‘ଦ କଶ୍ମୀର ଫାଇଲସ୍‌’ରୁ ଅର୍ଜିତ ଆୟକୁ କଶ୍ମୀର ପଣ୍ଡିତଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯାଉ: କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏବେ କଶ୍ମୀର ପଣ୍ଡିତଙ୍କୁ ନେଇ ରାଜନୀତି ଚଳାଇଛନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶ୍ନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋ କେଜ୍ରିଓ୍ଵାଲ ପଚାରିଛନ୍ତି ଯେ ବିଗତ ୮ ବର୍ଷର ଶାସନକାଳ ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି), କଶ୍ମୀର ଛାଡ଼ି ପଳାୟନ କରିଥିବା କେତଜଣ ପଣ୍ଡିତଙ୍କୁ ଖୋଜି ବାହାର କରିଛି? ଓ ସେମାନଙ୍କୁ ପୁଣିଥରେ କଶ୍ମୀରକୁ ଫେରାଇ ଆଣିଛି?

ଏହି ପରିପ୍ରେକ୍ଷୀରେ ‘ଦ କଶ୍ମୀର ଫାଇଲସ୍‌’କୁ କର ମୁକ୍ତ କରାଯିବା ପ୍ରସଙ୍ଗରେ କେଜ୍ରିଓ୍ଵାଲ ପରାମର୍ଶ ଦେଇ କହିଛନ୍ତି ଯେ ‘ଦ କଶ୍ମୀର ଫାଇଲସ୍‌’କୁ ୟୁଟ୍ୟୁବରେ ଅପଲୋଡ୍‌ କରାଯିବା ଉଚିତ ଫଳରେ ସମସ୍ତ ଦେଶବାସୀ ଏହାକୁ ମାଗଣାରେ ଦେଖିବାର ସୁଯୋଗ ପାଇବେ ଏବଂ ‘ଦ କଶ୍ମୀର ଫାଇଲସ୍‌’ରୁ ଏପର୍ଯ୍ୟନ୍ତ ହୋଇଥିବା ଅର୍ଜିତ ଆୟକୁ କଶ୍ମୀର ପଣ୍ଡିତଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବା ଉଚିତ୍‌। ‘ଗତ ୮ ବର୍ଷ ମଧ୍ୟରେ ବିଜେପି ଦ୍ୱାରା ଗୋଟିଏ ବି କଶ୍ମୀରୀ ପଣ୍ଡିତ ପରିବାରକୁ କଶ୍ମୀରକୁ ସ୍ଥାନାନ୍ତର କରାଯାଇ ପାରିଛି କି?’ ବୋଲି କେଜ୍ରିୱାଲ ବିଜେପିକୁ ପଚାରଛନ୍ତି।

‘ବିଜେପି ଏହି ପ୍ରସଙ୍ଗରେ ରାଜନୀତି କରୁଛି। ଆମେ କଶ୍ମୀର ଫାଇଲ୍‌ ଚଳଚ୍ଚିତ୍ରକୁ ୟୁଟ୍ୟୁବରେ ଅପଲୋଡ୍‌ କରିବାକୁ ଦାବି କରୁଛୁ। ଏଥିରୁ ଅର୍ଜିତ ଅର୍ଥ କଶ୍ମୀର ପଣ୍ଡିତଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବା ଉଚିତ୍‌’ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ବଜେଟ୍‌ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ ତାଙ୍କ ଦ୍ୱାରା ପ୍ରଥମେ ଏହି ପରାମର୍ଶ ଦିଆଯାଇଥିଲା, ଯେତେବେଳେ ବିଧାନସଭା ଅଧିବେଶନ ସମୟରେ ସେ ଚଳଚ୍ଚିତ୍ରକୁ ଟିକସମୁକ୍ତ କରିବାର ପଦକ୍ଷେପକୁ ସମାଲୋଚନା କରିଥିଲେ ଏବଂ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କୁ ମାଗଣାରେ ଦେଖିବା ପାଇଁ ୟୁଟ୍ୟୁବରେ ଏହାକୁ ଅପଲୋଡ୍‌ କରିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର