ନୂଆଦିଲ୍ଲୀ : କେନ୍ଦ୍ର ପରିସଂଖ୍ୟାନ ଓ ‌ଯୋଜନା କ୍ରିୟାନ୍ବୟନ ମନ୍ତ୍ରାଳୟ ପକ୍ଷରୁ ବିଂଶସୂତ୍ରୀ କାର୍ଯ୍ୟକ୍ରମ-୨୦୦୬ର ପ୍ରଗତି ରିପୋର୍ଟ ପ୍ରକାଶ କରାଯାଇଛି। ୨୦୨୨ ଏପ୍ରିଲ୍‌ରୁ ଡିସେମ୍ବର ମଧ୍ୟରେ ବିଭିନ୍ନ ଯୋଜନାର ଅଗ୍ରଗତି ଏଥିରେ ସ୍ଥାନପାଇଛି। ଓଡ଼ିଶା ସମ୍ବନ୍ଧରେ ଏଥିରେ କୁହାଯାଇଛି ଯେ ଏହି ସମୟ ମଧ୍ୟରେ ରାଜ୍ୟରେ ମନରେଗା ଯୋଜନାରେ ୫,୬୫,୩୧୮ ଜବ୍ କାର୍ଡ ଜାରି କରାଯାଇଥିଲା। ୧୫.୧୨ କୋଟି ରୋଜଗାର ସୃଷ୍ଟି କରାଯାଇ ମଜୁରି ବାବଦରେ ୨୯୦୮.୯ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।

Advertisment

ଉପରୋକ୍ତ ସମୟ ମଧ୍ୟରେ ଓଡ଼ିଶାରେ ଜାତୀୟ ଗ୍ରାମୀଣ ଜୀବିକା ନିର୍ବାହ ମିସନ (ଏନ୍‌ଆର୍‌ଏଲ୍‌ଏମ୍‌)ର ପ୍ରଦର୍ଶନ ଉତ୍ତମ ଥିଲା। ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ସଫଳତା ମିଳିଛି। ଖାଦ୍ୟ ସୁରକ୍ଷା ପାଇଁ କାର୍ଯ୍ୟକାରୀ ସାର୍ବଜନିକ ବିତରଣ ଯୋଜନାରେ ଓଡ଼ିଶାର ପ୍ରଦର୍ଶନ ମଧ୍ୟ ଭଲ ଥିଲା। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ସଫଳତା ଆଦୌ ସନ୍ତୋଷଜନକ ନଥିଲା। ନିର୍ଦ୍ଧାରିତ ୩,୬୦,୩୧୫ ଆବାସରୁ କେବଳ ୨୩,୬୦୭ ଆବାସ ନିର୍ମାଣ ହୋଇଥିଲା। ଉପରୋକ୍ତ ସମୟରେ ରାଜ୍ୟରେ ଆଇସିଡିଏସ୍‌ ଓ ସାର୍ବଜନିକ ଯୋଜନାରେ ଶତ ପ୍ରତିଶତ ସଫଳତା ହାସଲ ହୋଇଥିଲା। ତେବେ ଓଡ଼ିଶାରେ ସର୍ବସାଧାରଣ ଓ ଜଙ୍ଗଲ ଜମିରେ ବନୀକରଣ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ପଛରେ ରହିଛି। ଧାର୍ଯ୍ୟ ୯୫,୪୦୦ ହେକ୍ଟର ଜମିରୁ କେବଳ ୪୫,୬୪୩ ହେକ୍ଟର ଜମିରେ ବନୀକରଣ ହୋଇଛି। ବିଦ୍ୟୁତ ‌ଯୋଗାଣ ଚାହିଦା ୩୩,୨୦୫ ନିୟୁତ ୟୁନିଟ ଥିବାବେଳେ ୩୩,୧୬୦ ନିୟୁତ ୟୁନିଟ ଯୋଗାଣ ହୋଇଥିବା ରିପୋର୍ଟରେ କୁହାଯାଇଛି।