କାଲ୍‌କାଟା ହାଇକୋର୍ଟ କେମିତି ଶିକ୍ଷକ ନିଯୁକ୍ତି ଦୁର୍ନୀତିର ପର୍ଦ୍ଦାଫାସ କଲେ?

କୋଲକାତା : ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି। ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ ପରେ ପରେ ଗିରଫ କରାଯାଇଛି। ତଦନ୍ତକାରୀ ଦଳ ଶୁକ୍ରବାର ଅର୍ପିତାଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ କରିଛନ୍ତି। କାଲ୍‌କାଟା ହାଇକୋର୍ଟଙ୍କ ନିର୍ଦ୍ଦେଶରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସରକାରୀ ବା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଗ୍ରୁପ୍ ସି ଓ ଡି ଏବଂ ସହକାରୀ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଅନିୟମିତତାର ତଦନ୍ତ କରୁଛି। ଇଡି ଏହି ଦୁର୍ନୀତିରେ ଲାଞ୍ଚ ଆଦାୟ ମାମଲାର ଯାଞ୍ଚ କରୁଛି। ତେବେ ପଶ୍ଚିମବଙ୍ଗ ସ୍କୁଲ୍ ସର୍ଭିସ୍ କମିସନ (ଏସ୍‌ଏସ୍‌ସି)ର ଏହି ଦୁର୍ନୀତି ଧରା ପକାଇବାରେ କାଲ୍‌କାଟା ହାଇକୋର୍ଟଙ୍କର ଏକ ବଡ଼ ଭୂମିକା ରହିଛି।

୨୦୧୬ରେ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ପଦବିରେ ନିଯୁକ୍ତି ଲାଗି ଏସ୍‌ଏସ୍‌ସି ଏକ ବିଜ୍ଞପ୍ତି ଜାରି କଲା। ୨୦୧୭ରେ ଗ୍ରୁପ୍ ସି, ଡି ଓ ସହକାରୀ ଶିକ୍ଷକ ପଦବି ଲାଗି ପରୀକ୍ଷା ହେଲା ଏବଂ ବର୍ଷ ଶେଷ ଆଡ଼କୁ ଫଳ ପ୍ରକାଶ ପାଇଲା। ତେବେ ମେଧା ତାଲିକା ଆକାରରେ ଫଳ ପ୍ରକାଶ ପାଇଲା ନାହିଁ। ପରୀକ୍ଷାର୍ଥୀମାନଙ୍କୁ କେବଳ ନିଜ ନିଜର ମାର୍କ ଦେଖିବାର ସୁଯୋଗ ଦିଆଗଲା। କାଲ୍‌କାଟା ହାଇକୋର୍ଟ ପରେ ଅନୁଭବ କଲେ ଯେ ଏଇଠି ରହିଛି ଅନିୟମିତତା ଓ ବହୁକୋଟି ଟଙ୍କା ଏସ୍‌ଏସ୍‌ସି ନିଯୁକ୍ତି ଦୁର୍ନୀତିର ମଞ୍ଜି।

Bharat Times

୨୦୧୯ରେ ହାଇକୋର୍ଟରେ ଅନେକ ପିଟିସନ ଦାଏର କରାଗଲା ଏବଂ ହାଇକୋର୍ଟ ପୂର୍ଣ୍ଣାଙ୍ଗ ମେଧା ତାଲିକା ପ୍ରକାଶ କରିବା ପାଇଁ ଏସ୍‌ଏସ୍‌ସିକୁ ଆଦେଶ ଦେଲେ। କିନ୍ତୁ କମିସନ ଏ ଆଦେଶ ମାନିଲେ ନାହିଁ। ତା’ପରେ ଏସ୍‌ଏସ୍‌ସି ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର ହେଲା। ୨୦୧୯ ନଭେମ୍ବର ୮ରେ ଅଦାଲତଙ୍କ ଆଦେଶ ପାଳନ ନେଇ ଏକ ସତ୍ୟପାଠ ଦାଖଲ କରିବାକୁ କୋର୍ଟ କମିସନକୁ ଆଦେଶ ଦେଲେ। ସେତେବେଳେ କୋଭିଡ୍ ଯୋଗୁ ଅଦାଲତ କେବଳ ଅତି ଜରୁରୀ ମାମଲା ଛଡ଼ା ଅନ୍ୟ ମାମଲାଗୁଡ଼ିକର ଶୁଣାଣି କରୁ ନ ଥିଲେ।

