ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାଠାରୁ ଭାରତ ୭୬ ରନ୍‌ରେ ହାରିବା ଏବଂ ଜିମ୍ବାୱେ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ ୧୦୭ ରନ୍‌ ବ୍ୟବଧାନରେ ଜିତିବା ଏବେ ଭାରତୀୟ ଦଳର ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଦୁଇ ଦିନରେ ଦୁଇଟି ଝଟ୍‌କା ସଦୃଶ ହୋଇଛି। ଭାରତୀୟ ଦଳ କେମିତି ସେମିଫାଇନାଲ୍‌ ଖେଳିବ ଏବେ ଗୋଟିଏ ଚର୍ଚ୍ଚା କେବଳ ଭାରତୀୟ ଦଳର ମ୍ୟାନେଜ୍‌ମେଣ୍ଟ୍‌ ଓ ପ୍ରଶଂସକଙ୍କୁ ଘାରିଛି। ସୁପର୍‌-୮ର ଗ୍ରୁପ୍‌-୧ରେ ସ୍ଥାନ ପାଇଥିବା ୪ ଦଳ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି। ଦଳର ନେଟ୍‌ ରନ୍‌ ରେଟ୍‌ (ଏନ୍‌ଆର୍‌ଆର୍‌) ସଂଘାତିକ ଭାବେ ବିଯୁକ୍ତାତ୍ମକ ସ୍ଥିତିରେ (-୩.୮୦୦) ଥିବାରୁ ଅଧିକ ବିପଦ ଘନେଇଛି। ଭାରତର ସେମିଫାଇନାଲ୍‌ ଏବେ କେବଳ ପରବର୍ତୀ ୨ ମ୍ୟାଚ୍‌ରେ ବିଜୟ ନୁହେଁ, ଅନ୍ୟ ଗ୍ରୁପ୍‌-୧ ମୁକାବିଲା ଫଳାଫଳ ଉପରେ ବି ନିର୍ଭର କରିବ।

Advertisment

ସାଧାରଣ ବିଜୟ ବି ଦଳ ପାଇଁ ଯଥେଷ୍ଟ ହୋଇନପାରେ

ଭାରତକୁ ପ୍ରଥମେ ଗୁରୁବାର ଜିମ୍ବାୱେ ବିପକ୍ଷରେ ବିଜୟୀ ହେବା ସହ ରବିବାର ୱେଷ୍ଟଇଣ୍ଡିଜ୍‌କୁ ବି ମାତ୍‌ ଦେବାକୁ ପଡ଼ିବ। କେବଳ ସାଧାରଣ ବିଜୟ ବି ଦଳ ପାଇଁ ଯଥେଷ୍ଟ ହୋଇନପାରେ। କାରଣ ଦୁଇଟି ବଡ଼ ବଡ଼ ବିଜୟ ସହିତ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦୁଇ ସ୍ଥାନକୁ ଦଖଲରେ ରଖିଥିବାରୁ ସେମାନଙ୍କୁ ହଟାଇବାକୁ ଏବେ ସୂର୍ଯ୍ୟସେନାଙ୍କୁ ବହୁ କସରତ କରିବାକୁ ପଡ଼ିବ। ପ୍ରଥମ ଦୃଶ୍ୟପଟ୍ଟରେ ଭାରତ ଯଦି ଉଭୟ ମ୍ୟାଚ୍‌ ଜିତିଯିବ ଏବଂ ଦକ୍ଷିଣ ଆଫ୍ରିକା ନିଜର ସମସ୍ତ ମ୍ୟାଚ୍‌ ଜିତିବ ତେବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍‌ ପହଞ୍ଚିପାରିବେ। ଭାରତ ଉଭୟ ମ୍ୟାଚ୍‌ ଜିତିଲେ ଏବଂ ଦକ୍ଷିଣ ଆଫ୍ରିକା ନିଜର ଅବଶିଷ୍ଟ ୨ ମ୍ୟାଚ୍‌ ହାରିଲେ ଭାରତ ଓ ୱେଷ୍ଟଇଣ୍ଡିଜ୍ ସେମିଫାଇନାଲ୍‌ ଯିବେ।

ଭାରତ ଦୁଇଟି ଜିତିଥିଲେ ଏବଂ ଦକ୍ଷିଣ ଆଫ୍ରିକା ଅବଶିଷ୍ଟ ଦୁଇଟିରୁ ଗୋଟିଏ ଜିତିଲେ ୩ ଦଳ ୪ ପଏଣ୍ଟ୍‌ରେ ପହଞ୍ଚିବା ସମ୍ଭାବନା ରହିଛି, ଏଭଳି ପରିସ୍ଥିତିରେ ଏନ୍‌ଆର୍‌ଆର ନିର୍ଣ୍ଣାୟକ ହେବ। ଦ୍ବିତୀୟ ଦୃଶ୍ୟପଟ୍ଟରେ ଭାରତ ଯଦି ଅବଶିଷ୍ଟ୍‌ ଦୁଇଟିରୁ ଗୋଟିଏ ଜିତିବ ତେବେ ସିଧାସଳଖ ବିଦାୟ ନେଇଯିବ। ଭାରତର ଭାଗ୍ୟ ଏବେ ସୂତା ଖିଅରେ ଝୁଲୁଥିବାରୁ ପରବର୍ତୀ ମ୍ୟାଚ୍‌ ଦ୍ବୟରେ ସାମାନ୍ୟ ଭୁଲ ବି ଦଳ ପାଇଁ ମହଙ୍ଗା ପଡ଼ିବ। ‌ବିଜେତା ଭାରତୀୟ ଦଳର ଭାଗ୍ୟ ଉଦୟ ହେବ କି ସୂର୍ଯ୍ୟକୁମାରଙ୍କ ସେନାର ଅସ୍ତ ହେବ କେବଳ ସମୟ କହିବ।

ଆହୁରି ପଢନ୍ତୁ - Mother Son Killed ପ୍ରେମକୁ ବାରଣ କରିବାରୁ ନାବାଳିକାର ମା ଓ ଭାଇଙ୍କୁ ହତ୍ୟା କଲା ଯୁବକ, ୩ ଦିନ ପରେ ମୃତଦେହ ଉଦ୍ଧାର