୨୦ ବର୍ଷରେ ପୋଖରାନ୍ ପରମାଣୁ ପରୀକ୍ଷଣ: ସେନା ପୋଷାକ ପିନ୍ଧିଥିଲେ ବୈଜ୍ଞାନିକ, ମାଲବାହୀ ଟ୍ରକରେ ବୋମା ନେଇଥିଲେ ସିକ୍ରେଟ ଏଜେଣ୍ଟ

ବାଜପେୟୀ-କାଲାମ ଯୋଡ଼ି ଗୋପନରେ କରିଥିଲେ ପରମାଣୁ ପରୀକ୍ଷା

ନୂଆନିଲ୍ଲୀ:  ଅାଜକୁ ୨୦ ବର୍ଷ  ତଳେ ରାଜସ୍ଥାନର  ପୋଖରାନଠାରେ ଭାରତ ଦ୍ୱିତୀୟ ଥର ପାଇଁ  ପରମାଣୁ ବୋମା ପରୀକ୍ଷା କରିବା ସହିତ ନିଜକୁ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାବେ ଘୋଷଣା କରିଥିଲା। ୧୯୯୮ ମସିହା ମେ ମାସ ୧୧ ତାରିଖ ଦିନ ଭାରତ ଏହି ପରୀକ୍ଷା କରିଥିଲା। ଏହି ପୋଖରାନ ପରୀକ୍ଷାକୁ ୨୦ ବର୍ଷ ଅତିକ୍ରମ କରିଥିଲେ ବି ସେ ସମୟର ଗୋପନୀୟତା ନେଇ ଆଜି ବି ରୋମାଞ୍ଚ ରହିଛି।

ଏହି ଆଣବିକ ପରୀକ୍ଷା ଭାରତ ଯେପରି କରି ନ ପାରେ ସେଥିପାଇଁ ସମସ୍ତ ଗୁଇନ୍ଦା ତଥ୍ୟ ହାସଲ କରିବାରେ ଆମେରିକା ଲାଗିଥିଲା। କାରଣ ଆମେରିକା ଚାହୁଁ ନ ଥିଲା ଭାରତ ଏକ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହେଉ ବୋଲି। ତେବେ ଭାରତର ସୀମାନ୍ତ ସୁରକ୍ଷା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ଭାରତ ପରମାଣୁ ବୋମା ପରୀକ୍ଷା କରିବା ଜରୁରି ବୋଲି  ତତକାଳୀନ ଭାରତର ଶ୍ରେଷ୍ଠ ବୈଜ୍ଞାନିକ ଡ. ଏପିଜେ ଅବଦୁଲ କାଲାମ  ତତ୍‌କାଳୀନ ପ୍ରଧାନମନ୍ତ୍ରୀ  ଅଟଳ ବିହାରୀ ବାଜପେୟୀଙ୍କୁ ବୁଝାଇଥିଲେ। ଏଥିପାଇଁ   ମାର୍ଚ୍ଚ ମାସ ୨୨ ତାରିଖ ଦିନ କାଲାମ ବାଜପେୟୀଙ୍କୁ ଭେଟିଥିଲେ। ଏ ଦିଗରେ ଏପ୍ରିଲ ୧୧ ତାରିଖ ଦିନ ବାଜପେୟୀଙ୍କ ଠାରୁ ଗ୍ରିନ ସିଗ୍‌ନାଲ ପାଇ କାମରେ ଲାଗି ପଡ଼ିଥିଲେ କାଲାମ। ତେବେ ଏହାକୁ ବିଶ୍ୱ ନଜରରୁ ଏଡାଇ ରଖିବା ପାଇଁ  ଗ୍ରହଣ କରାଯାଇଥିଲା ଅଭୂତପୂର୍ବ ଗୋପନୀୟତା।

ଗୋପନୀୟତାର ପ୍ରଥମରେ ଥିଲା ଏ ନେଇ ଚର୍ଚ୍ଚା ନ ହେବା। ଭାରତ ପରମାଣୁ ପରୀକ୍ଷା କରୁଛି  ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବାଜପେୟୀ ଓ  କାଲାମଙ୍କ ବ୍ୟତୀତ ଆଉ ୪ ଜଣଙ୍କୁ  ସୂଚନା ଥିଲା। ତାହା ପୁଣି ପରମାଣୁ ପରୀକ୍ଷା ଦିନ। ସେ ୪ ଜଣ ହେଉଛନ୍ତି ଏଲକେ ଆଡଭାନୀ, ଯଶୋବନ୍ତ ସିଂହ, ଜର୍ଜ ଫର୍ଣ୍ଣାଡିିଜ୍‌ ଓ  ଆଟମିକ ଏନର୍ଜି କମିସନର ରାଜଗୋପାଳ ଚିଦାମ୍ବରମ।

ଗୋପନୀୟତାର ଦ୍ୱିତୀୟ ବ୍ୟବସ୍ଥା ଥିଲା ବୈଜ୍ଞାନିକମାନେ ସେଠାକୁ ଦଳ ଦଳ ହୋଇ ଯିବେ ନାହିଁ। ଯିଏ ଯିବେ ସିଏ ପୁଣି ସେନା ପୋଷାକରେ ଯିବେ। କାରଣ ସେତେବେଳେ  ପୋଖରାନ ଉପରେ ଆମେରିକା ସାଟେଲାଇଟ୍‌ ଫୋକସ କରି ରଖିଥିଲା।  ବୈଜ୍ଞାନିକମାନଙ୍କୁ ରାତିର ଅନ୍ଧକାରରେ କାର୍ଯ୍ୟ କରିବା ପାଇଁ  କୁହାଯାଇଥିଲା।

ଗୋପନୀୟତା ଅନ୍ୟ ଏକ ବ୍ୟବସ୍ଥା ଥିଲା ବେଙ୍ଗାଲୁରରୁ  ପୋଖରାନରେ ପରୀକ୍ଷା ହେବାକୁ ଥିବା ବୋମାକୁ  କୌଣସି ଆର୍ମି ଗାଡ଼ିରେ ଅଣା ଯାଇ ନ ଥିଲା। ବରଂ ଭାରତର ଜଣେ ସିକ୍ରେଟ ଏଜେଣ୍ଟ ଟ୍ରକ୍‌ ଡ୍ରାଇଭର ସାଜି ଏହାକୁ ଏକ ସାଧାରଣ ଟ୍ରକ୍‌ରେ  ଆଣିଥିଲେ। ଗୁରୁତ୍ୱପୂର୍ଣ୍ଣ  ହେଉଛି ଭାରତୀୟ ବୈଜ୍ଞାନିକମାନଙ୍କ ଫୋନ ଟ୍ୟାପିଂ ହେଉଥିବାରୁ ସେମାନେ ପରମାଣୁ ବୋମା  ନାମ ନ ଧରି ତାଜମହଲ, କୁମ୍ଭକର୍ଣ୍ଣ ଓ ହ୍ଵାଇଟ ହାଉସ ପରି କେତେକ କୋର୍ଡ ଓ୍ଵାର୍ଡ ବ୍ୟବହାର କରିଥିଲେ।

ସମ୍ବନ୍ଧିତ ଖବର