ୱାଶିଂଟନ: ଶେଖ ହସିନାଙ୍କ ସରକାରଙ୍କୁ କିପରି କ୍ଷମତାଚ୍ୟୁତ କରାଗଲା? ଏକ ଛୋଟ ଛାତ୍ର ଆନ୍ଦୋଳନ କିପରି ଏତେ ବଡ଼ ହେଲା ଯେ ଜଣେ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀଙ୍କୁ ଦେଶ ଛାଡି ପଳାଇଯିବାକୁ ପଡିଲା? ଲିକ୍ ହୋଇଥିବା ଗୁପ୍ତଚର ଦଲିଲଗୁଡ଼ିକ ଏ ବାବଦରେ ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ଆମେରିକାର ନିର୍ଦ୍ଦେଶରେ ଏହା ଘଟିଛି।
ଏନେଇ ଯୋଜନା କେବଳ ଗୋଟିଏ କିମ୍ବା ଦୁଇ ଦିନ ନୁହେଁ ମାସମାସ ଧରି ଚାଲିଥିଲା। ରାପର୍ ଏବଂ ସମଲିଙ୍ଗୀ ବ୍ୟକ୍ତିମାନେ ଏଥିପାଇଁ ସଠିକ୍ ତାଲିମ ପ୍ରାପ୍ତ ହୋଇଥିଲେ। ଏକ ତାଲିମପ୍ରାପ୍ତ 'ସେନା' ସୃଷ୍ଟି କରାଯାଇଥିଲା। ଏପରିକି ଟ୍ରାନ୍ସଜେଣ୍ଡର ନୃତ୍ୟ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ଏହି ରିପୋର୍ଟକୁ ପ୍ରସିଦ୍ଧ ଲେଖକ ତସଲିମା ନାସିରିନ୍ ସେୟାର କରିଛନ୍ତି।
ଅନ୍ତର୍ଜାତୀୟ ସମ୍ପର୍କ ଉପରେ କାର୍ଯ୍ୟ କରୁଥିବା ଏକ ସଂଗଠନ 'ଗ୍ରେଜୋନ୍' ଆମେରିକାର ବୈଦେଶିକ ବିଭାଗର ଲିକ୍ ଡକ୍ୟୁମେଣ୍ଟଗୁଡିକରୁ ତଥ୍ୟ ଉଦ୍ଧୃତ କରି ଅନେକ ସମ୍ବେଦନଶୀଳ ରିପୋର୍ଟ ପ୍ରକାଶ କରିଛି। 'ଗ୍ରେଜୋନ୍' ଅନୁଯାୟୀ, ଏହି ଦଲିଲଗୁଡ଼ିକ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଶେଖ ହାସିନା ସରକାରଙ୍କୁ ଅସ୍ଥିର କରିବା ଦାୟିତ୍ବ ଆମେରିକାର ବୈଦେଶିକ ବିଭାଗ ଅନ୍ତର୍ଜାତୀୟ ରିପବ୍ଲିକାନ ଇନଷ୍ଟିଚ୍ୟୁଟ (ଆଇଆରଆଇ)କୁ ପ୍ରଦାନ କରାଯାଇଥିଲା। ଆଇଆରଆଇ ହେଉଛି ରିପବ୍ଲିକାନ୍ ପାର୍ଟିର ଏକ ସଂଗଠନ ନ୍ୟାସନାଲ୍ ଏଣ୍ଡୋମେଣ୍ଟ୍ ଫର୍ ଡେମୋକ୍ରାସିର ଏକ ଶାଖା। ୪୦ ବର୍ଷ ଧରି ଏହା ସମଗ୍ର ବିଶ୍ୱରେ ସରକାରଙ୍କୁ ଅସ୍ଥିର କରିବା କାର୍ଯ୍ୟରେ ନିୟୋଜିତ ଅଛି। ଏହାର ନିୟନ୍ତ୍ରଣ ଡୋର ସିଆଇଏ ୱିଲିୟମ୍ କେସିଙ୍କ ହାତରେ ଅଛି।
