ସମସ୍ତଙ୍କ ପାଇଁ ବାସଗୃହ ଅଭିଯାନ: ୨୦୨୨ ମାର୍ଚ ସୁଦ୍ଧା ୧୨୨.୬୯ ଲକ୍ଷ ଘର ମଞ୍ଜୁର ହୋଇଛି

୧୦୨.୨୩ ଲକ୍ଷ ବାସଗୃହ ନିର୍ମାଣାଧୀନ ଥିବାବେଳେ ୬୧.୫୦ଲକ୍ଷ ହିତାଧିକାରୀଙ୍କୁ ହସ୍ତାନ୍ତର ହୋଇଛି

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ଏକ ଲିଖିତ ଉତ୍ତରରେ ଲୋକସଭାକୁ ଜଣାଇଛନ୍ତି ଯେ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (ପିଏମ୍‌ଏୱାଇ-ୟୁ) ଅଧୀନରେ ସମସ୍ତଙ୍କ ପାଇଁ ଗୃହ ଅଭିଯାନ ୨୦୧୫ ଜୁନ ୨୫ଠାରୁ ତ୍ୱରାନ୍ୱିତ କରିଆସୁଛନ୍ତି। ଏହା ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସମସ୍ତ ସହରାଞ୍ଚଳ ହିତାଧିକାରୀଙ୍କୁ ସବୁଦିନିଆ ପକ୍କା ଆବାସ ପ୍ରଦାନ କରାଯାଉଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ପ୍ରକଳ୍ପ ପ୍ରସ୍ତାବକୁ ଭିତ୍ତିକରି ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଅଭିଯାନ ଅଧୀନରେ ୧୨୨.୬୯ ଲକ୍ଷ ଘର ମଞ୍ଜୁର କରାଯାଇଛି। ମଞ୍ଜୁର ହୋଇଥିବା ଆବାସଗୁଡିକ ମଧ୍ୟରୁ ୧୦୨.୨୩ ଲକ୍ଷ ଆବାସର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ, ସେଥିରୁ ୬୧.୫୦ ଲକ୍ଷ ସମ୍ପୂର୍ଣ୍ଣ ହୋଇଛି ବା ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।

ପିଏମଏୱାଇ-ୟୁ ଅଧୀନରେ ଗତ ଚାରିବର୍ଷ ଓ ଚଳିତବର୍ଷ ମୋଟ ୮୯,୯୦,୮୩୮ ବାସଗୃହ ମଞ୍ଜୁର ହୋଇଥିବା ବେଳେ ୭୮,୯୨,୩୬୧ ନିର୍ମାଣକାର୍ଯ୍ୟ ହାତକୁ ନିଆଯାଇ ସେଥିରୁ ୫୪,୦୮,୦୮୬ ସମ୍ପୂର୍ଣ୍ଣ ହୋଇଛି ଓ ୪୮,୬୬,୩୦୬ ଆବଣ୍ଟନ ଓ ହିତାଧିକାରୀଙ୍କ ଦ୍ୱାରା ଅଧିକୃତ ହୋଇଛି। ଯୋଜନା ଅଧୀନରେ ପ୍ରକଳ୍ପର ପରିସମାପ୍ତି ସାଧାରଣତଃ ୧୨ରୁ ୩୬ମାସ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଥାଏ। ୧୨୨.୬୯ଲକ୍ଷ ମଞ୍ଜୁର ହୋଇଥିବା ଆବାସ ମଧ୍ୟରୁ ୪୧ଲକ୍ଷ ଗତ ଦୁଇବର୍ଷ ମଧ୍ୟରେ ମଞ୍ଜୁର ହୋଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ମଞ୍ଜୁର ଆବାସଗୁଡିକର କାର୍ଯ୍ୟ ଶୀଘ୍ର ସାରିବାକୁ ପରାମର୍ଶ ଦିଆଯାଇଛି। ଏହାଫଳରେ ସବିଶେଷ ପ୍ରକଳ୍ପ ବିବରଣୀ ଅନୁସାରେ ଠିକଣା ସମୟରେ ଆବାସ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର