କରୋନା ମୁକାବିଲା ପାଇଁ ଦିଲ୍ଲୀର ୮ ସୂତ୍ରୀ ଯୋଜନା : ଜୁଲାଇ ୬ରୁ ଘରେ ଘରେ ସ୍କ୍ରିନିଂ

ଶାହ ମଡେଲ ବନାମ କେଜ୍ରିୱାଲ୍‌ ମଡେଲ୍‌ ପାଇଁ ସମୟ ନାହିଁ: ସିସୋଦିଆ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ମୁକାବିଲା ପାଇଁ ଦିଲ୍ଲୀ ସରକାର ଏକ ୮ ସୂତ୍ରୀ ସଂଶୋଧିତ କରୋନା ମୁକାବିଲା ଯୋଜନା ପ୍ରସ୍ତୁତ କରିଛନ୍ତି। ‌ଏହି ଯୋଜନା ଅଧୀନରେ ଜାତୀୟ ରାଜଧାନୀର ବିଭିନ୍ନ ଜିଲ୍ଲାରେ ୨୦ ହଜାର ଲୋକଙ୍କ ସେରୋ ସର୍ଭେ ହେବ ଏବଂ ଜୁଲାଇ ୬ ତାରିଖରୁ ଘରକୁ ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ କରାଯିବ। ଦିଲ୍ଲୀରେ ସଂକ୍ରମଣ ବଢ଼ି ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଅତିକ୍ରମ କରିଯାଇଥିବାରୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷେ ଦିଲ୍ଲୀରେ ପ୍ରତ୍ୟେକ କରୋନା ରୋଗୀ କ୍ବାରାଣ୍ଟିନ୍‌ ସେଣ୍ଟର ଯିବାନେଇ ଯେଉଁ ନୂଆ ନିର୍ଦ୍ଦେଶ ଆସିଛି ତାକୁ ଦିଲ୍ଲୀ ସରକାର ବିରୋଧ କରିଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ବିରୋଧ କରି ଦିଲ୍ଲୀ ସରକାର କହିଛନ୍ତି, ଦିଲ୍ଲୀରେ ସମସ୍ତ କରୋନା ରୋଗୀ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ କ୍ବାରାଣ୍ଟିନ୍‌ ସେଣ୍ଟର ଯିବା ଉଚିତ୍‌ ନୁହେଁ। ଦିଲ୍ଲୀ ଅମିତ ଶାହ ମଡେଲ୍‌ ଏବଂ ଅରବିନ୍ଦ କେଜ୍ରିୱାଲ୍‌ ମଡେଲ୍‌ ମଧ୍ୟରେ ଫସି ଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି। ଏନେଇ ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଖକୁ ଚିଠି ‌ଲେଖିଛନ୍ତି। କେଜ୍ରିୱାଲ୍‌ କହିଛନ୍ତି ଏହା ଶାହ ମଡେଲ୍‌ ଏବଂ କେଜ୍ରିୱାଲ୍‌ ମଡେଲ ମଧ୍ୟରେ ଏକ ଲଢ଼େଇ ନୁ‌‌ହେଁ। ଆମକୁ ଏଭଳି ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ପଡ଼ିବ ଯାହାଦ୍ବାରା ଲୋକମାନେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବେନି। ସିସୋଦିଆ କହିଛନ୍ତି ନୂଆ ପ୍ରକ୍ରିୟା ଦ୍ବାରା ଲୋକମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେଣୁ ତାହା ବନ୍ଦ ହେବା ଉଚିତ୍‌।

ସମ୍ବନ୍ଧିତ ଖବର