ନୂଆଦିଲ୍ଲୀ: କଶ୍ମୀରରୁ କେବେ ସମସ୍ତ କଟକଣା ଉଠାଯିବ ବୋଲି ସୁପ୍ରିମ୍‌ କୋର୍ଟ ଗୁରୁବାର ଦିନ କେନ୍ଦ୍ର ସରକାରଙ୍କୁ ଉତ୍ତର ମାଗିଛନ୍ତି। ଅଗଷ୍ଟ ୫ ତାରିଖ ଦିନ ଜମ୍ମୁ ଓ କଶ୍ମୀରରୁ ଧରା ୩୭୦ ଉଚ୍ଛେଦ କରାଯାଇ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ବେଳେ ଏହି କଟକଣା ସବୁ ଲାଗୁ କରାଯାଇଥିଲା।

Advertisment

ପିଟିସନ୍‌ ଶୁଣାଣି କରି ଜଷ୍ଟିସ୍‌ ଏନ୍‌ଭି ରମନଙ୍କ ନେତୃତ୍ୱାଧୀନ ତିନି ବିଚାରପତିବିଶିଷ୍ଟ ଖଣ୍ଡପୀଠ ପଚାରିଛନ୍ତି: କେତେ ଦିନ କଟକଣା ଚାହୁଁଛ? ଦୁଇ ମାସ ବିତିଗଲାଣି। ଏ ସଂକ୍ରାନ୍ତରେ ଆପଣ ସ୍ପଷ୍ଟ କରିବା ଉଚିତ ଏବଂ ଅନ୍ୟ ପ୍ରଣାଳୀ ଦେଖିବା ଉଚିତ।

publive-image The Hindu

ଏହାର ପ୍ରତ୍ୟୁତ୍ତରରେ ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା କହିଲେ ଯେ ସମୟକ୍ରମେ ଉପତ୍ୟକାରେ ଲାଗୁ ହୋଇଥିବା କଟକଣାର ସମୀକ୍ଷା କରାଯାଉଛି। ହିଂସା କାଣ୍ଡ ଘଟିଥିବା ଗୋଟିଏ ଦୁଇଟି ସ୍ଥାନକୁ ଛାଡ଼ି ବାକି ୯୯% ସ୍ଥାନରେ କଟକଣା ନାହିଁ।

କଟକଣାର ସମୀକ୍ଷା କରାଯିବା ପ୍ରସଙ୍ଗରେ ବିଚାରପତି ଜଷ୍ଟିସ୍‌ ସୁଭାଷ ରେଡ୍ଡୀ କହିଲେ: ଆପଣ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ କଟକଣା ଲାଗୁ କରିପାରନ୍ତି କିନ୍ତୁ, ଏହାର ସମୀକ୍ଷା ହେବା ଉଚିତ। ଏହାର ଜବାବରେ ମେହେଟା କହିଲେ ଯେ ଦୈନନ୍ଦିନ ଆଧାରରେ ତାହା ସମୀକ୍ଷା କରାଯାଉଛି।

ଏ ସଂକ୍ରାନ୍ତ ପରବର୍ତ୍ତୀ ଶୁଣାଣିକୁ ସୁପ୍ରିମ୍‌ କୋର୍ଟ ନଭେମ୍ବର ୫ ତାରିଖ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।