ଏମିତି ଆଉ କେତେ ଦିନ ଚାଲିବ?

ମହମ୍ମଦ ହିଫ୍‌ଜୁର ‌ରହେମାନ୍

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ନୂଆ କୃଷି ନୀତିକୁ ବି‌େରାଧ କରି ଚାଲିଥିବା ଚାଷୀ ଆନ୍ଦୋଳନକୁ ୨ ମାସ ହେଲାଣି। ଅଚଳାବସ୍ଥାର ଅବସାନ ଘଟାଇବା ଲାଗି ସରକାର ଏବଂ ଚାଷୀ ସଂଗଠନ ମଧ୍ୟରେ ୧୧ ଥର ଆଲୋଚନା ହେଲାଣି। କିନ୍ତୁ ଏପର୍ଯ୍ୟନ୍ତ ସୁଫଳ ମିଳିପାରି ନାହିଁ। ଉଭୟ ପକ୍ଷ୍ୟ ନିଜ ନିଜ ଜିଦରେ ଅଟଳ ରହିଛନ୍ତି। ପ୍ରଧାନମନ୍ତ୍ରୀ କହିଲେ ଯେ ଗୋଟିଏ ଫୋନ କଲ୍ କଲେ ଆଲୋଚନା ଆରମ୍ଭ ହୋଇଯିବ। ତଥାପି ଅଚଳାବସ୍ଥା ଦୂର ହେବାର ନାଁ ଧରୁନି। ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଆନ୍ଦୋଳନ କେତେ ଦିନ ଚାଲିବ କହିହେବ ନାହିଁ। ଚାଷୀ ସଂଗଠନ ମାନେ କହିଲେଣି ଯେ ନୂଆ ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଏମିତି ଚାଲୁଥିବ। ଅକ୍ଟୋବର ୨ ତାରିଖ ଯାଏଁ ସରକାରଙ୍କୁ ସମୟ ଦେଇଛନ୍ତି। ଯାହା ଜଣାପଡ଼ୁଛି ଯେ ନିକଟ ଭବିଷ୍ୟତରେ ଆନ୍ଦୋଳନ ସରିବ ବୋଲି କୌଣସି ସଙ୍କେତ ମଳୁନାହିଁ।

ଦୀର୍ଘ ଦିନ ଧରି ଏଭଳି ଚାଷୀ ଆନ୍ଦୋଳନ କେବେ ଦେଖିବାକୁ ମିଳିନଥିଲା। ତେବେ ଏହି ଅନ୍ଦୋଳନକୁ ନେଇ ଯେଉଁଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲାଣି, ତାହା ଅାମ ଦେଶ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି କୁହାଯାଇପାରେ। ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ଯେଭଳି ପଥଚ୍ୟୁତ ହୋଇ ଲାଲକିଲ୍ଲାରେ ଯେଉଁ ପରିସ୍ଥିତି ସୃଷ୍ଟି କଲା, ତାହା ଅତ୍ୟନ୍ତ ଲଜ୍ଜାନଜକ ଘଟଣା ଥିଲା। ଏଥିରେ କାହାରି ଦୁଇ ମତ ନାହିଁ। ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଥିବା ଲୋକେ, ଏପରିକିି ଚାଷୀ ନେତାମାନେ ମଧ୍ୟ ଏହା ସ୍ବୀକାର କରୁଛନ୍ତି। କିନ୍ତୁ କୁହାଯାଉଛି ଯେ ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି କିଛି ଅସାମାଜିକ ତତ୍ତ୍ବ ଏଭଳି କାଣ୍ଡ ଘଟାଇଛନ୍ତି। ଏହା ସତ କି ମିଛ ତାହା ପ୍ରକୃତ ତଦନ୍ତ ଦ୍ବାରା ହିଁ ଜଣାପଡ଼ିବ। କିନ୍ତୁ ଏହା ସତ ଯେ ଆନ୍ଦୋଳନ ଦୀର୍ଘ ଦିନ ଚାଲିଲେ ଏମିତି ଅନେକ ପରିସ୍ଥିିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ାଇ ‌େହବନାହିଁ।