ଶେଖ ହାସିନାଙ୍କୁ କ୍ଷମତାରୁ ହଟାଇବା ପାଇଁ ଆଇଆରଆଇ କିପରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ତାହା ଡକ୍ୟୁମେଣ୍ଟରେ ଦର୍ଶାଯାଇଛି। ଏହି ଟଙ୍କା ବାଂଲାଦେଶର ବିରୋଧୀ ଦଳମାନଙ୍କୁ ପ୍ରଦାନ କରାଯାଇଥିଲା। ତାଙ୍କୁ ତାଲିମ ଦିଆଯାଇଥିଲା। ସେମାନଙ୍କୁ କିପରି ବିରୋଧ କରାଯିବ ବୋଲି କୁହାଯାଇଥିଲା। ଏଥିରେ ଯୁବବର୍ଗମାନଙ୍କୁ କିପରି ଜଡିତ କରାଯିବ ସେଥିପାଇଁ ନେଟୱାର୍କ ସୃଷ୍ଟି କରିବାର କାର୍ଯ୍ୟ ମଧ୍ୟ ଆଇଆରଆଇ କରିଥିଲା।
ଅନେକ ରାପର୍ ଏବଂ ବିଭିନ୍ନ ଜାତିର ନେତା ଏବଂ ଏଲଜିବିଟି କାର୍ଯ୍ୟକର୍ତ୍ତା ଏଥିପାଇଁ ତାଲିମ ପ୍ରାପ୍ତ ହୋଇଥିଲେ। ଆମେରିକୀୟ ଦୂତାବାସର ଅଧିକାରୀଙ୍କ ଉପସ୍ଥିତିରେ ଟ୍ରାନ୍ସଜେଣ୍ଡର ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମସ୍ତଙ୍କୁ ବାଂଲାଦେଶରେ କ୍ଷମତା ଦଖଲ କରିବାକୁ କୁହାଯାଇଥିଲା।
ରିପୋର୍ଟରେ ଦର୍ଶାଯାଇଛି, ହସିନାଙ୍କୁ କ୍ଷମତାରୁ ବହିଷ୍କାର କରିବାର ଯୋଜନା ୨୦୧୮ରେ କରାଯାଇଥିଲା। ତା’ପରେ ବିରୋଧ ଆରମ୍ଭ ହୋଇଥିଲା। ଯେତେବେଳେ ଜଣେ ବସ୍ ଡ୍ରାଇଭର ଦୁଇଜଣ ହାଇସ୍କୁଲର ଛାତ୍ରଙ୍କୁ ହତ୍ୟା କରିଥିଲେ। ତା’ପରେ ହଜାର ହଜାର ଯୁବବର୍ଗ ରାସ୍ତାରେ ଓହ୍ଲାଇଥିଲେ। ରାସ୍ତାକୁ ସୁରକ୍ଷିତ କରିବା ପାଇଁ ଦାବି ହୋଇଥିଲା। ଯେତେବେଳେ ସରକାର ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ବିରୋଧ ବଢ଼ିଗଲା। ଏହା ପରେ ହସିନା ସରକାରଙ୍କୁ କଡା ନିୟମ ଲାଗୁ କରିବାକୁ ପଡିଥିଲା।
ଏଠାରେ ହିଁ ଆମେରିକା ଅନୁଭବ କଲା ଯେ ସରକାରଙ୍କୁ ଛାତ୍ରଛାତ୍ରୀଙ୍କ ଶକ୍ତି ଦ୍ବାରା କ୍ଷମତାଚ୍ୟୁତ କରାଯାଇ ପାରିବ। ଏଭଳି ଆନ୍ଦୋଳନ ବାରମ୍ବାର ଘଟିବାକୁ ଲାଗିଲା। ଯଦି ଛାତ୍ରଛାତ୍ରୀଙ୍କ ଉପରେ ସରକାର କଠୋର ହୋଇଥାନ୍ତେ, ତେବେ ବିରୋଧୀ ଦଳମାନେ ଉତ୍ତେଜିତ ହୋଇଥାନ୍ତେ। ସେମାନଙ୍କୁ ବିରୋଧ କରିବାକୁ କୁହାଯାଇଥିଲା। ପରେ ଏହା ବଡ ହୋଇ ଦଙ୍ଗାର ରୂପ ନେଇଥାନ୍ତା। ଶେଖ ହସିନା ସରକାରଙ୍କ ବିରୋଧରେ ଲୋକଙ୍କ କ୍ରୋଧ ବୃଦ୍ଧି ପାଇଲା। ଛାତ୍ର ଏବଂ ଶେଖ ହସିନା ସରକାରଙ୍କ ମଧ୍ୟରେ ହୋଇଥିବା ଏହି ମୁହାଁମୁହିଁ ସ୍ଥିତି ଅଗଷ୍ଟ ୪ରେ ସର୍ବୋଚ୍ଚସ୍ତରରେ ପହଞ୍ଚିଥିଲା ଯେତେବେଳେ ସେନା ହସ୍ତକ୍ଷେପ କରିଥିଲା ଏବଂ ଶେଖ ହସିନାଙ୍କୁ ଦେଶ ଛାଡି ପଳାଇବାକୁ ପଡିଥିଲା।
ଆଇଆରଆଇ ୨୦୦୩ରୁ ଢାକାରେ କାମ କରୁଛି। ଏହା ରାଜନୈତିକ ଦଳ, ଅଧିକାରୀ ଏବଂ ଅନେକ ଲୋକଙ୍କୁ ସାହାଯ୍ୟ କରୁଛି। ସେମାନଙ୍କ ପାଇଁ କୋର୍ଟକୁ ମଧ୍ୟ ଯାଉଛି। ଏହା ଗତ ୨୧ ବର୍ଷରେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଛି ଏବଂ ଏକ ସମ୍ପୂର୍ଣ୍ଣ ଦଳ ଗଠନ କରିଛି। ସଂଗୀତ କଳାକାର ଏବଂ ନୃତ୍ୟ କଳାକାରମାନେ ମଧ୍ୟ ସେମାନଙ୍କଠାରୁ ସାହାଯ୍ୟ ନିଅନ୍ତି। ପରେ, ଏହି ଲୋକଙ୍କ ସାହାଯ୍ୟରେ ଅଶାନ୍ତି ବିସ୍ତାର କରିବାକୁ ଚେଷ୍ଟା କରାଯାଇଥିଲା।
ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ବ୍ୟାପକ ବିରୋଧ ସତ୍ତ୍ବେ ଯେତେବେଳେ ଶେଖ ହସିନାଙ୍କ ଦଳ ୨୦୧୮ରେ ଏକ ବଡ଼ ବିଜୟ ହାସଲ କଲା, ସେତେବେଳେ ଆଇଆରଆଇର ଯୋଜନା ଧୁଳିସାତ୍ ହୋଇଯାଇଥିଲା। ପରେ ଏହା ଏକ ଉପଯୁକ୍ତ ଦଳ ଗଠନ କରିବା ଆରମ୍ଭ କରିଥିଲା। ଅନୁସନ୍ଧାନ ନାମରେ, ୩୦୪ ଜଣ ସୂଚନାଦାତାଙ୍କୁ ସାକ୍ଷାତକାର ନିଆଯାଇଥିଲା। ଏହା ବ୍ୟତୀତ ୪୮ ଜଣିଆ ଏକ ଗୋଷ୍ଠୀର ସାକ୍ଷାତକାର କରାଯାଇଥିଲା। ୧୩ ଜଣଙ୍କୁ ପୃଥକ ଭାବରେ ଡକାଯାଇଥିଲା। ଶେଷରେ ଏହି ଲୋକମାନଙ୍କ ମଧ୍ୟରୁ କେବଳ ୧୭୦ଜଣଙ୍କୁ ମନୋନୀତ କରାଯାଇଥିଲା। ତାଙ୍କୁ ଶେଖ ହସିନାଙ୍କୁ କ୍ଷମତାରୁ ହଟାଇବା ଦାୟିତ୍ବ ଦିଆଯାଇଥିଲା ବୋଲି ରିପୋର୍ଟରେ ପ୍ରକାଶ ପାଇଛି।