ଶ୍ରୀଜଗନ୍ନାଥଙ୍କ ସଂପତ୍ତି ‘କୋହିନୂର ହୀରା’ କାହିଁକି ଆସିପାରିଲା ନାହିଁ ପୁରୀ ? କିପରି ଗଲା ଲଣ୍ଡନ ?

ଭୁବନେଶ୍ବର : ବ୍ରିଟିଶ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକ ପରେ ତାଙ୍କ ପୁଅ ଚାର୍ଲସଙ୍କୁ ମହାରାଜା ଓ ତାଙ୍କ ପତ୍ନୀ କାମିଲାଙ୍କୁ ମହାରାଣୀ ଘୋଷଣା କରାଯାଇଛି । ଏହି ରାଜ୍ୟାଭିଷେକ ସହ ପୁଣି ଚର୍ଚ୍ଚାକୁ ଆସିଛି କୋହିନୂର ହୀରା । କିନ୍ତୁ କୋହିନୂରର ଆଇନଗତ ମାଲିକ କିଏ ? ମହାପ୍ରଭୁ ଶ୍ରୀଜଗନ୍ନାଥ କି ? ଯଦି ମହାରାଜା ରଣଜୀତ ସିଂ ଏହାକୁ ମହାପ୍ରଭୂଙ୍କୁ ଦାନ କରିଥିଲେ, ତାହା ଲଣ୍ଡନ କିପରି ଗଲା ?

ପ୍ରକୃତ କଥା ହେଉଛୁ ଯଦି ପଞ୍ଜାବର ତତ୍କାଳୀନ ମହାରାଜା ରଣଜିତ ସିଂହଙ୍କ ଅନ୍ତିମ ଇଚ୍ଛାକୁ ତାଙ୍କ ପରିବାର, ବିଶ୍ବସ୍ତ ଅନୁଚରମାନେ ସମ୍ମାନ ଜଣାଇଥାନ୍ତେ ତେବେ ଆଜି ବିଶ୍ବର ସବୁଠୁ ଦୁର୍ମୂଲ୍ୟ ହୀରା କୋହିନୂର ମହାପ୍ରଭୂ ଜଗନ୍ନାଥଙ୍କ ମସ୍ତକର ଶୋଭା ବଢାଉଥାନ୍ତା ।

କୋହିନୂର ହୀରାର ସଂପୂର୍ଣ୍ଣ ଇତିହାସ ଲେଖିଥିବା ପ୍ରସିଦ୍ଧ ବ୍ରିଟିଶ ଲେଖକ ଓ୍ବିଲିୟମ ଡାରଲିମ୍ପଲ ନିଜ ପୁସ୍ତକ କୋହିନୂରରେ ଲେଖିଛନ୍ତି, “କୋହିନୂର ୧୮୧୩ ଜୁନ ୧ରେ ମହାରାଜା ରଣଜିତ ସିଂଙ୍କ କବଜାକୁ ଆସିଥିଲା । ଆଫଗାନ ଶାସକ ଶାହା ସୁଜାଙ୍କଠାରୁ ସେ ବଳପୂର୍ବକ ଏହାକୁ ହାସଲ କରିଥିଲେ । ୧୮୧୩ ଠାରୁ ପରବର୍ତ୍ତୀ ୩୬ ବର୍ଷ ପର୍ୟ୍ୟନ୍ତ ଏହି ହୀରା ପାଲଟି ଥିଲା ଶିଖ ଆଧିପତ୍ୟର ପ୍ରତୀକ । ନିଜେ ମହାରାଜା ଏହାକୁ ବାହୁରେ ପିନ୍ଧୁଥିଲେ । ଲାହୋରସ୍ଥିତ ପଂଜାବ ସାମ୍ରାଜ୍ୟର ତୋସଖାନା (ଟ୍ରେଜେରୀ)ରେ ଅଭୁତପୂର୍ବ ସୁରକ୍ଷା ବଳୟ ମଧ୍ୟରେ ଏହାକୁ ରଖାଯାଉଥିଲା । ଏହା ସତ୍ତ୍ବେ ମହାରାଜା ଏହି ଅଭିଶପ୍ତ ହୀରାର ଇତିହାସ ସମ୍ପର୍କରେ ଥିଲେ ସଂପୂର୍ଣ୍ଣ ସଚେତନ । ସେ ଜାଣିଥିଲେ ଏହି ହୀରାକୁ କୌଣସି ସୁଲତାନ ଅଧିକ ଦିନ ପାଇଁ ନିଜ ପାଖରେ ରଖିପାରିନାହାନ୍ତି ।”

Why The Kohinoor should be restored to its rightful place at Jagannath Temple Puri : A must read piece by Anil Dhir - Bhubaneswar Buzz

୧୮୩୯ ଜୁନ ବେଳକୁ ଏକ ମସ୍ତିଷ୍କାଘାତର ଶିକାର ହେବା ପରେ ମହାରାଜା ପକ୍ଷାଘାତର ସମ୍ମୁଖୀନ ହେଲେ ଓ ସଂପୂର୍ଣ୍ଣ ଶଯ୍ୟାଶାୟୀ ହୋଇଗଲେ । ନିଜର ଅନ୍ତିମ ସମୟ ଆସୁଥିବା ଜାଣି ମହାରାଜା ବିଭିନ୍ନ ଧର୍ମାନୁଷ୍ଠାନକୁ ବିପୁଳ ପରିମାଣରେ ସଂପତ୍ତି ଦାନ କରିବାକୁ ନିଷ୍ପତ୍ତି ନେଲେ ।

ମହାରାଜାଙ୍କ ଦରବାର ଇତିହାସ ‘ଉମଦତ-ଉଲ-ତଓ୍ବାରିଖ’ରେ ଲିଖିତ ତଥ୍ୟ ଅନୁସାରେ ଜୁନ ୨୬ରେ, ମହାରାଜାଙ୍କ ମୃତ୍ୟୁର ଦିନକ ପୂର୍ବରୁ, ମହାରାଜାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା ଓ ସେ ବାକଶକ୍ତି ହରାଇସାରିଥିଲେ । ମୃତ୍ୟୁ ଆସନ୍ନପ୍ରାୟ ଜାଣି ମହାରାଜା ନିଜ ହାତର ସଂକେତ ମାଧ୍ୟମରେ ପୁରୀ ଶ୍ରୀ ଜଗନ୍ନାଥଙ୍କୁ କୋହିନୂର ହୀରା ଦାନ ପାଇଁ ନିର୍ଦ୍ଦେଶ ଦେଲେ । ନିଜର ପ୍ରମୁଖ ବ୍ରାହ୍ଣଣ ପୁରୋହିତ ଭାଇ ଗୋବିନ୍ଦ ରାମଙ୍କ ପରାମର୍ଶକ୍ରମେ ସେ ଏହି ନିଷ୍ପତ୍ତି ନେଇଥିଲେ ।

ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ଜ୍ୟେଷ୍ଠ ପୁତ୍ର ତଥା ଯୁବରାଜ ଖଡ଼ଗ ସିଂଙ୍କୁ ଏହି ହୀରାକୁ ଶ୍ରୀ ଜଗନ୍ନାଥଙ୍କୁ ଦାନ କରିବାକୁ ନିର୍ଦ୍ଦେଶ ଦିଆଗଲା । ମାତ୍ର ସେ କହିଲେ ଯେ ହୀରା କୋଷାଧ୍ୟକ୍ଷ ‘ବେଲି ରାମ‘ଙ୍କ ପାଖରେ ରହିଛି । ‘ବେଲି ରାମ‘ଙ୍କୁ ପଚାରିବାରେ ସେ କୌଣସି ସିଧାସଳଖ ଉତ୍ତରେ ଦେଲେ ନାହିଁ, ବିଭିନ୍ନ ବାହାନା କରି କଥାକୁ ଟାଳିବାରେ ଲାଗିଲେ । ପର ଦିନ ମହାରାଜାଙ୍କ ମୃତ୍ୟୁପରେ ‘ବେଲି ରାମ‘ କୋହିନୂରକୁ ପୁରୀକୁ ପଠାଇବାକୁ ମନା କଲେ । ତାଙ୍କ ଉତ୍ତର ଥିଲା କୋହିନୂର ସମଗ୍ର ପଂଜାବ ସାମ୍ରାଜ୍ୟର ସମ୍ପତ୍ତି, ମହାରାଜାଙ୍କ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ, ଏଣୁ ହୀରା ପୁରୀ ପଠାଯିବ ନାହିଁ ।

ଏହି ପରିଭାବରେ ମହାରାଜା ରଣଜିତ ସିଂହଙ୍କ ଅନ୍ତିମ ଇଚ୍ଛାକୁ ତାଙ୍କରି ପୁତ୍ର ଓ ଅନୁଚରମାନେ ପାଳନ କରି ନଥିଲେ । ତେବେ ପରବର୍ତ୍ତୀ କାଳରେ କୋହିନୂର ମହାରାଜାଙ୍କ ପୁତ୍ରମାନେ ରଖିପାରିନଥିଲେ । ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନି ହାତରେ ଶିଖ ସାମ୍ରାଜ୍ୟର ପତନ ହେଲା ଓ ହୀରାକୁ ବଳପୂର୍ବକ ହାସଲ କରିନେଲା କମ୍ପାନି । କମ୍ପାନି ତରଫରୁ ଏହି ହୀରାକୁ ବ୍ରିଟିଶ ମହାରାଣୀ ଭିକ୍ଟୋରିଆଙ୍କୁ ଉପହାର ଦିଆଯାଇଥିଲା । ଫଳରେ ପୁରୀ ଆସିବା ବଦଳରେ କୋହିନୂର ଚାଲିଗଲା ଲଣ୍ଡନ ।

କିନ୍ତୁ ବ୍ରିଟିଶ ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଏ ଯେ, ଏହି ହୀରାକୁ ନିଜେ ପଂଜାବର ମହାରାଜା ଦୁଲୀପ ସିଂ ରାଣୀଙ୍କୁ ଉପହାର ଦେଇଥିଲେ । କିନ୍ତୁ ପ୍ରକୃତ କଥା ହେଉଛି ସେତେବେଳେ ବାଳକ ଥିବା ମହାରାଜାଙ୍କୁ ତାଙ୍କ ମାତାଙ୍କଠାରୁ ବଳପୂର୍ବକ ଅଲଗା କରାଯାଇ ଇଂଲଣ୍ଡର ବକିଂହାମ ପ୍ରାସାଦରେ ରଖାଯାଇଥିଲା ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅର୍ପଣ ହେବାକୁ ଥିବା ଏହି ରତ୍ନ ବ୍ରିଟିଶ ମହାରାଣୀଙ୍କ ମୁକୁଟର ଶୋଭା ବର୍ଦ୍ଧନ କଲା । ଏବେ ମହାରାଣୀ ଏଲିଜାବେଥଙ୍କ ପରଲୋକ ପରେ ବ୍ରିଟେନର ନୂଆ ମହାରାଣୀ କାମିଲାଙ୍କ ମଥାର ଶୋଭାବର୍ଦ୍ଧନ କରିବ ଏହି ହୀରା ।

 

ସମ୍ବନ୍ଧିତ ଖବର