ଆବାସ ଯୋଜନା: ଓଡ଼ିଶାରୁ ୬୭ଟି ଅନିୟମିତତା ଅଭିଯୋଗ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର କ୍ରିୟାନ୍ବୟନରେ ସାରା ଦେଶରୁ ୧୫୭୯ଟି ଅନିୟମିତତା ଅଭିଯୋଗ ହୋଇଛି। ସେଥି ମଧ୍ୟରୁ ଓଡ଼ିଶାର ୬୭ଟି ଅଭିଯୋଗ ରହିଛି। ଉତ୍ତରପ୍ରଦେଶରୁ ସର୍ବାଧିକ ୭୯୭ଟି ଅନିୟମିୟତା ଅଭିଯୋଗ ଆସିଛି। ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସଂକ୍ରାନ୍ତ ବିଜେଡି ସାଂସଦ ଡଃ. ସସ୍ମିତ ପାତ୍ରଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଂଜନା ଜ୍ୟୋତି। ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଯୋଜନା ଅଧୀନରେ ଓଡ଼ିଶାରେ ୨୦୧୬-୧୭ ରେ ୪୪୩ , ୨୦୧୭-୧୮ ରେ ୪ ଲକ୍ଷ ୩୧ ହଜାର ୬୭୦, ୨୦୧୮-୧୯ ରେ ୪ ଲକ୍ଷ ୩ ହଜାର ୧୨୮, ୨୦୧୯-୨୦ ରେ ୩ ଲକ୍ଷ ୬୧ ହଜାର ୧୮୮ ଓ ୨୦୨୦-୨୧ରେ ୩ ଲକ୍ଷ ୯୫ ହଜାର ୧୧୦ ଆବାସ ନିର୍ମାଣ ହୋଇଛି।

ଆଦିବାସୀ ସଂଗ୍ରାମୀ ସଂଗ୍ରହାଳୟ ପ୍ରତିଷ୍ଠା ଲାଗି ପ୍ରସ୍ତାବ ଆସିନାହିଁ
ଝାରସୁଗୁଡ଼ା ଓ ବରଗଡ଼ର ଆଦିବାସୀ ସ୍ବାଧୀନତା ସଂଗ୍ରାମୀମାନଙ୍କ ପାଇଁ ସଂଗ୍ରହାଳୟ ପ୍ରତିଷ୍ଠା ନେଇ ଓଡ଼ିଶା ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ। ଆଜି ଲୋକସଭାରେ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂହ ସାରୁତା ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ଲୋକସଭାରେ ବିଜେପି ସାଂସଦ ସୁରେଶ ପୂଜାରୀ ଏ ସଂପର୍କରେ ଏକ ପ୍ରଶ୍ନ ପଚାରିଥିଲେ। ଆଦିବାସୀ ଅନୁସନ୍ଧାନ ସଂସ୍ଥାଗୁଡ଼ିକୁ ସହାୟତା ଅନ୍ତର୍ଗତ ରାଜ୍ୟ ଅନୁସୂଚିତ ଜାତି କଲ୍ୟାଣ ବିଭାଗ ଇଂରେଜ ବିରୁଦ୍ଧରେ ସଂଘର୍ଷ କରିଥିବା ଜନଜାତି ଲୋକଙ୍କ ବୀରତ୍ବ ଓ ଦେଶଭକ୍ତିର କାର୍ଯ୍ୟକୁ ମାନ୍ୟତା ଦେବା ଲାଗି ସ୍ବାଧୀନତା ସଂଗ୍ରାମୀ ସଂଗ୍ରହାଳୟ ସ୍ଥାପନ ପାଇଁ ବଜେଟ୍‌ ବ୍ୟବସ୍ଥା ସହିତ ମନ୍ତ୍ରାଳୟ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଥାନ୍ତି ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି।

ସଂରକ୍ଷିତ ସ୍ମାରକର ସଂରକ୍ଷଣ ପାଇଁ ୩୦.୩୭ କୋଟି
ଓଡ଼ିଶାକୁ ଗତ ୫ ବର୍ଷ ( ୨୦୧୬-୧୭ ରୁ ୨୦୨୦-୨୧ ) ମଧ୍ୟରେ ସଂରକ୍ଷିତ ସ୍ମାରକଗୁଡ଼ିକର ସଂରକ୍ଷଣ, ମରାମତି, ବୈଜ୍ଞାନିକ ରକ୍ଷଣାବେକ୍ଷଣ ଓ ପରିବେଶ ବିକାଶ ପାଇଁ କେନ୍ଦ୍ର ସରକାର ୩୦୩୭.୯୨ ଲକ୍ଷ ଟଙ୍କା ଆବଣ୍ଟନ କରିଛନ୍ତି। ଆଜି ଲୋକସଭାରେ ବିଜେପି ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡୀ। କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଓଡ଼ିଶାର ୭୩ଟି ସ୍ମାରକ ପାଇଁ ଆବଣ୍ଟନର ପୂର୍ଣ୍ଣାଙ୍ଗ ବିବରଣୀ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର