ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧରେ କେତେ ସୈନିକଙ୍କ ମୃତ୍ୟୁ ହେଲାଣି?

କିବ୍‌: ଫେବ୍ରୁଆରି ୨୪ରେ ରୁଷ୍‌ ୟୁକ୍ରେନ୍‌ରେ ଯୁଦ୍ଧ ଆରମ୍ଭ କରିବାଠାରୁ ଏଯାବତ୍‌ ୩୦ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ୍‌ ଛାଡ଼ିଦେଲେଣି। ରୁଷ୍‌ ଲଗାତାର ଭାବେ ୟୁକ୍ରେନ ରାଜଧାନୀ କିବ୍‌, ଖାରକିଭ, ମାରିୟୁପୋଲ୍‌, ସୁମି ଏବଂ ଚେର୍ନିହିବରେ ବୋମାବର୍ଷା କରୁଛି। ତେବେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ଯୋଗୁଁ ରୁଷ୍‌ ଏବଂ ୟୁକ୍ରେନ୍‌ରେ କେତେ‌ ସୈନିକ ନିହତ ହେଲେଣି ସେନେଇ ଭିନ୍ନ ତଥ୍ୟ ମିଳିଛି। ଆମେରିକା ଅଧିକାରୀଙ୍କ ଆକଳନ ଅନୁଯାୟୀ ୟୁକ୍ରେନ୍‌ରେ ୭,୦୦୦ ରୁଷ୍‌ ସୈନିକ ନିହତ ହୋଇଛନ୍ତି ଏବଂ ୧୪,୦୦୦ ଆହତ ହୋଇଛନ୍ତି।

ଇରାକ୍‌ ଏବଂ ଆଫଗାନିସ୍ତାନରେ ୨୦ ବର୍ଷର ଯୁଦ୍ଧରେ ଆମେରିକା ହରାଇଥିବା ସୈନିକଙ୍କଠାରୁ ଏହି ସଂଖ୍ୟା ଅଧିକ। ତେବେ ଗତ ୨ ତାରିଖରେ ରୁଷ୍‌ କହିଥିଲା ଯେ, ଯୁଦ୍ଧ ଯୋଗୁଁ ଏହାର ୪୯୮ ସୈନିକ ନିହତ ହୋଇଛନ୍ତି ଏବଂ ୧୫୯୭ ଜଣ ଆହତ ହୋଇଛନ୍ତି। ମାର୍ଚ୍ଚ ୨ ତାରିଖର ରୁଷ୍‌ ବିବୃତି ଅନୁଯାୟୀ ଯୁଦ୍ଧ ଯୋଗୁଁ ୨୮୭୦ ୟୁକ୍ରେନ୍‌ ସୈନିକ ନିହତ ହୋଇଛନ୍ତି ଏବଂ ୨,୩୦୦ ଆହତ ହୋଇଛନ୍ତି। ୫୭୨ ୟୁକ୍ରେନ୍‌ ସୈନିକ ରୁଷ୍‌ କବ୍‌ଜାରେ ଅଛନ୍ତି ବୋଲି କୁହାଯାଇଥିଲା। ଅନ୍ୟପକ୍ଷେ ଡୋନେସ୍କ ପିପୁଲ୍ସ ରିପବ୍ଲିକ୍‌ ଅନୁଯ‌‌ାୟୀ ମାର୍ଚ୍ଚ ୧୧ ସୁଦ୍ଧା କେବଳ ଡୋନବାସ୍‌ ଅଞ୍ଚଳରେ ୯୭୯ ୟୁକ୍ରେନ୍‌ ସୈନିକ ନିହତ ହୋଇଛନ୍ତି ଏବଂ ୧୧୩୪ ଜଣ ଆହତ ହୋଇଛନ୍ତି। ଆମେରିକାର ଜଣେ ସାମରିକ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ ଯୁଦ୍ଧ ଯୋଗୁଁ ପ୍ରାୟ ୪୦୦୦ ୟୁକ୍ରେନ୍‌ ସୈନିକ ନିହତ ହୋଇଛନ୍ତି। ଜାତିସଂଘ ତଥ୍ୟ ଅନୁଯାୟୀ ଯୁଦ୍ଧ ପାଇଁ ୭୦୦ ନାଗରିକଙ୍କ ମୃତ୍ୟୁ ହେଲାଣି। କିନ୍ତୁ ୟୁ‌କ୍ରେନ୍‌ ଦାବି କରିଛି ଯେ କେବଳ ମାରିୟୁପୋଲ୍‌ ଏବଂ ଖାରକିଭରେ ୩ ହଜାର ଲୋକଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର