ବେଙ୍ଗାଲୁରୁ: ଭାରତର ପ୍ରଥମ ସୌର ମିସନ ଆଦିତ୍ୟ-ଏଲ୍୧ ଶନିବାର ସଫଳତାର ସହ ଉତ୍କ୍ଷେପିତ ହୋଇଛି। ସତୀଶ ଧାବନ ମହାକାଶ କେନ୍ଦ୍ରର ଦ୍ବିତୀୟ ଲଞ୍ଚ୍ ପ୍ୟାଡ୍ରୁ ଇସ୍ରୋ ମହାକାଶକୁ ପଠାଇଥିବା ଏହି ଯାନ ସୂର୍ଯ୍ୟ ଅଭିମୁଖେ ଗତି କରୁଛି। ତେବେ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଅବତରଣ କଲା ପରି ଏହା କ’ଣ ସୂର୍ଯ୍ୟଙ୍କୁ ସ୍ପର୍ଶ କରିବ? ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବାକୁ ବାହାରିଥିବା ଏହି ଇସ୍ରୋ-ପ୍ରେରିତ ଯାନ ସୂର୍ଯ୍ୟଙ୍କର କେତେ ନିକଟକୁ ଯିବ? ଆସନ୍ତୁ ଜାଣିବା ସେ ବିଷୟରେ ଇସ୍ରୋର ବୈଜ୍ଞାନିକମାନଙ୍କ ନିକଟରୁ। ଆଦିତ୍ୟ-ଏଲ୍୧ ସୂର୍ଯ୍ୟଙ୍କଠାରୁ ୧୪୮.୫ ନିୟୁତ କିମି ଦୂରରେ ରହିବ। ଆଦିତ୍ୟ-ଏଲ୍୧ ସୂର୍ଯ୍ୟପୃଷ୍ଠରେ ଅବତରଣ କରିବ ନାହିଁ ବା ସୂର୍ଯ୍ୟଙ୍କୁ ସ୍ପର୍ଶ କରିବ ନାହିଁ। ଏଲ୍୧ ହେଉଛି ଏକ ସ୍ବତନ୍ତ୍ର ସ୍ଥାନ, ଯେଉଁଠି ରହି ପୃଥିବୀ ସହ ସୂର୍ଯ୍ୟଙ୍କୁ ପରିକ୍ରମା କରିବା ପାଇଁ ଆଦିତ୍ୟ-ଏଲ୍୧କୁ ବିଶେଷ ଇନ୍ଧନର ଆବଶ୍ୟକତା ପଡ଼ିବ ନାହିଁ। ମିଳିତ ମାଧ୍ୟାକର୍ଷଣ ଶକ୍ତିରେ ହିଁ ସନ୍ତୁଳିତ ଅବସ୍ଥାରେ ରହି ଏହା ପୃଥିବୀ ଓ ସୂର୍ଯ୍ୟଙ୍କୁ ପରିକ୍ରମା କରିବା ସହ ବିନା ବାଧାରେ ନିରବଚ୍ଛିନ୍ନଭାବେ ନିରୀକ୍ଷଣ କରିବ। ଇସ୍ରୋର ପୂର୍ବତନ ବୈଜ୍ଞାନିକ ମନୀଷ ପୁରୋହିତଙ୍କ କହିବା ଅନୁସାରେ, ଏଲ୍୧ ହେଉଛି ଏକ ‘ରଣନୀତିକ ସ୍ଥାନ’, ଯେଉଁଠାରୁ ଆଦିତ୍ୟ-ଏଲ୍୧ ସୂର୍ଯ୍ୟଙ୍କ ଗତିବିଧି ଅନୁଧ୍ୟାନ କରିବା ସହ ତଥ୍ୟ ସଂଗ୍ରହ କରି ପୃଥିବୀକୁ ପ୍ରେରଣ କରିବ।
ସୂର୍ଯ୍ୟଙ୍କ ସବୁଠୁ ନିକଟତର ହୋଇଥିବା ମହାକାଶଯାନ
ଆଜିଯାଏ ସୂର୍ଯ୍ୟଙ୍କର ସବୁଠାରୁ ନିକଟତର ହୋଇଥିବା ମହାକାଶଯାନଟି ହେଉଛି ନାସାର ପାର୍କର ସୋଲାର ପ୍ରୋବ୍। ୨୦୧୮ ମସିହାରେ ପ୍ରେରିତ ଏହି ଯାନ ୨୦୨୧ରେ ସୂର୍ଯ୍ୟଙ୍କଠାରୁ ୮.୫ ନିୟୁତ କିମି ଦୂରତା ଯାଏ ପହଞ୍ଚିଥିଲା। ଏହା ସୂର୍ଯ୍ୟଙ୍କ କରୋନା ମଣ୍ଡଳ ଦେଇ ଗତି କରିଥିଲା ଏବଂ ସୂର୍ଯ୍ୟଙ୍କ ବାୟୁମଣ୍ଡଳରେ ପ୍ରବେଶ କରିଥିଲା। ଏଭଳି ସଫଳତା ହାସଲ କରିବାରେ ଏହା ଥିଲା ପ୍ରଥମ ମହାକାଶଯାନ। ଏହା ୨୦୨୫ ସୁଦ୍ଧା ସୂର୍ଯ୍ୟଙ୍କର ଆହୁରି ନିକଟତର ହୋଇ ସୂର୍ଯ୍ୟଙ୍କଠାରୁ ୬.୧୬ ନିୟୁତ କିମି ଦୂରତା ଯାଏ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହା ବାରମ୍ବାର ନିଜ ରେକର୍ଡକୁ ଭାଙ୍ଗିଚାଲିଛି ଏବଂ ଶେଷରେ ଆଉ କିଛି ବର୍ଷ ଭିତରେ ଏହା ସୂର୍ଯ୍ୟଙ୍କଠାରୁ ୩.୮୩ ନିୟୁତ କିମି ଦୂରତା ଯାଏ ପହଞ୍ଚିବ ବୋଲି ଇସ୍ରୋର ପୂର୍ବତନ ବୈଜ୍ଞାନିକ ଦେବଦତ୍ତ ମିଶ୍ର କହିଛନ୍ତି।