ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଲେ ବେଳେବେଳେ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ଥଳ ବିଶେଷରେ ଜଣପିଛା ଦୁଇରୁ ପାଞ୍ଚଲକ୍ଷ ଟଙ୍କା ଯାଏ କ୍ଷତିପୂରଣ/ଅନୁକମ୍ପା ରାଶି ଘୋଷଣା କରିବା ଦେଖାଯାଇଥାଏ। ସାଧାରଣତଃ କୌଣସି ବଡ଼ ଦୁର୍ଘଟଣାରେ ଆଠଦଶ ଜଣଙ୍କର ମୃତ୍ୟୁ ଘଟିଲେ ଯାଇ ଏପରି ଅନୁକମ୍ପା ରାଶି ଘୋଷଣା ହୋଇଥାଏ। ଛୋଟ ଦୁର୍ଘଟଣାରେ ଜଣେ, ଦୁଇଜଣ ଏପରିକି ତିନିଚାରି ଜଣଙ୍କର ମୃତ୍ୟୁ ହେଲେ ମଧ୍ୟ ସରକାର ଗାଲେଇଦିଅନ୍ତି। ସେପରି କିଛି ଘୋଷଣା ହୋଇନଥାଏ। ଜୀବନବୀମା ଅଛି ତ ଅଛି, ନହେଲେ ପରିବାର ବର୍ଗଙ୍କୁ ଟଙ୍କାଟିଏ ମଧ୍ୟ ମିଳିବାର ସମ୍ଭାବନା ନ ଥାଏ। ସାଧାରଣତଃ, ଅଧିକ ଲୋକ ମୃତାହତ ହେଲେ ଯାଇ ସରକାର ଅନୁକମ୍ପା ରାଶି ଘୋଷଣା କରନ୍ତି। ଏହାର ଅର୍ଥ ହେଲା, ସରକାରଙ୍କ ଅନୁକମ୍ପା ରାଶି ପାଇବାକୁ ହେଲେ ଏକସାଙ୍ଗେ ଅଧିକ ଲୋକଙ୍କୁ ମରିବାକୁ ହେବ ବା ଅଧିକ ପରିବାରକୁ ଉଜୁଡ଼ିବାକୁ ପଡ଼ିବ। ଗୋଟିଏ ଦୁଇଟି ପରିବାର ଉଜୁଡ଼ିଲେ ସତେ ଯେମିତି କିଛି କ୍ଷତି ହେଲା ବୋଲି ଧରାଯିବ ନାହିଁ! ଏହା ନିହାତି ଏକ ବିଚିତ୍ର ବ୍ୟବସ୍ଥା।
ଧରି ନିଆଯାଉ, ଗୋଟିଏ ସଡ଼କ ଦୁର୍ଘଟଣା​େର ୧୨ ଜଣଙ୍କର ମୃତ୍ୟୁ ହେଲା, ସେମାନଙ୍କର ୧୨ଟି ପରିବାର ଉଜୁଡ଼ିଗଲା। ଆଉ ଏକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହେବାରୁ ସେମାନଙ୍କର ତିନୋଟି ପରିବାର ଉଜୁଡ଼ିଗଲା। ସେଇ ୧୨ଟି ପରିବାର କିଛିଟା ଭାଗ୍ୟବାନ ଏଇଥି ପାଇଁ ଯେ, ସେମାନଙ୍କ ଆତ୍ମୀୟଙ୍କ ମୃତ୍ୟୁ ପରେ ସରକାରୀ ଅନୁକମ୍ପା ମିଳୁଛି। ଅନ୍ୟ ପକ୍ଷରେ ସେଇ ତିନୋଟି ପରିବାର ହତଭାଗ୍ୟ ଏଇଥି ପାଇଁ ଯେ, ସେମାନଙ୍କୁ ଟଙ୍କାଟିଏ ଦେବା ପାଇଁ ମଧ୍ୟ ସରକାରଙ୍କର ହେତୁ ନାହିଁ। ସରକାରଙ୍କ ଦୃଷ୍ଟିରେ ଅଧିକ ଲୋକଙ୍କ ମୃତ୍ୟୁ ହେଲେ ଯାଇ ତାକୁ କରୁଣ, ମର୍ମନ୍ତୁଦ କୁହାଯାଇପାରିବ। ଦୁଇତିନି ଜଣଙ୍କର ମୃତ୍ୟୁ ହେଲେ ମର୍ମନ୍ତୁଦ କୁହାଯାଇପାରିବ ନାହିଁ। ଏହାକୁ ତୋଗ୍ଲକି ଶାସନ କୁହାଯିବ ନାହିଁ ତ ଆଉ କ’ଣ? ସମସ୍ତଙ୍କର ଅଲକ୍ଷ୍ୟରେ ସାରା ଦେଶରେ ଏପରି ଏକ ଆଡ଼୍ବାୟା ନିୟମ ଚାଲିଛି; ସରକାରମାନେ ଖିଆଲି ନିଷ୍ପତ୍ତି ନେଇଚାଲିଛନ୍ତି। ଅଥଚ ଏ ନେଇ ନାଗରିକ ସମାଜ ସାମାନ୍ୟତମ ପ୍ରତିବାଦ ମଧ୍ୟ କରୁନାହିଁ। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏ ନେଇ ବାକ୍ବିତଣ୍ଡା ନାହିଁ।