ଲକ୍ଷ୍ନୌ: ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ଅନୁପ୍ରବେଶ କରି ଇସ୍ରାଏଲୀ ନାଗରିକଙ୍କୁ ହତ୍ୟା କରିବା ସହ ଶତାଧିକ ନାଗରିକଙ୍କୁ ପଣବନ୍ଦୀ କରିନେଇଛନ୍ତି। ଏହି ଭୟଙ୍କର ଆକ୍ରମଣର ବିଭିନ୍ନ ଭିଡିଓ ଏବେ ଭାଇରାଲ୍‌ ହେଉଛି। ଏପର୍ଯ୍ୟନ୍ତ ୩୬୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଭାରତୀୟ ସେଠାରେ ଫସି ରହିଛନ୍ତି। ତେବେ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଅପରେସନ ଅଜୟ ଆରମ୍ଭ କରିଥିବା ବେଳେ ଏବେ ୟୁପିର ଏକ ପରିବାର ନିଜ ପୁଅ-ବୋହୂଙ୍କୁ ଫେରାଇ ଆଣିବାକୁ ଗୁହାରି କରିଥିବା ସାମ୍ନାକୁ ଆସିଛି।

Advertisment

ଉତ୍ତରପ୍ରଦେଶର ମିରଟରେ ରହୁଥିବା ଓମବୀର ରନ୍ଧାୱା(୭୦) ନିଜ ପୁଅ ମୋହିତ, ବୋହୂ ଜୟଦୀପ କୌର ଓ ନାତୁଣୀ କିରତଙ୍କୁ ଫେରାଇ ଆଣିବାକୁ ୟୁପି ସରକାରଙ୍କୁ ଗୁହାରି କରିଛନ୍ତି। ଇସ୍ରାଏଲ ଏବେ ଯୁଦ୍ଧକ୍ଷେତ୍ର ପାଲଟିଥିବା ବେ‌ଳେ କେତେବେଳେ କାହାର ଯେ ଜୀବନ ଚାଲିଯିବ ତାହା କହିବା ଅସମ୍ଭବ ହେଲାଣି। ଏମଧ୍ୟରେ ପୁଅ, ବୋହୂ ଓ ନାତୁଣୀର ସୁରକ୍ଷା କଥା ଚିନ୍ତା କରି କରି ଓମବୀର ଓ ତାଙ୍କ ପତ୍ନୀ ନିଦ ଭୁଲି ସାରିଥିବା କହିଛନ୍ତି।

ଓମବୀରଙ୍କ କହିବା ମୁତାବକ, ପୁଅ ଆଇଆଇଟି ରୁର୍କିରୁ ପିଏଚଡି କରିବା ପରେ ଇସ୍ରାଏଲକୁ ଡାକ୍ତରୀ ପରବର୍ତ୍ତୀ ଅଧ୍ୟୟନ ପାଇଁ ଯାଇଥିଲା। ପ୍ରଥମେ ସେ ଏକା ରହୁଥିବା ବେଳେ କିଛି ଦିନ ତଳେ ପତ୍ନୀ ଓ ଝିଅକୁ ଇସ୍ରାଏଲ ନେଇଥିଲା। ହେ‌ଲେ ଏଭଳି ହଠାତ୍ ଯୁଦ୍ଧ ଆରମ୍ଭ ହେବ ବୋଲି କାହାକୁ ଜଣାନଥିଲା। ଏବେ ସେମାନେ ନିଜ ଘରେ କବାଟ ବନ୍ଦ କରି ରହିବାକୁ ବାଧ୍ୟ ହୋଇଛନ୍ତି। ମୋହିତ ଏପ୍ରିଲରେ ଆସି ମେ’ରେ ପରିବାର ସହ ଇସ୍ରାଏଲ ଚାଲିଯାଇଥିଲା। ଅକ୍ଟୋବର ୧୨ରେ ସେ ପୁଣି ଭାରତ ଆସିବେ ବୋଲି ଟିକେଟ କାଟିଥିଲେ ବି ଯୁଦ୍ଧ ପାଇଁ ସବୁ ବିମାନ ବନ୍ଦ ହୋଇଯାଇଛି।