୨୦୨୧ରେ ପୁଣି କୋର୍ଟରେ ପିଟିସନ ପଡ଼ିଲା। ଶେଷକୁ କୋର୍ଟ ନିର୍ଦ୍ଦେଶର ଦୁଇବର୍ଷ ପରେ ଏବଂ ପରୀକ୍ଷା ହେବାର ୪ ବର୍ଷ ପରେ କମିସନ ସମ୍ପୂର୍ଣ୍ଣ ମେଧା ତାଲିକା ଏବଂ ପ୍ରତ୍ୟେକ ଛାତ୍ର ପାଇଁ ୱେଟ୍ ଲିଷ୍ଟ ପ୍ରକାଶ କରିବାକୁ ରାଜି ହେଲା। ୨୦୨୧ ସେପ୍ଟେମ୍ବରରେ ପ୍ରାର୍ଥୀମାନେ କୋର୍ଟରେ ଅଭିଯୋଗ କଲେ ଯେ ସେମାନଙ୍କ ନାଁ ୱେଟ୍ ଲିଷ୍ଟରେ ଥିବା ବେଳେ ସେମାନଙ୍କଠାରୁ କମ୍ ମାର୍କ ରଖିଥିବା ପିଲାଙ୍କୁ ଚାକିରି ମିଳିଯାଇଛି। ମାମଲାର ବିଚାର କରୁଥିବା ଜଷ୍ଟିସ୍ ସୌଗତ ଭଟ୍ଟାଚାର୍ଯ୍ୟ ଏସ୍‌ଏସ୍‌ସିକୁ କହିଲେ, ମେଧା ତାଲିକାର ସମ୍ପୂର୍ଣ୍ଣ ବିବରଣୀ ବାହାର କର ଏବଂ ପ୍ରତ୍ୟାଶୀଙ୍କ ଅଭିଯୋଗର ସମାଧାନ କର। ତେବେ କମିସନ ଫେବ୍ରୁଆରି ୨୦୨୨ରେ ଏହାର ଉତ୍ତର ଦେବା ବେଳକୁ ଜଷ୍ଟିସ୍ ଭଟ୍ଟାଚାର୍ଯ୍ୟଙ୍କ ବଦଳରେ ଉକ୍ତ ମାମଲା ଶୁଣାଣିର ଦାୟିତ୍ବ ମିଳିଥିଲା ଜଷ୍ଟିସ୍ ଅଭିଜିତ୍ ଗଙ୍ଗୋପାଧ୍ୟାୟଙ୍କୁ।

ଜଷ୍ଟିସ୍ ଗଙ୍ଗୋପାଧ୍ୟାୟ ଦେଖିଲେ ମେଧା ତାଲିକା ଅନୁଯାୟୀ ପ୍ରାର୍ଥୀମାନଙ୍କୁ ନ୍ୟାୟ ମିଳି ନ ଥିବା ନେଇ ସେମାନେ ଯାହା ଅଭିଯୋଗ କରିଛନ୍ତି ତାହା ସତ୍ୟ। ଅଧିକ ମାର୍କ ରଖିଥିବା ପ୍ରାର୍ଥୀଙ୍କ ବଦଳରେ କମ୍ ମାର୍କ ରଖିଥିବା ଜନୈକ ‌ଶେଖ୍ ଇନସାନ ଅଲିଙ୍କ ଚାକିରିକୁ କୋର୍ଟ ରଦ୍ଦ କରିବା ସହ ସେ ତିନିମାସ ଧରି ପାଇଥିବା ଦରମା ଫେରସ୍ତ ଦେବାକୁ କୋର୍ଟ ଆଦେଶ ଦେଲେ। ଏହିପରି ଅନେକ ମାମଲାରେ ବେଆଇନ କାମ କରାଯାଇଥିବା କୋର୍ଟ ଜାଣିବାକୁ ପାଇଲେ। ସବୁ ବେଆଇନ ଚାକିରିକୁ ରଦ୍ଦ କରାଗଲା। ଫେବ୍ରୁଆରି ୨୮ରେ ଦୁଇଜଣ ଏସ୍‌ଏସ୍‌ସି ଅଧିକାରୀ କୋର୍ଟରେ ହାଜର ହେଲେ। କୋର୍ଟ ତାଙ୍କୁ ପଚାରିଲେ- କାହା ସୁପାରିସରେ ତୁମେ ଏମାନଙ୍କୁ କମ୍ ମାର୍କ ରଖିଥିବା ସତ୍ତ୍ବେ ନିଯୁକ୍ତି ଦେଇଛ? ଅଧିକାରୀମାନେ କହିଲେ ଯେ କିଏ ସୁପାରିସ କରିଛନ୍ତି ସେମାନେ ଜାଣିନାହାନ୍ତି। କିନ୍ତୁ ସୁପାରିସ ପତ୍ରରେ ଦସ୍ତଖତ ମେକାନିକାଲି ପ୍ରିଣ୍ଟ ହୋଇଥିଲା। ସେମାନେ ଆଉ ଦୁଇଜଣ ଉପଦେଷ୍ଟା ଡ. ଶାନ୍ତି ପ୍ରସାଦ ସାହା ଓ ପ୍ରୋଗ୍ରାମ୍ ଅଫିସର ସ୍ମରଜିତ୍ ଆଚାର୍ଯ୍ୟ ଜାଣିଥିବେ ବୋଲି କହିଲେ। ସେ ଦୁଇ ବାବୁଙ୍କୁ ମାର୍ଚ୍ଚ ୨ରେ ହାଜର ହେବା ପାଇଁ କୋର୍ଟ ଆଦେଶଦେଲେ। ଅନେକ ପିଲାଙ୍କ କ୍ଷେତ୍ରରେ ଅନିୟମିତା ହୋଇଥିବା ଜଣାପଡ଼ିଲା। ଶେଷକୁ କୋର୍ଟ ସ୍ଥିରନିଶ୍ଚିତ ହେଲେ ଯେ ଏହା ଏକ ମସ୍ତବଡ଼ ସ୍କାମ୍। ତା’ପରେ କୋର୍ଟ ସିବିଆଇକୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଲେ। ଦୁର୍ନୀତିର ମୂଳ ସୂତ୍ରଧର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ବୋଲି ଜାଣିବା ପରେ ସିବିଆଇ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତାଙ୍କୁ ମଧ୍ୟ ଗିରଫ କରାଯାଇଛି। ଆହୁରି ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର