କରୋନାଭୂତାଣୁକୁ କିଭଳି ମୁକାବିଲା କଲା ଜାପାନ୍‌

ଟୋକିଓ: ଜାପାନ୍‌ କୋଭିଡ୍‌ ମୁକାବିଲା ପାଇଁ ଲଗାଇଥିବା ଜରୁରୀ ପରିସ୍ଥିତିକୁ ଏବେ ହଟାଇ ଦେଇଛି। ନୂଆ‌ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବା ପରେ ଜାପାନ୍‌ ଏମର୍ଜେନ୍ସି ହଟାଇଛି। ଜାପାନ୍‌ରେ ଆଉ ବିଶେଷ କଟକଣା ନାହିଁ। ‌ରେସ୍ତୋରାଁଠାରୁ ଆରମ୍ଭ କରି ଅନ୍ୟାନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲା ହେଲାଣି। ଜାପାନ୍‌ରେ ଲୋକଙ୍କ ଯାତାୟତକୁ ଟ୍ରାକ୍‌ କରିବା ପାଇଁ ସେମିତି କୌଣସି ହାଇଟେକ୍‌ ଆପ୍‌ ମଧ୍ୟ ନାହିଁ। ଦେଶରେ ରୋଗ ନିୟନ୍ତ୍ରଣ ପାଇଁ କୌଣସି କେନ୍ଦ୍ର ନାହିଁ। ସବୁ ରାଷ୍ଟ୍ରଗୁଡ଼ିକ‌ ଟେଷ୍ଟିଂ ଉପରେ ଗୁରୁତ୍ବ ଦେଉଥିଲେ ବି ଜାପାନ୍‌ ଏହାର ଜନସଂଖ୍ୟାର ମାତ୍ର ୦.୨ ପ୍ରତିଶତ ହିଁ ‌ଟେଷ୍ଟିଂ କରିଛି। କିନ୍ତୁ ଏହା ସତ୍ତ୍ବେ ଜାପାନ୍‌ ସଂକ୍ରମଣକୁ ନିୟନ୍ତ୍ରଣ କରିନେଇଛି ଏବଂ ଜାପାନ୍‌ରେ ମୃତ୍ୟୁସଂଖ୍ୟା ୧,୦୦୦ରୁ କମ୍‌ ମଧ୍ୟ ରହିଛି। ଟୋକିଓରେ ମଧ୍ୟ ଅନେକ ଦିନ ଧରି ମାମଲା ୧ ଅଙ୍କ ବିଶିଷ୍ଠ ରହୁଛି। ତେବେ ଅନ୍ୟ ସଫଳ ରାଷ୍ଟ୍ରକୁ ବାଦ୍‌ ଦେଇ ଜାପାନ କିଭଳି କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବାରେ ସଫଳ ହେଲା ତାହା ଏବେ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଛି।

ଜାପାନ୍‌ର ମୃତ୍ୟୁସଂଖ୍ୟାକୁ ଦେଖିଲେ କହାଯିବ ‌ଯେ, ଜାପାନ୍‌ କ‌ରୋନା ନିୟନ୍ତ୍ରଣ ଦିଗରେ ସଫଳ ହୋଇଛି। କିନ୍ତୁ ତାହାର ଉପାୟସବୁ କ’ଣ, ତାହା ବିଶେଷଜ୍ଞମ‌ାନେ ମଧ୍ୟ ଜାଣି ପାରୁନାହାନ୍ତି। ଜାନୁଆରିରେ ଜାପାନ୍‌ରେ ପ୍ରଥମ କରୋନା ମାମଲା ଚିହ୍ନଟ ହେବା ପରେ ଏହା ସଂସ୍ପର୍ଶ ଠାବ ଉପରେ ଗୁରୁତ୍ବ ଦେଇଥିଲା। ଜାପାନ୍‌ ପ୍ରାୟ ୫୦,୦୦୦ ନର୍ସଙ୍କୁ ସଂକ୍ରମଣ ଚିହ୍ନଟ ପାଇଁ ନିଯୁକ୍ତ କରିଥିଲା। ସାଧାରଣ ସଂକ୍ରମଣ ଓ ଇନଫ୍ଲୁଏଞ୍ଜା ପାଇଁ ମଧ୍ୟ ଏହି ନର୍ସମାନେ ‌ରେଗୀଙ୍କୁ ଚିହ୍ନଟ କରିଥାନ୍ତି। ତେଣୁ ବିଶେଷ ଅଭିଜ୍ଞତା ଥିବା ନର୍ସମାନଙ୍କ ଦ୍ବାରା ଜାପାନ୍‌ ଆରମ୍ଭରୁ ସଂକ୍ରମଣକୁ ଭଲଭାବେ ଚିହ୍ନଟ କରିଛି ବୋଲି କୁହାଯାଉଛି। ସ୍ଥାନୀୟ ବିଶେଷଜ୍ଞମାନେ କ୍ଲଷ୍ଟର ଓ ଗୋଷ୍ଠୀ ସଂକ୍ରମଣ ଉପରେ ଧ୍ୟାନ ଦେଇଥିଲେ। ସେହିପରି ପ୍ରଥମେ ଜାପାନ୍‌ ତଟରେ ଲାଗିଥିବା ଡାଇମଣ୍ଡ ପ୍ରିନ୍‌ସେସ୍‌ କ୍ରୁଜ୍‌ରେ ସଂକ୍ରମଣ ବ୍ୟାପିବା ପରେ ଜାପାନ୍‌ ଏଥିରୁ ଶିକ୍ଷା ଗ୍ରହଣ କରିଥିଲା ଏବଂ ଏହା ଦ୍ବାରା ଆରମ୍ଭରୁ ହିଁ ରୋଗକୁ ନିୟନ୍ତ୍ରଣ କରିପାରିଲା। ସେହିପରି ଅନ୍ୟ ରାଷ୍ଟ୍ର ତୁଳନାରେ ଜାପାନ୍‌ରେ ଭୂତାଣୁ ଭିନ୍ନ ଏବଂ କମ୍‌ ଭୟଙ୍କର ହୋଇଥାଇପା‌ରେ ବୋଲି କହାଯାଉଛି।

ସମ୍ବନ୍ଧିତ ଖବର