‘ହାଉସ୍ଫୁଲ୍ ୪’ରୁ ନାନା ବିଦା:ଚେତନ୍ ଭଗତ୍ଙ୍କୁ ଇରା ତ୍ରିବେଦୀଙ୍କ ନୋଟିସ୍
ସୁପ୍ରିମ୍ କୋର୍ଟରେ ପିଆଇଏଲ୍ ଖାରଜ
ମୁମ୍ବାଇ: ଅଭିନେତା ନାନା ପାଟେକରଙ୍କ ଉପରେ ଏବେ ମି ଠୁ ଚଡ଼କ ପଡ଼ିଛି। ମି ଠୁ ଆନ୍ଦୋଳନରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ତାଙ୍କ ଅଡୁଆ ବଢ଼ିବାେର ଲାଗିଛି। ଏଥିଯୋଗୁ ତାଙ୍କୁ ଅନେକ ଫିଲ୍ମ ହାତଛଡ଼ା କରିବାକୁ ପଡ଼ିବା ଆଶଙ୍କା ରହିଛି। ତେବେ ସଦ୍ୟତମ ଖବର ମୁତାବକ ‘ହାଉସ୍ଫୁଲ୍ ୪’ ଚଳଚ୍ଚିତ୍ରରୁ ନାନାଙ୍କୁ ବାଦ୍ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ‘ବାହୁବଳୀ’ ଷ୍ଟାର୍ ରାଣା ଡଗୁବଟିଙ୍କୁ ନିଆଯିବ ବୋଲି ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମରୁ କେବଳ ନାନା ବାହାରି ନାହାନ୍ତି। ଫିଲ୍ମର ନିର୍ଦ୍ଦେଶନାରୁ ମଧ୍ୟ ସାଜିଦ୍ ଖାନ୍ଙ୍କୁ ହଟାଯାଇଛି। ସାଜିଦ୍ଙ୍କ ବିରୋଧରେ ଏକାଧିକ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଫିଲ୍ମରୁ ସେ ବାହାରି ଯାଇଛନ୍ତି।
ଅନ୍ୟପକ୍ଷରେ ବିଶିଷ୍ଟ ଲେଖକ ଚେତନ୍ ଭଗତ୍ଙ୍କୁ ଲେଖିକା ଇରା ତ୍ରିବେଦୀ ଲିଗାଲ୍ ନୋଟିସ୍ ପଠାଇଛନ୍ତି। ତ୍ରିବେଦୀ କହିଛନ୍ତି ଯେ ଚେତନ୍ ଭଗତ୍ ଅକ୍ଟୋବର ୧୫ରେ ସୋସିଆଲ୍ ମିଡିଆରେ ଯେଉଁ ସ୍କ୍ରିନ୍ ସଟ୍ ମେସେଜ୍ ଛାଡ଼ିଥିଲେ, ତାହା ପୂର୍ଣ୍ଣାଙ୍ଗ ନୁହେଁ। େସ ଏଥିରେ କିଛି ପରିବର୍ତ୍ତନ କରିଛନ୍ତି।
ନୂଆଦିଲ୍ଲୀ: ଦେଶବ୍ୟାପୀ ଏବେ ‘ମି ଠୁ’ ଝଡ଼ ଲାଗି ରହିଛି। ପ୍ରତ୍ୟହ ବିଭିନ୍ନ କ୍ଷେତ୍ରରୁ କେହି ନା’କେହି ‘ମି ଠୁ’ ଅଭିଯାନରେ ସାମିଲ ହୋଇ ନିଜ ବିରୋଧରେ ହୋଇଥିବା ଅନ୍ୟାୟ ବିରୋଧରେ ମୁହଁ ଖୋଲୁଛନ୍ତି। ଆଜି ଏନେଇ ସୁପ୍ରିମକୋର୍ଟରେ ଏକ ପିଆଇଏଲ୍ ଦାଖଲ ହୋଇଛି। ଆଇନଜୀବୀ ଏମ୍ଏଲ ଶର୍ମା ଏହି ପିଆଇଏଲ୍ ଦାଖଲ କରିଛନ୍ତି। ସୋସିଆଲ ମିଡିଆରେ ଯେଉଁ ପୀଡ଼ିତାମାନେ ଅଭିଯୋଗ ଆଣୁଛନ୍ତି, ତାହାକୁ ଭିତ୍ତିକରି ମାମଲା ରୁଜୁ ହେଉ ବୋଲି ଆଇନଜୀବୀ ତାଙ୍କ ପିଆଇଏଲ୍ରେ ଦର୍ଶାଇଛନ୍ତି। କୋର୍ଟ ସ୍ବାଭାବିକ ପ୍ରକ୍ରିୟାରେ ପିଆଇଏଲ୍ ଉପରେ ଶୁଣାଣି ହେବ ବୋଲି କହିଛନ୍ତି।