ଚୋରି କାରର ପେଣ୍ଠସ୍ଥଳୀ ପାଲଟିଛି ପାକିସ୍ତାନ

କରାଚି : ଲଣ୍ଡନରୁ ଚୋରି ହୋଇଥିବା ଏକ ଦାମୀ କାର ଶେଷରେ ପାକିସ୍ତାନର କରାଚିରେ ଠାବ ହୋଇଛି । ଏହି ଘଟଣାରେ ପୁଲିସ ଗାଡ଼ିକୁ କିଣିଥିବା ବ୍ୟକ୍ତି ଓ ବ୍ରୋକରକୁ ଗିରଫ କରିଛି । ଏହି ଘଟଣା ପରେ ପାକିସ୍ତାନ ପୁଣି ଥରେ ବିଶ୍ବରେ ଚୋରି କାରର ପେଣ୍ଠସ୍ଥଳୀ ଭାବେ ନିଜକୁ ପ୍ରମାଣିତ କରିପାରିଛି । ପୁଣି ଏହି ଗାଡ଼ି ଚୋରି ପଛରେ ଏକ ବଡ଼ ବହୁରାଷ୍ଟ୍ରୀୟ ସିଣ୍ଡିକେଟ୍ କାମ କରୁଥିବା କୁହାଯାଉଛି ।

ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ବେଣ୍ଟଲେ ମଲସେନ କାରକୁ କରାଚୀର ସବୁଠାରୁ ସମ୍ଭ୍ରାନ୍ତ ଅଂଚଳ ଭାବେ ଜଣାଶୁଣା ଡିଫେନ୍ସ ହାଉସିଂ ଅଥରିଟି (ଡିଏଚଏ)ରେ ଥିବା ଏକ ଘରେ ଠାବ କରାଯାଇଥିଲା । ଏହି କାରର ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ହେବ ଅନୁମାନ କରାଯାଉଛି ।

ଲଣ୍ଡନରୁ ଚୋରି କରାଯାଇଥିଲା । ପୂର୍ବ ୟୁରୋପର ଜଣେ କୂଟନୀତିଜ୍ଞଙ୍କ କାଗଜ ପତ୍ର ଓ ଆଉ କେତେକ ଜାଲ କାଗଜପତ୍ର ବ୍ୟବହାର କରି କାରକୁ ପାକିସ୍ତାନ ଅଣାଯାଇଥିଲା । ଏପରିକି ପାକିସ୍ତାନର କଷ୍ଟମ୍ସ ଅଧିକାରୀମାନଙ୍କ ଆଖିରେ ଧୂଳି ଦେଇ ଏହାକୁ ପାକିସ୍ତାନକୁ ଅଣାଯାଇଥିଲା । ପୁଣି କରାଚି ଅଣାଯିବା ପରେ ଏହାର ମୂଳ ନମ୍ବର ପ୍ଲେଟକୁ ବଦଳାଇ ଏକ ପାକିସ୍ତାନୀ ନମ୍ବର ପ୍ଲେଟ ଲଗାଯାଇଥିଲା ।

ତେବେ କାରଟି କିପରି ଧରା ପଡ଼ିଲା ? ଚୋରମାନେ ଏତେ ବୁଦ୍ଧି ଖର୍ଚ୍ଚ କରି କାରକୁ ପାକିସ୍ତାନ ଆଣିଥିଲେ ବି ଗୋଟିଏ ଭୁଲ କରିଦେଇଥିଲେ । କାରରେ ଲାଗିଥିବା ଟ୍ରାକିଂ ସିଷ୍ଟମକୁ ସେମାନେ ବନ୍ଦ କରିପାରିନଥିଲେ । ଫଳରେ ଲଣ୍ଡନର ପୁଲିସ ଜିପିଏସ ଟ୍ରାକିଂ ମାଧ୍ୟମରେ ଏହା ପାକିସ୍ତାନରେ ଥିବା ଜାଣିବାକୁ ପାଇଥିଲେ । ବ୍ରିଟିଶ ପୁଲିସର ସୂଚନା କ୍ରମେ ପାକିସ୍ତାନର କଷ୍ଟମ୍ସ ବିଭାଗ ପକ୍ଷରୁ ସଂପୃକ୍ତ ଘରେ ଚଢଉ କରାଯାଇ କାରକୁ ଠାବ କରାଯାଇଥିଲା । ଏହି ଚୋରା କାରକୁ କିଣିଥିବା ଜମିଲ ସାଫି ଓ ତା ବ୍ରୋକରକୁ ପୁଲିସ ଗିରଫ କରିଛି ।

 

ସମ୍ବନ୍ଧିତ ଖବର