ନୂଆଦିଲ୍ଲୀ : ବିହାରରେ ଏସ୍ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ସଂସଦର ଉଭୟ ଗୃହରେ ଆଜି କୌଣସି କାର୍ଯ୍ୟ ହୋଇପାରିନି। ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଆଜି ଇଣ୍ଡି ମେଣ୍ଟ ସାଂସଦମାନେ ବିହାର ଏସ୍ଆଇଆର, ବଙ୍ଗଳା ଭାଷା ବିବାଦ ଏବଂ ଭାରତ ଉପରେ ଆମେରିକା ଶୁଳ୍କ ପ୍ରସଙ୍ଗରେ ସଂସଦ ଭବନ ବାହାରେ ଆନ୍ଦୋଳନ କରିଥିଲେ। ଆଜି ପୂର୍ବାହ୍ନ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ସମୟରେ ଗୃହ ‘ଭାରତ ଛାଡ଼ ଆନ୍ଦୋଳନ’ରେ ଅଂଶଗ୍ରହଣ କରିଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲା। ଗୃହ ମଧ୍ୟ ପୂର୍ବତନ ସାଂସଦ ସତ୍ୟପାଲ ମଲିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲା। ଏହାପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନ କାଳ ଚଳାଇବାପାଇଁ ଚେଷ୍ଟା କରିଥିଲେ। କିନ୍ତୁ ବିରୋଧୀ ସାଂସଦମାନେ ବିହାରରେ ଏସ୍ଆଇଆର୍ ଉପରେ ଆଲୋଚନା ଦାବି କରି ସ୍ଲୋଗାନ ଦେଇଥିଲେ। ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ ବାଚସ୍ପତି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ହୋହଲ୍ଲା ଜାରି ରହିବାରୁ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ରାଜ୍ୟସଭାରେ ମଧ୍ୟ ଏହି ସମାନ ସ୍ଥିତି ପାଇଁ ଗୃହକୁ ପ୍ରଥମେ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। କିନ୍ତୁ ବାରମ୍ବାର ଉଭୟ ଗୃହରେ କାର୍ଯ୍ୟ ପରିଚାଳନାରେ ବାଧା ଉପୁଜିବାରୁ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ମୁଲତବୀ ରଖାଯାଇଛି। ବିରୋଧୀ ସାଂସଦମାନେ ଗୃହର ମଧ୍ୟଭାଗକୁ ଯାଇ ଏସ୍ଆଇଆର ଉପରେ ଆଲୋଚନା ଦାବି କରି ସ୍ଲୋଗାନ୍ ଦେଇଥିବାବେଳେ ସେମାନଙ୍କୁ ସେମାନଙ୍କ ଆସନକୁ ଫେରିଯିବାପାଇଁ ଅନୁରୋଧ କରାଯାଇଥିଲା। କିନ୍ତୁ ଏଥିପ୍ରତି ସେମାନେ କର୍ଣ୍ଣପାତ କରିନଥିଲେ।
କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଇନକମ୍ -ଟାକ୍ସ ବିଲ୍, ୨୦୨୫ ପ୍ରତ୍ୟାହାର କରିବାପାଇଁ ଏକ ପ୍ରସ୍ତାବ ଆଣିଥିଲେ ଯାହାକୁ ପୂର୍ବରୁ ଗୃହ ସ୍ବୀକୃତି ଦେଇଥିଲା। ତେବେ ଆଜି ହୋହଲ୍ଲା ଜାରି ରହିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ‘ଶୁକ୍ରବାର ପ୍ରାଇଭେଟ୍ ମେମ୍ବର ବିଲ୍ସ ପାଇଁ ସଂରକ୍ଷିତ ଥିଲା କିନ୍ତୁ ଆନ୍ଦୋଳନରତ ସଦସ୍ୟ ଏଥିରେ ବାଧା ଉପୁଜାଇଲେ। ସେ ଦାବି କରିଛନ୍ତି ଯେ ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।
ବିହାର ଏସ୍ଆଇଆର୍ ପ୍ରସଙ୍ଗରେ ଗୃହ ଅଚଳ: ଉଭୟ ଗୃହ ୧୧ ପର୍ଯ୍ୟନ୍ତ ମୁଲତବୀ
ବିହାରରେ ଏସ୍ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ସଂସଦର ଉଭୟ ଗୃହରେ ଆଜି କୌଣସି କାର୍ଯ୍ୟ ହୋଇପାରିନି।
/sambad/media/media_files/2025/08/09/untitled-14-2025-08-09-07-14-02.jpg)