ଚୀନର ‘ବ୍ଲାକ୍‌ ଟପ୍‌’ କବ୍ଜା ଉଦ୍ୟମକୁ ପଣ୍ଡ କଲା ଭାରତ, ସୀମାରୁ ହଟାଇଲା କ୍ୟାମେରା ଏବଂ ସେନ୍‌ସର ଆଦି ଉପକରଣ

ନୂଆଦିଲ୍ଲୀ: ଭାରତ-ଚୀନ ସୀମାବର୍ତ୍ତୀ  ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଥିବା ପର୍ବତ ଶିଖର ‘ବ୍ଲାକ୍‌ଟପ୍‌’କୁ ନିଜ କବଜାକୁ ନେବାକୁ ଚୀନର ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା। ଏହାକୁ ଅକ୍ତିଆର କରିବାକୁ ଚୀନ ଚଳାଇଥିବା ଉଦ୍ୟମ ଫସରଫାଟିଛି।  ଚୀନ୍ ସେନା ଦ୍ୱାରା ଖଞ୍ଜାଯାଇଥିବା କ୍ୟାମେରା ଏବଂ ସିସିଟିଭି ଉପକରଣର ଉପସ୍ଥିତି ସତ୍ତ୍ୱେ ଭାରତୀୟ ସେନାର ଯବାନମାନେ ଜନଶୂନ୍ୟ ପର୍ବତ ଶିଖର ‘ବ୍ଲାକ୍‌ଟପ୍‌’କୁ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ)  ଦଖଲ କରିବା ପୂର୍ବରୁ ଏହାକୁ ନିଜ ଅଧିନକୁ ଆଣିବାରେ ସମର୍ଥ ହୋଇଛନ୍ତି।

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଚୀନ୍ ସେନା ସ୍ଥାନୀୟ ଅଞ୍ଚଳରେ ଉନ୍ନତ ଧରଣର କ୍ୟାମେରା ଏବଂ ସିସିଟିଭି ଉପକରଣ ବ୍ୟବହାର କରି ଭାରତୀୟ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା। ଚୀନ୍ ସେନା ଲାଇନ୍‌ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲ୍‌ଏସି) ରେ ଭାରତୀୟ କାର୍ଯ୍ୟକଳାପ ଉପରେ ନଜର ରଖିବା ସହ ଆବଶ୍ୟକସ୍ଥଳେ ଉଚିତ ଜବାବ ଦେବାକୁ ଏପରି ଉପକରଣ ନିୟୋଜିତ କରିଥିଲା। ମ‌ାତ୍ର  ଭାରତୀୟ ସେନା ସଂପୃକ୍ତ ଅଞ୍ଚଳର ଜନଶୂନ୍ୟ ପର୍ବତ ଶିଖର ‘ବ୍ଲାକ୍‌ଟପ୍‌’କୁ ଦଖଲ କରିବାରେ ସମର୍ଥ ହେବା ପରେ ସେଠା‌ରୁ କ୍ୟାମେରା ଏବଂ ସିସିଟିଭି ଉପକରଣ ହଟାଇ ଦେଇଛି ବୋଲି ସୂଚନା ରହିଛି। ଚୀନ ଦାବି କରି ଆସୁଥିଲା ‘ବ୍ଲାକ୍‌ ଟପ୍‌’କୁ ସେମାନଙ୍କର ଓ ସେମାନେ ଏହାକୁ ଦଖଲ କରିବାକୁ ଚାହାନ୍ତି।

Hindustan Times

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତ ଶନିବାର ଏବଂ ରବିବାର ମଧ୍ୟରାତ୍ରିରେ ଲଦାଖର ଚୁସୁଲ ନିକଟ ପାଙ୍ଗୋଙ୍ଗ ସୋ ନିକଟ ଭାରତୀୟ ଅଞ୍ଚଳରେ ଚୀନ୍‌ ସେନାର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ରୋକିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ବିବାଦ ଉପୁଜିବା ପରେ ଲଦାଖ ଏବଂ ଡେମୋକୋକ ଅଞ୍ଚଳରେ ଭାରତୀୟ ସେନା ଟି -୭୨ ଏବଂ ଟି -୯୦ ଟ୍ୟାଙ୍କ ନିୟୋଜିତ କରିଛି। ଜାଣିବାକୁ ମିଳିଛି ଯେ ଚୀନ୍ ତା’ର ଦୀର୍ଘ ଦୂରଗାମୀ ଯୁଦ୍ଧ ବିମାନ ଜେ-୨୦କୁ ନିକଟସ୍ଥ ହୋଟାନ୍ ଏୟାରବେସରେ ନିୟୋଜିତ କରିଛି, ଯାହା ପୂର୍ବ ଲଦାଖ ଠାରୁ ପ୍ରାୟ ୩୧୦ କିଲୋମିଟର ଦୂରରେ ଅବସ୍ଥିତ।

ସମ୍ବନ୍ଧିତ ଖବର