ତେଲ୍‌ ଅବିବ୍‌: ଇସ୍ରାଏଲର ବେନ୍‌ ଗୁରିଅନ ବିମାନବନ୍ଦର ନିକଟରେ ଆଜି ୟେମେନରୁ ନିକ୍ଷେପ ହୋଇଥିବା କ୍ଷେପଣାସ୍ତ୍ର ମାଡ଼ ହୋଇଛି। କ୍ଷେପଣାସ୍ତ୍ର ମାଡ଼ରେ ୪ ଜଣ ଗୁରୁତର ‌ହୋଇଥିବା ଜଣାପଡ଼ିଛି। ୟେମେନରେ ଇରାନ ସମର୍ଥିତ ବିଦ୍ରୋହୀ ଗୋଷ୍ଠୀ ହୁତି ଏହି କ୍ଷେପଣାସ୍ତ୍ର ମାଡ଼ କରିଛି। ଗାଜାରେ ଇସ୍ରାଏଲର ନରସଂହାରକୁ ବିରୋଧ କରି ହୁତି ଏହି ଆକ୍ରମଣ କରିଛି ବୋଲି ଦାବି କରିଛି। ଏହି ଆକ୍ରମଣ ପାଇଁ ହୁତି ବିଦ୍ରୋହୀ ଗୋଷ୍ଠୀ ନିଜକୁ ଦାୟୀ କରିଛି। ହୁତି ପ୍ରବକ୍ତା ୟାହୟା ସାରୀ କହିଛନ୍ତି, ବିମାନବନ୍ଦରକୁ ଶବ୍ଦଠାରୁ ଅଧିକ ଗତିରେ ଯାଉଥିବା ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଆମେରିକା ଓ ଇସ୍ରାଏଲର ପ୍ରତିରକ୍ଷା ବ୍ୟବସ୍ଥା ଏହାକୁ ରୋକିବାରେ ବିଫଳ ହୋଇଛି ବୋଲି ସେ କହିଛନ୍ତି। 

Advertisment

୪ ଜଣ ଆହତ
ଜରୁରୀ ବୈଠକ ଡାକିଲେ ନେତ୍ୟାନ୍ୟାହୁ
ତେଲ୍‌ ଅବିବ୍‌କୁ ୨ ଦିନ ପାଇଁ ଏୟାର ଇଣ୍ଡିଆର ବିମାନ ବାତିଲ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହୁତି ଉପରେ ପୁନର୍ବାର ଆକ୍ରମଣ କରାଯିବ ବୋଲି କହିଛନ୍ତି। ପୂର୍ବରୁ ଆମେ ଆକ୍ରମଣ କରିଥିଲୁ ଏବଂ ଆଗାମୀ ଦିନରେ ଆକ୍ରମଣ କରିବୁ। ତେବେ ବିସ୍ତୃତ ଭାବେ ଏ ସଂପର୍କରେ କିଛି କୁହାଯାଇ ପାରିବ ନାହିଁ। ଯୁକ୍ତରାଷ୍ଟ୍ର ଆମେରିକା ଆମ ସହ ମିଶି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛୁ ବୋଲି ନେତାନ୍ୟାହୁ କହିଛନ୍ତି। ଗାଜାରେ ହମାସକୁ ସମର୍ଥନ କରି ହୁତି ନିୟମିତ ଭାବେ ଇସ୍ରାଏଲ ଉପ‌ରେ କ୍ଷେପଣାସ୍ତ୍ର ମାଡ଼ କରିଆସୁଛି। କିନ୍ତୁ ଇସ୍ରାଏଲର ବିମାନବନ୍ଦର ନିକଟରେ କ୍ଷେପଣାସ୍ତ୍ର ମାଡ଼ ହେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।  ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଏନେଇ ଏକ ବିବୃତି ଜାରି କରି କହିଛନ୍ତି ଯେ ଆମ ଉପରେ ‌ଯେଉଁମାନେ ଆକ୍ରମଣ କରିବେ ଆମେ ସେମାନଙ୍କ ଉପରେ ୭ ଗୁଣା ଅଧିକ ଶକ୍ତିଶାଳୀ ଆକ୍ରମଣ କରିବୁ।

ବିମାନବନ୍ଦର ନିକଟରେ କ୍ଷେପଣାସ୍ତ୍ର ମାଡ଼ ହେବା ଫଳରେ ବିମାନବନ୍ଦରରେ କିଛି ସମୟ ପାଇଁ ବିମାନ ଚଳାଚଳ ବନ୍ଦ ରହିଥିଲା। ପରେ ବିମ‌ାନ ଚଳାଚଳ ସ୍ବାଭାବିକ ହୋଇଛି। ଉକ୍ତ ଘଟଣାର ଜବାବ ଦେବାପାଇଁ କେଉଁ ପଦକ୍ଷେପ ଗ୍ରହଣ କରାଯିବ ସେନେଇ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମନ୍ତ୍ରୀ ଏକ ଜରୁରୀ ବୈଠକ ଡାକି ପ୍ରତିରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଇସ୍ରାଏଲ ବିମାନ ବନ୍ଦର ନିକଟରେ ଆକ୍ରମଣ ଯୋଗୁଁ ଆଜି ଏୟାର ଇଣ୍ଡିଆ ଇସ୍ରାଏଲ ରାଜଧାନୀ ତେଲ ଅବିବ୍‌କୁ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବିମାନ ବାତିଲ କରିଛି।  ଆଜି ସକାଳେ ବେନ୍‌ ଗୁରିଅନ ବିମାନବନ୍ଦର ନିକଟରେ ଆକ୍ରମଣ ହେବାପରେ ଦିଲ୍ଲୀରୁ ତେଲ ଅବିବ୍‌କୁ ଯାଉଥିବା ଏକ ବିମାନର ଦିଗ ପରିବର୍ତ୍ତନ କରାଯାଇ ଆବୁଧାବିକୁ ପଠାଇ ଦିଆଯାଇଛି।