ଇସ୍ଲାମାବାଦ: ବିଳମ୍ବିତ ମଧ୍ୟରାତ୍ରରେ କୌଣସି କାରଣ ନଥାଇ ଘରର କଲିଂବେଲ୍ ବଜାଇ ଲୁଚିଯିବା; ସମୟ ଅସମୟରେ ଅଜଣା ନମ୍ବରରୁ ଫୋନ୍ କରି ବିନା କାରଣରେ ଅଭଦ୍ର, ଅଶାଳୀନ ଭାଷାରେ ଗାଳିଗୁଲଜ କରିବା; ହଠାତ୍ ଘରର ପାଓ୍ଵାର କଟ୍ କରିଦେବା; ପାଣି ସପ୍ଲାଇ ବନ୍ଦ କରିଦେବା; ଘର ଆଗରେ ଥିବା ଗାଡ଼ିରେ ଲୁଚିଛପି ଦାଗ କରିଦେବା; ଛୋଟ ଛୋଟ ପିଲାଙ୍କୁ ନାଲିଆଖି ଦେଖାଇ ଭୟଭୀତ କରାଇବା ଆଦି ଘଟଣା କିଛି ନୂଆକଥା ନୁହେଁ। ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଗ୍ରାମ୍ୟ କଳହରେ ଏପ୍ରକାର ଘଟଣା ସବୁ ଅତି ମାମୁଲି ଓ ସାଧାରଣ କଥା। ହେଲେ, ଆଣବିକ ଅସ୍ତ୍ରରେ ଶକ୍ତିଶାଳୀ ଥିବା ଗୋଟିଏ ରାଷ୍ଟ୍ର ଯଦି ତା’ ନିଜ ଦେଶରେ ମୁତୟନ ଥିବା ପଡ଼ୋଶୀ ରାଷ୍ଟ୍ରର ବରିଷ୍ଠ କୂଟନୈତିକ ଅଧିକାରୀମାନଙ୍କ ପ୍ରତି ଏପ୍ରକାରର ଆଚରଣ ପ୍ରଦର୍ଶନ କରେ ତେବେ, ତାକୁ କ’ଣ କୁହାଯିବ? ଏହି ପ୍ରଶ୍ନର ଉତ୍ତର ଏବେ ଖୋଜୁଛି ଭାରତ।
୧୯୪୭ର ବିଭାଜନ ପରେ ଭାରତ ବିରୋଧରେ ତିନିତିନି ଥର ମାଟି କାମୁଡ଼ି ସାରିଥିବା ପାକିସ୍ତାନ ଏବେ ଉପର ବର୍ଣ୍ଣିତ ଢ଼ଙ୍ଗରେ, ଇସ୍ଲାମାବାଦ ସ୍ଥିତ ଭାରତୀୟ ଦୂତାବାସରେ ଅବସ୍ଥାପିତ ବରିଷ୍ଠ କୂଟନୈତିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ହଇରାଣ ହରକତ୍ କରୁଛି। ଏଘଟଣା ସଂପର୍କରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଭାରତ ମଧ୍ୟ ଏପରି ଆଚରଣ ପ୍ରଦର୍ଶନ କରୁଛି ବୋଲି ପାଲଟା ଅଭିଯୋଗ କରି ନୂଆଦିଲ୍ଲୀରେ ଅବସ୍ଥାପିତ ତାଙ୍କ ଦେଶର କୂଟନୈତିକମାନଙ୍କୁ ନିଜ ଦେଶକୁ ଡକାଇ ନେଇଛି।
/sambad/media/post_attachments/wp-content/uploads/2018/03/Embassy-300x168.jpeg)
ପାକିସ୍ତାନର ଇସ୍ଲାମାବାଦ ସ୍ଥିତ ଭାରତୀୟ ଦୂତାବାସରେ ଦୀର୍ଘ ବର୍ଷ ରାଜନୈତିକ କାଉନ୍ସେଲର ରହି ଅବସର ଗ୍ରହଣ କରିଥିବା ବିଷ୍ଣୁ ପ୍ରକାଶ କହନ୍ତି ଯେ ବିଳମ୍ବିତ ମଧ୍ୟରାତ୍ର ରାତି ୩ଟାରେ ଘରର କଲିଂ ବେଲ ବାଜିବା, ଦୁଆର ଖୋଲିବା ବେଳକୁ କେହି ନଥିବା, ଘରୁ ଯଦି କୁଆଡ଼େ ବାହରକୁ ବାହାରିଲ ତେବେ ତୁମ ପଛେପଛେ ଗୋଟିଏ ଗାଡ଼ିରେ ପାକିସ୍ତାନୀ ଗୁଇନ୍ଦାମାନେ ତୁମକୁ ଅନୁଧାବନ କରିବା ପାକିସ୍ତାନରେ କାର୍ଯ୍ୟ କରୁଥିବା କୂଟନୈତିକମାନଙ୍କ ପାଇଁ କିଛି ନୂଆ କଥା ନୁହେଁ। ପାକିସ୍ତାନର ଏ ଅଭ୍ୟାସ ପୂର୍ବରୁ ଥିଲା ଆଉ ଏବେବି ରହିଛି ବୋଲି ଏକ ସାକ୍ଷାତକାରରେ କହିଛନ୍ତି ବିଷ୍ଣୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/india-pak-flag.jpg)