ଚାଷୀ ଆନ୍ଦୋଳନକୁ ନେଇ ନିକଟ ଅତୀତ‌େର ଏମିତି କିଛି ଘଟଣା ଘଟିଯାଇଛି ଯାହା ଏଭଳି ଆଶଙ୍କାକୁ ଘନୀଭୂତ କରୁଛି। ଆମ ପାଇଁ ଏହାକୁ ସତର୍କ ଘଣ୍ଟି ବୋଲି କୁହାଯାଇପାରିବ। ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ କେତେକ ବିଦେଶୀ ସେଲିବ୍ରିଟିଙ୍କ ଟୁଇଟ୍‌କୁ ନେଇ ସବୁଠାରୁ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି। ଏହି ସେଲିବ୍ରିଟିମାନଙ୍କ ମଧ୍ୟରେ ଅଛନ୍ତି ଗ୍ରେଟା ଥନବର୍ଗ, ମିନା ହାରିସ, ରିହାନ୍ନା ଏବଂ ମିଆ ଖଲିଫା। ବିଦେଶରେ ଏମାନଙ୍କର ଲକ୍ଷ ଲକ୍ଷ ଅନୁଗାମୀ ଥାଇପାରନ୍ତି। କିନ୍ତୁ ଭାରତରେ ଏମାନଙ୍କୁ ଖୁବ୍‌ କମ୍ ଲୋକ ଜାଣିଥିଲେ। କିନ୍ତୁ ଭାରତ ସରକାର, ଆମ ଦେଶର କେତେକ ସେଲିବ୍ରିଟି ଏବଂ ଗଣମାଧ୍ୟମ ଏହାକୁ ନେଇ ଯେଭଳି ପ୍ରତିକ୍ରିୟା ପ୍ରକାଶ କଲେ ତାହା ସେମାନଙ୍କୁ ରାତ‌‌ାରାତି ପ୍ରସିଦ୍ଧ କରିଦେଲା। କେବଳ ଏତିକି ନୁହେଁ, ଚାଷୀ ଆନ୍ଦୋଳନ ମଧ୍ୟ ବିଶ୍ବର ଧ୍ୟାନ ଆକର୍ଷିତ କରିବାକୁ ଲାଗିଲା। ଟୁଇଟରକୁ ପ୍ଲାଟ୍‌ଫର୍ମ ରୂପେ ବ୍ୟବହାର କରି କେତେକ ବ୍ୟକ୍ତି ଓ ସଂଗଠନ ଚାଷୀ ଆନ୍ଦେ‌ାଳନ ପ୍ରସଙ୍ଗକୁ ବିସ୍ଫେ‌ାରକ କରିବାକୁ ଲାଗିଲେ। ଏଥିପାଇଁ ସରକାର ଦୀୟୀ ହୁଅନ୍ତୁ କି ଆନ୍ଦୋଳନ ସମର୍ଥକ, କିନ୍ତୁ ବିଶ୍ବ ଦରବାରରେ ଭାରତର ଭାବମୂର୍ତିକୁ ନେଇ ପ୍ରଶ୍ନ ଉଠିଲାଣି। ଏହା କେବଳ ସରକାରକୁ ନୁହେଁ, ଦେଶବାସୀଙ୍କୁ ମଧ୍ୟ ଚିନ୍ତାରେ ପକାଇଛି। ବିଶ୍ବରେ ଭାରତକୁ ବଦନାମ କରିବା ଲାଗି କେତେକ ବ୍ୟକ୍ତି/ସଂଗଠନ ଟୁଇଟର ମାଧ୍ୟମରେ ଚକ୍ରାନ୍ତ ଚଳାଇଥିବ‌ା ଦର୍ଶାଇ ଏମାନଙ୍କର ଆକାଉଣ୍ଟକୁ ବ୍ଲକ୍ କରିବା ଲାଗି ଭାରତ ସରକାର ଟୁଇଟରକୁ ନିର୍ଦେଶ ଦେଲେ। ଟୁଇଟର କିଛି ଆକାଉଣ୍ଟ ବ୍ଲକ୍ କଲା, କିନ୍ତୁ ଅନ୍ୟଗୁଡ଼ିକୁ ଛାଡ଼ିଦେଲା। ଏହାକୁ ନେଇ ଭାରତ ସରକାର ଏବଂ ଟୁଇଟର ମଧ୍ୟରେ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହୋଇଛି।

କଥ‌ା ଏଇଠି ଅଟକି ନାହିଁ। ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିବା କିମ୍ବ‌ା ଏହାକୁ ସମର୍ଥନ କରିଥିବା କେତେକ ବ୍ୟକ୍ତିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଯିବା ଏବଂ ସେମାନଙ୍କ ବିରୋଧରେ ପୋଲିସ ପକ୍ଷରୁ ଦେଶଦ୍ରୋହ ମାମଲା ଦାୟର କରାଯିବା ଘଟଣା ମଧ୍ୟ ଆହୁରି ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। ଭାରତ ଭଳି ବିଶ୍ବର ଏକ ଅନ୍ୟତମ ବୃହତ୍ ଶାନ୍ତିପ୍ରିୟ ଏବଂ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଏହିସବୁ ଘଟଣା ଆଦୌ ଶୁଭ ସଙ୍କେତ ଦେଉନାହିଁ। ଆନ୍ଦୋଳନ ଏହିଭଳି ଜାରି ରହିଲେ ଭବିଷ୍ୟତରେ ଏଥିରୁ ଅସାମାଜିକ ତତ୍ତ୍ବ ଫାଇଦା ନେବାକୁ ‌େଯକୌଣସି ଉଦ୍ୟମ କରିପାରନ୍ତି। ଏହି ସମ୍ଭାବନାକୁ ଏଡ଼ାଇ ଦେଇ ‌େହବ ନାହିଁ।

ଏଭଳି ପରିସ୍ଥିତିରୁ ଉଦ୍ଧାର ପାଇବା ଲାଗି ଏବେଠାରୁ ଉଦ୍ୟମ କରିବାକୁ ପଡ଼ିବ। ଏଥିପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର, ରାଜନୈତିକ ଦଳ, ସାମାଜିକ କର୍ମକର୍ତା, ନାଗରିକ ସମାଜ ଏବଂ ବିଭିନ୍ନ ସଂଗଠନମାନଙ୍କୁ ମିଳିତ ଉଦ୍ୟମ କରିବାକୁ ପଡ଼ିବ। ରାଜନୀତିରୁ ଊର୍ଦ୍ଧ୍ବରୁ ଉଠି ଦେଶର ବୃହତ୍ ସ୍ବାର୍ଥକୁ ଦେଖିବାକୁ ପଡ଼ିବ। ନିଜର ସମ୍ମାନ ଅପେକ୍ଷା ଦେଶର ସମ୍ମାନ ପାଇଁ ସମସ୍ତେ ଆଗେଇ ଆସିବା ହେଉଛି ସମୟର ଆହ୍ବାନ।

ସମ୍ବନ୍ଧିତ ଖବର