ମୁମ୍ବାଇ: ନକଲି ଭିନ୍ନକ୍ଷମ ଓ ଜାତିଗତ ପ୍ରମାଣପତ୍ର ଦାଖଲ କରିଥିବା ପୂଜା ଖେଦକରଙ୍କୁ ନେଇ ବିବାଦ ତୀବ୍ର ହେବା ସହ ପ୍ରଶିକ୍ଷାର୍ଥୀ ଆଇଏଏସ୍ ଅଫିସର ଓ ତାଙ୍କ ପରିବାର ବିରୋଧରେ ଏବେ ଅଭିଯୋଗର ଝଡ଼ ଉଠିଛି। ସିଭିଲ ସର୍ଭିସ ପରୀକ୍ଷା ପରିଚାଳନା କରୁଥିବା ୟୁପିଏସ୍ସିର ଅଭିଯୋଗ ପରେ ଦିଲ୍ଲୀ ପୁଲିସ ପୂଜାଙ୍କ ବିରୋଧରେ ମାମଲା ରୁଜୁ କରିଛି। ବିବାଦ ଉପୁଜିବା ପରଠାରୁ ତାଙ୍କ ମେଡିକାଲ ସାର୍ଟିଫିକେଟରେ ଅନେକ ତ୍ରୁଟି ପଦାକୁ ଆସିଛି। ଭିନ୍ନକ୍ଷମ ସାର୍ଟିଫିକେଟ୍ ପାଇଁ ଆବେଦନ କରିବା ସମୟରେ ସେ ଦୁଇଟି ଭିନ୍ନ ନାମ ଖେଦକର ପୂଜା ଦିଲୀପ ରାଓ ଏବଂ ପୂଜା ମନୋରମା ଦିଲୀପ ଖେଦକର ବ୍ୟବହାର କରିଥିଲେ। ଏଭଳି କୌଶଳ ଅବଲମ୍ବନ କରି ସେ ୩ଟି ଭିନ୍ନକ୍ଷମ ସାର୍ଟିଫିକେଟ ହାସଲ କରିବାକୁ ସକ୍ଷମ ହୋଇଥିଲେ। ଚଳିତ ମାସ ପ୍ରାରମ୍ଭରେ ଖେଦକରଙ୍କୁ ତାଙ୍କ ପ୍ରୋବେସନ ସମୟରେ ତାଙ୍କ ଅନୁପଯୁକ୍ତ ଆଚରଣ ଯୋଗୁଁ ପୁଣେରୁ ୱାଶିମ ଜିଲ୍ଲାକୁ ବଦଳି କରାଯାଇଥିଲା। ସେ ଏକ ପୃଥକ କାର୍ଯ୍ୟାଳୟ, ସରକାରୀ ଗାଡି ସମେତ ଅନେକ ସୁବିଧାସୁଯୋଗ ଦାବି କରିଥିଲେ ଯାହାକି ଟ୍ରେନି ଅଧିକାରୀଙ୍କ ପାଇଁ ଉପଲବ୍ଧ କରାଯିବା ବ୍ୟବସ୍ଥା ନାହିଁ।
ଘଟଣାକ୍ରମ
୨୦୧୯ରେ ପୂଜା ଖେଦକର ଅହମ୍ମଦନଗର ଜିଲ୍ଲା ଡାକ୍ତରଖାନାରୁ ଦୃଷ୍ଟିହୀନ ସାର୍ଟିଫିକେଟ୍ ହାସଲ କରିଥିଲେ।
୨୦୨୧ମସିହାରେ ସେ ଅହମ୍ମଦନଗର ଜିଲ୍ଲା ଡାକ୍ତରଖାନାରୁ ଉଭୟ ଦୃଷ୍ଟି ଶକ୍ତି ସମସ୍ୟା ଓ ମାନସିକ ରୋଗ ସଂକ୍ରାନ୍ତ ପ୍ରମାଣପତ୍ର ପାଇଥିଲେ।
୨୦୨୨ମସିହାରେ ୟୁପିଏସ୍ସି ପରୀକ୍ଷା ପାଇଁ ନିଜର ଅକ୍ଷମତା ପ୍ରମାଣ କରିବା ନିମନ୍ତେ ସେ ପିମ୍ପରିସ୍ଥିତ ଯଶବନ୍ତ ରାଓ ଚୌହାନ ମେମୋରିଆଲ ହସ୍ପିଟାଲରେ ଆବେଦନ କରିଥିଲେ ଏବଂ ବାମ ଆଣ୍ଠୁରେ ଅକ୍ଷମତା ଥିବା ଦର୍ଶାଇ ହସ୍ପିଟାଲ ପକ୍ଷରୁ ଏକ ସାର୍ଟିଫିକେଟ୍ ହାସଲ କରିଥିଲେ।
ସାର୍ଟିଫିକେଟ୍ ପାଇଁ ଆବେଦନ କରିବା ସମୟରେ ଖେଦକର ନିଜକୁ ପିମ୍ପରି-ଚିଞ୍ଚୱାଡ଼ାର ବାସିନ୍ଦା ବୋଲି ଦାବି କରି ଏକ ନକଲି ରାସନ କାର୍ଡ ଦେଖାଇଥିଲେ। ସେ ଏକ ଭୁଲ ଠିକଣା ମଧ୍ୟ ଦେଇଥିଲେ - ପ୍ଲଟ ନଂ ୫୩, ଦେହୁ-ଆଳନ୍ଦୀ, ତଲୱାଡେ। ତେବେ ଏହି ଠିକଣା ଥର୍ମୋଭେରିଟା ଇଞ୍ଜିନିୟରିଂ ପ୍ରାଇଭେଟ୍ ଲିମିଟେଡର ହୋଇଥିବା ବେଳେ ଏହା ଆବାସିକ ସମ୍ପତ୍ତି ନୁହେଁ ବୋଲି ଜଣାପଡ଼ିଥିଲା। ୨ ଲକ୍ଷ ଟଙ୍କାର ଟିକସ ବକେୟା ଥିବାରୁ ମହାନଗର ନିଗମ ଏବେ ସମ୍ପତ୍ତିକୁ ସିଲ୍ କରିଛି।