ପିଏଫଆଇ ଉପରେ ଏନଆଇଏ ଚଢଉ ଶେଷ, ବିପୁଳ ପରିମାଣରେ ଆପତ୍ତିଜନକ ସାମଗ୍ରୀ ଜବତ

ନୂଆଦିଲ୍ଲୀ : ମୌଳବାଦୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଉପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଚଢଉ ଶେଷ ହୋଇଛି । ଏହି ଚଢଉ ବେଳେ ପିଏଫଆଇର ଶତାଧିକ କର୍ମକର୍ତ୍ତା ଗିରଫ ହୋଇଥିବାବେଳେ ଅନେକ ପ୍ରକାରର ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ଏସବୁ ସାମଗ୍ରୀକୁ ପ୍ରମାଣଭାବେ ବିଭିନ୍ନ କୋର୍ଟରେ ଦାଖଲ କରାଯିବ ।

ସରକାରୀ ସୁତ୍ରରୁ ଜଣାପଡ଼ିଛି ଯେ, ଏହି ଚଢଉ ବେଶ ଶାନ୍ତିପୂର୍ଣ୍ଣ ଥିଲା ଓ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା ।

ତେବେ କେରଳ, ଆସାମ, ତାମିଲନାଡୁ ପରି କେତେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚେନ୍ନାଇରେ ପିଏଫଆଇ କର୍ମୀମାନେ ରାସ୍ତା ରୋକ କରିଥିବାବେଳେ କେରଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆସନ୍ତା କାଲି ଅର୍ଥାତ ଶୁକ୍ରବାରଦିନ କେରଳରେ ବନ୍ଦ ଡକରା ଦିଆଯାଇଛି ।

ଗତ କିଛି ବର୍ଷରେ ଦେଶର ହୋଇଥିବା ଅନେକ ହିଂସା ଘଟଣାରେ ପିଏଫଆଇର ହାତ ଥିବା ଏନଆଇଏ ଜାଣିବାକୁ ପାଇଛି । ଦେଶରେ ସାଂପ୍ରଦାୟିକ ସଦ୍ଭାବକୁ ବିଗାଡ଼ିବାକୁ ପିଏଫଆଇ କାମ କରୁଥିବା ଜଣାପଡ଼ିଛି । ତେବେ ଗୃହ ମନ୍ତ୍ରାଳୟ ଓ ଗୁଇନ୍ଦା ଏଜେନ୍ସିମାନେ ଗତ କିଛି ବର୍ଷ ହେଲା ପିଏଫଆଇର କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ । ଗୁରୁବାର ହୋଇଥିବା ଚଢଉରେ ପିଏଫଆଇର ଅନେକ ବରିଷ୍ଠ କର୍ମକର୍ତ୍ତା ଗିରଫ ହୋଇଛନ୍ତି । ଏହି ଚଢଉ ଦ୍ବାରା ପିଏଫଆଇ ପ୍ରତି ଏକ ବଡ଼ ଧକ୍କା ବୋଲି ମନେ କରାଯାଉଛି । ଆଗାମୀ ଦିନରେ ପିଏଫଆଇକୁ ନିଷିଦ୍ଧ କରିବା ଉପରେ ସରକାର ବିଚାର କରୁଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପ଼ଡ଼ିଛି ।

 

ସମ୍ବନ୍ଧିତ ଖବର