ଶୋପିଆଁ ଏନକାଉଣ୍ଟର ଉପରୁ ଉଠିଲା ପରଦା : ୩ ଯୁବକଙ୍କୁ ଅପହରଣ ପରେ ହତ୍ୟା କରି ଏନକାଉଣ୍ଟର ରୂପ ଦେଇଥିଲେ ସେନା ଅଧିକାରୀ !

ଶ୍ରୀନଗର : ଶୋପିଆଁର ନକଲି ଏନକାଉଣ୍ଟର ମାମଲାର ତଦନ୍ତ କରି ଜମ୍ମୁ-କଶ୍ମୀର ପୁଲିସ୍‌ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ପୁଲିସ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିଛି। କିପରି ତିନିଜଣ ଦିନମଜୁରିଅ‌ାଙ୍କୁ ସେନାର ଜଣେ କ୍ୟାପଟେନ୍ ଏବଂ ତାଙ୍କ ସହଯୋଗୀମାନେ ଘଟଣାସ୍ଥଳରୁ ଅପହରଣ କରି ଅତି ନିଷ୍ଠୁର ଭାବେ ଗୁଳି କରି ହତ୍ୟା କରିଥିଲେ, ତାହା ପର୍ଦ୍ଦାଫାସ ହୋଇଛି। ଏହି ଘଟଣା ଉପତ୍ୟକାରେ ସେନାର ଭାବମୂର୍ତ୍ତିକୁ ପ୍ରଭାବିତ କରିଛି।

ଜମ୍ମୁ-କଶ୍ମୀର ପୁଲିସର ଚାର୍ଜସିଟ୍ ଅନୁସାରେ, ତିନି ନିର୍ଦ୍ଦୋଷ ଯୁବକଙ୍କୁ  ସେନାର କ୍ୟାପ୍‌ଟେନ୍ ଭୁପେନ୍ଦ୍ର ସିଂ ଓରଫ୍ ମେଜର୍ ବସୀର ଖାନ୍ ‌ ତାଙ୍କର ଦୁଇ ସହଯୋଗୀଙ୍କ ସହ ମିଶି ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଏକ ଗାଡ଼ିରେ ବସାଇ କିଛି ଦୂରରେ ଥିବା ଏକ ବଗିଚାକୁ ନେଇ ଯାଇଥିଲେ । ଏହାପରେ  ସେ ତିନି ଜଣଙ୍କୁ ଗାଡ଼ିରୁ ଓହ୍ଲାଇ ଚାଲି ଚାଲି ଯିବାକୁ କହିଥିଲେ। ସେମାନେ କିଛି ବୁଝିବା ପୂର୍ବରୁ ହଠାତ୍ ତାଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଯୋଜନାବଦ୍ଧ ହତ୍ୟା ପରେ ସେମାନଙ୍କ ହାତରେ ବେଆଇନ୍‌ ଅସ୍ତ୍ରଶସ୍ତ୍ର ଧରାଇ ଦେଇଥିଲେ । ଏହାପ‌ରେ ଘଟଣାକୁ ଏନକାଉଣ୍ଟରର ଆଖ୍ୟା ଦେଇଥିଲେ। ଯଦିଓ କ୍ୟାପ୍‌ଟେନ୍‌ ଉକ୍ତ ୩ ପୀଡ଼ିତଙ୍କୁ ‘ହାର୍ଡକୋର‌ ଅତଙ୍କବାଦୀ’ ବୋଲି କହିଥିଲେ, ମାତ୍ର ପରେ ସେମାନେ ଜମ୍ମୁ-କଶ୍ମୀରର ରାଜୌରୀର ବାସିନ୍ଦା ବୋଲି ଜଣାପଡ଼ିଥିଲା।

ଆହୁରି ବି ଅଭିଯୋଗ ହୋଇଛି ଯେ କ୍ୟାପ୍‌ଟେନ୍‌ ଓ ତାଙ୍କ ଦୁଇ ସହଯୋଗୀ ପ୍ରମାଣ ନଷ୍ଟ କରିବା ସହ ଅପରାଧକୁ ଲୁଚାଇବା ପାଇଁ ଉଦ୍ଦେଶ୍ୟମୂଳକ ଭାବରେ ମିଥ୍ୟା ତଥ୍ୟ ପ୍ରଦର୍ଶନ କରିଛନ୍ତି। ଚାର୍ଜସିଟ୍‌ରେ ସ୍ପଷ୍ଟ ଉଲ୍ଲେଖ ରହିଛି, କ୍ୟାପ୍‌ଟେନ୍‌ ଏନ୍‌କାଉଣ୍ଟ୍‌ର ନୁହେଁ ବରଂ ୩ ଯୁବକଙ୍କୁ ଅପହରଣ କରି ହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର