୧୮ଶ ଶତାବ୍ଦୀ ବଙ୍ଗ ଗଭର୍ଣ୍ଣର୍‌ ଜେନେରାଲ୍‌ ଓ୍ଵାରେନ୍‌ ହେଷ୍ଟିଙ୍ଗ୍‌ସ୍‌ଙ୍କ ମାମଲା ଭଳି ବିଚାର ହେବ ଟ୍ରମ୍ପ୍‌ ବିରୋଧରେ ଆଗତ ମହାଭିଯୋଗ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ବିରୋଧରେ ଆଗତ ମହାଭିଯୋଗ ବିଚାର ଅନୁମୋଦନ କରିବା ବେଳେ ସିନେଟ୍‌ ହାଉସ୍‌ର ମ୍ୟାନେଜର୍‌ ୧୮ଶ ଶତାବ୍ଦୀ ବଙ୍ଗ ଗଭର୍ଣ୍ଣର୍‌ ଜେନେରାଲ୍‌ ଓ୍ଵାରେନ୍‌ ହେଷ୍ଟିଙ୍ଗ୍‌ସ୍‌ଙ୍କ ସମେତ କେତେଗୁଡ଼ିଏ ମାମଲାର ଦୃଷ୍ଟାନ୍ତ ଦେଇଛନ୍ତି।

ଭାରତରେ ବ୍ରିଟିସ୍‌ ଶାସନର ଅନ୍ୟତମ ସ୍ଥପତି ଥିଲେ ଓ୍ଵାରେନ୍‌ ହେଷ୍ଟିଙ୍ଗ୍‌ସ୍‌। କିନ୍ତୁ, ୧୭୮୫ରେ ଇସ୍ତଫା ଦେଇ ଇଂଲଣ୍ଡ୍‌ ଫେରିଯିବା ପରେ, ଭାରତରେ କ୍ଷମତାସୀନ ଥାଇ ସେ କରିଥିବା ଅପରାଧ ଓ ପ୍ରମାଦ ନିମନ୍ତେ ମହାଭିଯୋଗର ସରବ୍ୟ ହୋଇଥିଲେ। ବ୍ରିଟିସ୍‌ ପାର୍ଲାମେଣ୍ଟ୍‌ର ‘ହାଉସ୍‌ ଅଫ୍‌ କମନ୍‌ସ୍‌’ରେ ତାଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବର ବିଚାର ହୋଇଥିଲା।

ତାଙ୍କ ବିରୋଧରେ ପୋଡ଼ାଜଳା, ବଳପୂର୍ବକ ଅର୍ଥ ଆଦୟ ଏବଂ ଟିକସ ଆଦାୟକାରୀ ମହାରାଜା ନନ୍ଦକୁମାରଙ୍କୁ ହତ୍ୟା କରାଯିବା ଭଳି ଅଭିଯୋଗ ଆଗତ ହୋଇଥିଲା। ନନ୍ଦ କୁମାରଙ୍କୁ ହତ୍ୟା କରାଯିବା ସେ ସମୟର ବଡ଼ ରାଜନୈତିକ କେଳେଙ୍କାରୀ ଘଟଣା ଥିଲା। କିନ୍ତୁ, ପରେ ଅବଶ୍ୟ ଓ୍ଵାରେନ୍‌ ହେସ୍‌ଷ୍ଟିଙ୍ଗ୍‌ସ୍‌ ଦୋଷମୁକ୍ତ ହୋଇଥିଲେ।

Image Courtesy of The Financial Express

ଡିମୋକ୍ରାଟ୍‌ ସିନେଟର୍‌ ଜେମି ରସ୍‌କିନ୍‌ କହିଲେ ଯେ, ମହାଭିଯୋଗକୁ ସମର୍ଥନ କରିଥିବା କାରଣରୁ ଆମେରିକୀୟ ସମ୍ବିଧାନ ନିର୍ମାତାମାନେ ଓ୍ଵାରେନ୍‌ ହେଷ୍ଟିଙ୍ଗ୍‌ସ୍‌ଙ୍କ ମାମଲାକୁ ଦୃଷ୍ଟାନ୍ତ ଭାବେ ଗ୍ରହଣ କରିଥିଲେ।

ସେହିଭଳି, କ୍ୟାପିଟଲ୍‌ ହିଲ୍‌ ଅକ୍ତିଆର କରିବା ଘଟଣାରେ ଟ୍ରମ୍ପ୍‌ ଉତ୍ତ୍ୟକ୍ତ ଜନତାଙ୍କୁ ଉସ୍କାଇଥିବା ଘଟଣାର ବିଚାର କରାଯିବ। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ଙ୍କ ବିଜୟକୁ ସ୍ୱୀକୃତି ଦେବା ନିମନ୍ତେ କଂଗ୍ରେସ ଅଧିବେଶନ ଚାଲିଥିବା ବେଳେ କ୍ୟାପିଟଲ୍‌ ଅଟ୍ଟାଳିକା ପାଖରେ ସମବେତ ହେବାକୁ ଟ୍ରମ୍ପ୍‌ ତାଙ୍କ ସମର୍ଥକମାନଙ୍କୁ ଆହ୍ଵାନ କରିଥିଲେ।

ଏହାଛଡ଼ା, ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ସ୍ୱୀକାର କରିବାକୁ ମଧ୍ୟ ଟ୍ରମ୍ପ୍‌ ଅଗ୍ରାହ୍ୟ କରିଥିଲେ। ଆସନ୍ତା ସପ୍ତାହରେ ଟ୍ରମ୍ପ୍‌ଙ୍କ ମହାଭିଯୋଗ ବିଚାର ଶେଷ ହେବାର ସମ୍ଭାବନା ରହିଛି। ତାଙ୍କ ବିରୋଧରେ ମହାଭିଯୋଗ ବିଚାର ଲାଗି ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ସିନେଟ୍‌ ଭୋଟ୍‌ ଦେଇଛି।

ସମ୍ବନ୍ଧିତ ଖବର