ୱାଶିଂଟନ: କାନାଡାର ନ୍ୟୁଫାଉଣ୍ଡଲ୍ୟାଣ୍ଡ ନିକଟରେ ଟାଇଟାନିକ୍ ଜାହାଜର ଭଗ୍ନାବଶେଷ ଦେଖିବାକୁ ଯାଇଥିବା ଟାଇଟାନ ନାମକ ଏକ ବୁଡ଼ାଯାନ (ସବମର୍ସିବଲ) ଗତ ୧୮ ତାରିଖରେ ନିଖୋଜ ହୋଇଯାଇଥିଲା। ଅନେକ ଦେଶର ଟିମ୍ ଉଦ୍ଧାର କାର୍ଯ୍ୟ କରିଥିଲେ, ଯେଉଁଥିରେ ଏହାର ଭଗ୍ନାବଶେଷ ଠାବ କରାଯାଇଥିଲା। ଆମେରିକୀୟ ତଟରକ୍ଷୀ ବାହିନୀର ସୂଚନା ଅନୁଯାୟୀ, ଅତ୍ୟଧିକ ଚାପରେ ଟାଇଟାନର ବିସ୍ଫୋରଣ ହୋଇଥିଲା ଏବଂ ସମସ୍ତ ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଆମେରିକା, କାନାଡା, ଫ୍ରାନ୍ସ ଏବଂ ବ୍ରିଟେନ ସରକାରଙ୍କ ଜାହାଜ, ବିମାନ ଏବଂ ସମୁଦ୍ର ଡାଇଭ ରୋବୋଟ୍ ଏହି ଉଦ୍ଧାର ଅଭିଯାନରେ କୋଟି କୋଟି ଡଲାର ଖର୍ଚ୍ଚ କରିଛନ୍ତି। କିନ୍ତୁ ଏବେ ବଡ଼ ପ୍ରଶ୍ନ ହେଉଛି ବୁଡ଼ାଜାହାଜ ଓ ସେଥିରେ ବସିଥିବା କୋଟିପତିଙ୍କୁ ଖୋଜିବା ପାଇଁ ଚାଲିଥିବା ଉଦ୍ଧାର ଅଭିଯାନ ପାଇଁ କେତେ ଖର୍ଚ୍ଚ ହୋଇଥିଲା ?

Advertisment

ଏହି ଅପରେସନରେ କାନାଡାର ଏକ ପାଟ୍ରୋଲିଂ ବିମାନ ଓ ଦୁଇଟି ବୋଟ୍ ନିୟୋଜିତ ହୋଇଥିଲେ। ଏହା ସହ ଫ୍ରାନ୍ସର ଭିକ୍ଟର ୬୦୦୦ ରୋବଟ ମଧ୍ୟ ଏହି ସର୍ଚ୍ଚରେ ସାମିଲ ହୋଇଥିଲା । ଆମେରିକା ତଟରକ୍ଷୀ ବାହିନୀ ଟାଇଟନ୍ କୁ ଠାବ କରିବାରେ କେତେ ଖର୍ଚ୍ଚ ହୋଇଛି ତାହା ପ୍ରକାଶ କରିବାକୁ ମନା କରିଦେଇଛି। କିନ୍ତୁ ସରକାରୀ ଅଧିକାରୀଙ୍କ ସହ ସାକ୍ଷାତକାର ଏବଂ ଜନସାଧାରଣଙ୍କ ସୂଚନା ଆଧାରରେ ୱାଶିଂଟନ ପୋଷ୍ଟ ଏହାର ମୂଲ୍ୟ ୧.୨ ନିୟୁତ ଡଲାର (୯.୮ କୋଟି ଟଙ୍କା) ହେବ ବୋଲି ଆକଳନ କରିଛି। ନ୍ୟାସନାଲ ଆସୋସିଏସନ୍ ଫର୍ ସର୍ଚ୍ଚ ଆଣ୍ଡ  ରେସ୍କ୍ୟୁର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କ୍ରିସ୍ ବୟରଙ୍କ କହିବାନୁଯାୟୀ, ଏହାର ଖର୍ଚ୍ଚ ଆହୁରି ଅଧିକ ହୋଇପାରେ ।