ନୂଆଦିଲ୍ଲୀ: ଯୁଦ୍ଧ ଓ ଶାନ୍ତି ହିଁ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବିତୀୟ ପାଳିକୁ ପରିଚାଳିତ କରୁଛି। ଯଦି ପ୍ରତ୍ୟେକ ବାଣିଜ୍ୟ ସହଯୋଗୀଙ୍କ ବିରୋଧରେ ତାଙ୍କର ଶୁଳ୍କ ଯୁଦ୍ଧ ଚାଲିଛି, ତେବେ ତାହା ପଛରେ ଅଛି ନୋବେଲ ଶାନ୍ତି ପୁରସ୍କାର ପାଇଁ ତାଙ୍କର ଲୋଭ। ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପ ଫଟୋଗ୍ରାଫିକ ପ୍ରମାଣ ସଂଗ୍ରହ କରୁଛନ୍ତି ଏବଂ ଏଥିରେ ଆର୍ମେନିଆ ଓ ଆଜରବାଇଜାନର ନେତାଙ୍କ ସହ ତାଙ୍କର ସଦ୍ୟତମ ଫଟୋ ଯୋଡ଼ି ହୋଇଛି।
ଟ୍ରମ୍ପ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କ ସହ ମଧ୍ୟ ଏକାଠି ଫଟୋ ଉଠାଇବାକୁ ଯାଉଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ଟ୍ରମ୍ପଙ୍କ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଦାବିକୁ ସମର୍ଥନ କରିବା ପାଇଁ ଚତୁରତାର ସହ ଯୋଜନା କରାଯାଉଥିବା ଫଟୋକୁ କୌଶଳର ସହ ଏଡ଼ାଇ ଯାଇଥିଲେ। ଜୁନ୍ ୧୭ରେ ଭାରତୀୟ ପ୍ରଧାନମନ୍ତ୍ରୀ ଜି-୭ ଶିଖର ସମ୍ମିଳନୀ ପରେ କାନାଡାରୁ ଫେରିବା ବେଳେ ଟ୍ରମ୍ପ ମୋଦୀଙ୍କୁ ଆମେରିକାରେ ଅଟକିବାକୁ ଅନୁରୋଧ କରିଥିବା ବେଳେ ସେ ଅଟକି ନ ଥିଲେ। ଅପରେସନ ସିନ୍ଦୂର ଓ ପାକିସ୍ତାନ ସହ ମିନି ଯୁଦ୍ଧ ପରେ ଟ୍ରମ୍ପଙ୍କ ସହ ମୋଦୀଙ୍କର ଏହା ପ୍ରଥମ କଥାବାର୍ତ୍ତା ଥିଲା। ମୋଦୀଙ୍କୁ ଅଟକିବା ପାଇଁ ନିମନ୍ତ୍ରଣ କରିବା ଟମ୍ପଙ୍କ ପାଇଁ କୌଣସି ସୌଭାଗ୍ୟ ଆଣି ନ ଥିଲା। ଜୁନ୍ ୧୮ରେ ଓଭାଲ ଅଫିସରେ ଟ୍ରମ୍ପ ପାକିସ୍ତାନର ସେନାମୁଖ୍ୟ ଅସୀମ ମୁନିରଙ୍କୁ ଭେଟିବା ପରେ ମୋଦୀଙ୍କୁ ନିମନ୍ତ୍ରଣ କରିବା ଏକ ଷଡ୍‌ଯନ୍ତ୍ର ଭଳି ମନେ ହେଉଛି।
ଆମେରିକୀୟ ରାଷ୍ଟ୍ରପତି ନିଜକୁ ଜଣେ ଯୋଗ୍ୟ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରିବାକୁ ଚାହାନ୍ତି। ସେ ୩୫ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଆର୍ମେନିଆ ଓ ଆଜରବାଇଜାନ ଯୁଦ୍ଧର ଅନ୍ତ ଘଟାଇବାର ଶ୍ରେୟ ଦାବି କରିଛନ୍ତି। ଆଜରବାଇଜାନର ରାଷ୍ଟ୍ରପତି ଇଲହାମ ଅଲିୟେଭ ଓ ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାସିନ୍ୟାନ ହ୍ୱାଇଟ୍ ହାଉସ୍‌ରେ ଏକ ଶାନ୍ତିଚୁକ୍ତିରେ ସ୍ୱାକ୍ଷର କରିଛନ୍ତି। ଟ୍ରମ୍ପଙ୍କ ନୋବେଲ ଶାନ୍ତି ଫାଇଲ ପାଇଁ ଥିବା ଫଟୋରେ ସେ ଅଲିୟେଭ ଓ ପାସିନ୍ୟାନଙ୍କ ସହ ହୋଇଥିବା ଚୁକ୍ତିର ଦସ୍ତାବିଜକୁ ଧରି ହସୁଥିଲେ।
ଆର୍ମେନିଆ ଓ ଆଜରବାଇଜାନ ଶାନ୍ତି ଚୁକ୍ତିକୁ ଜେଲେନସ୍କି ପ୍ରଶଂସା କରିଥିଲେ, ଯାହାଙ୍କୁ ଖୁବଶୀଘ୍ର ଏକ ଫଟୋ-ଅପ୍ ପାଇଁ ଡକାଯାଇପାରେ। ଆମେରିକାର ଜଣେ ବରିଷ୍ଠ ଅଧିକାରୀଙ୍କ ବୟାନ ଦେଇ ଏନ୍‌ବିସି ନ୍ୟୁଜ୍ ରିପୋର୍ଟ କରିଛି ଯେ ହ୍ୱାଇଟ୍ ହାଉସ୍ ଜେଲେନସ୍କିଙ୍କୁ ଆଲାସ୍କାକୁ ନିମନ୍ତ୍ରଣ କରିବାକୁ ବିଚାର କରୁଛି, ଯେଉଁଠାରେ ଟ୍ରମ୍ପ ଚଳିତ ସପ୍ତାହରେ ପୁଟିନଙ୍କୁ ଭେଟିବେ। ସେଠାରେ ଏକ ତ୍ରିପାକ୍ଷିକ ବୈଠକ ହେବ ବୋଲି ସମସ୍ତେ ବହୁତ ଆଶାବାଦୀ ଅଛନ୍ତି। ଓଭାଲ ଅଫିସରେ ଟ୍ରମ୍ପ ଓ ତାଙ୍କ ଡେପୁଟି ଜେଡି ଭାନ୍ସଙ୍କ ଦ୍ୱାରା ସର୍ବସାଧାରଣରେ ସମାଲୋଚନାର ସ୍ୱାଦ ଚାଖିଥିବା ଜେଲେନସ୍କି ଜାଣନ୍ତି ଯେ ତ୍ରିପାକ୍ଷିକ ବୈଠକ କ’ଣ ହୋଇପାରେ। ଟ୍ରମ୍ପ-ପୁଟିନ୍‌ଙ୍କ ଆଲାସ୍କା ବୈଠକରେ ସାଢ଼େ ୩ ବର୍ଷର ଯୁଦ୍ଧର ଅନ୍ତ ଘଟାଇବା ପାଇଁ ସର୍ତ୍ତାବଳୀ ନିର୍ଦ୍ଧାରଣ ହୋଇପାରେ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଚିନ୍ତିତ ଅଛନ୍ତି। କିନ୍ତୁ ୟୁକ୍ରେନ ଆମେରିକାର ବିନା ସମର୍ଥନରେ ରୁଷ୍ ବିରୋଦ୍ଧରେ ଯୁଦ୍ଧ ଜାରି ରଖିପାରିବ ନାହିଁ ଏବଂ ଏହା ଜେଲେନସ୍କିଙ୍କୁ ଅଡୁଆରେ ପକାଇଛି। ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଳି ସେ ଟ୍ରମ୍ପଙ୍କୁ ‘ନା’ କହିବା ସ୍ଥିତିରେ ନାହାନ୍ତି। ଟ୍ରମ୍ପ ଆର୍ମେନିଆ ଓ ଆଜରବାଇଜାନର ନେତାମାନଙ୍କୁ ଏକ କୋଠରିରେ ଏକାଠି କରିବାରେ ସକ୍ଷମ ହୋଇଥିଲେ ଏବଂ ପୁଟିନଙ୍କ ସହ ଗୋଟିଏ ଫ୍ରେମ୍‌ରେ ଜେଲେନସ୍କିଙ୍କୁ ଆଲାସ୍କାକୁ ଟାଣିବାକୁ ଚେଷ୍ଟା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ହିଁ ଆମେରିକା ରାଷ୍ଟ୍ରପତିଙ୍କ ଫଟୋ-ଅପ୍ ଜାଲରୁ ବର୍ତ୍ତି ଯାଇଥିଲେ।