୍ଟେବଳ ଭାବେ କାମ କରିବା ଆରମ୍ଭ କରିଥିଲେ। ଅଶୋକ ଗୁଲେରିଆଙ୍କ ସହ ତାଙ୍କ ପତ୍ନୀ ଏବଂ ୨ଟି ସନ୍ତାନ ରହନ୍ତି। ସେ ମୂଳତଃ ମଣ୍ଡି ଜିଲ୍ଲାର ଟଟିହ ଗାଁର ବାସିନ୍ଦା।

Advertisment

ତେବେ ଟଟିହରେ ଘର ଥିଲେ ବି ସେ ଶିମଲାରେ ମୁତୟନ ଅଛନ୍ତି। ଏବେ ଲଗାଣ ବର୍ଷା ହିମାଚଳର ଅନେକ ଜିଲ୍ଲାରେ ଥିବା ଘରକୁ ମାଟିରେ ମିଶାଇଥିବା ବେଳେ ସେ ମଧ୍ୟରେ ରହିଛି ଅଶୋକ ଗୁଲେରିଆଙ୍କ ଘର। ସେ ସାରା ଜୀବନ ରୋଜଗାର କରି ଗାଁରେ ଏକ ତିନି ମହଲା ଘର ନିର୍ମାଣ କରିଥିଲେ, ଯାହା ପ୍ରାୟ ୩୦ବର୍ଷର କଠିନ ପରିଶ୍ରମରୁ ଆୟ ହୋଇଥିବା ଟଙ୍କାରେ ନିର୍ମିତ ହୋଇଥିଲା। କିନ୍ତୁ ଏଥର ପ୍ରବଳ ବର୍ଷାରେ ପୁରା ଘର ଭାଙ୍ଗିଯାଇଥିବା ଜଣାପଡ଼ିଛି। ଭୂସ୍ଖଳନ ପାଇଁ ତାଙ୍କ ନୂଆ କାର ସମେତ ଘରର ସମସ୍ତ ଜିନିଷ ମାଟି ତଳେ ପୋତି ହୋଇଯାଇଥିବା ଜଣାପଡ଼ିଛି। ତାଙ୍କ ସ୍ୱପ୍ନର ଘର ମାଟିରେ ମିଶିଯାଇଥିଲେ ବି ନିଜ କର୍ମ କରିବା ଛାଡ଼ି ନାହାନ୍ତି ଅଶୋକ। ଗାଁରେ ଘର ଭାଙ୍ଗିଥିବା ଜାଣି ବି ସେ ଶିମଲାରେ ରହି ନିଜ ଡ୍ୟୁଟି କରୁଥିବା ଜଣାଯାଇଛି। ଶିମଲାବାସୀଙ୍କ ଅବସ୍ଥା ଦେଖି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଗାଁକୁ ଯାଇନଥିବା କୁହାଯାଉଛି। ଏ ବିଷୟରେ ଜାଣିବା ପରେ ସମସ୍ତେ ଅଶୋକଙ୍କ ଦେଶ ପ୍ରତି ଥିବା ଭଲପାଇବା ଏବଂ ଦାୟିତ୍ୱକୁ ପ୍ରଶଂସା କରୁଛନ୍ତି।