ନୂଆଦିଲ୍ଲୀ: କୋଟିପତିମାନଙ୍କର ଖେଳପଡ଼ିଆ କୁହାଯାଉଥିବା ମନାକୋ ଦେଶରେ ଥିବା ବିଶ୍ବର ସବୁଠୁ ବିତ୍ତଶାଳୀ ୧% ଲୋକମାନଙ୍କ ସମକକ୍ଷ ହେବା ପାଇଁ ୮ ଅଙ୍କବିଶିଷ୍ଟ ମୂଲ୍ୟର ସମ୍ପଦ ଆବଶ୍ୟକ ବୋଲି ‘ବ୍ଲୁମ୍ବର୍ଗ’ ରିପୋର୍ଟ କରିଛି।
‘ନାଇଟ୍ ଫ୍ରାଙ୍କ୍’ କରିଥିବା ଗବେଷଣା ଅନୁସାରେ, ବ୍ରିଟିସ୍ ଶିଳ୍ପପତି ଜିମ୍ ରାଟ୍କ୍ଲଫ୍ ଏବଂ ‘ୱାଲ୍ଗ୍ରିନ୍ସ୍ ବୁଟ୍ସ୍ ଆଲିଏନ୍ସ୍’ର ଅଧ୍ୟକ୍ଷ ଷ୍ଟିଫାନୋ ପିସିନାଙ୍କୁ ଆୟକର ଦେବାକୁ ପଡୁ ନ ଥିବା ଏହି କ୍ଷୁଦ୍ର ଭୂମଧ୍ୟସାଗରୀୟ ନଗରୀ ରାଷ୍ଟ୍ରରେ ପ୍ରବେଶ କରିବାକୁ ହେଲେ ଅନ୍ୟୂନ ୧୨.୪ ନିୟୁତ ଆମେରିକୀୟ ଡଲାର୍ ଆବଶ୍ୟକ।
ସେହିପରି, ସ୍ବିଜର୍ଲାଣ୍ଡ୍ ଏବଂ ଅଷ୍ଟ୍ରେଲିଆରେ ଥିବା ବିଶ୍ବର ୧% ଧନିକମାନଙ୍କ ସମକକ୍ଷ ହେବା ପାଇଁ ଯଥାକ୍ରମେ ୬.୬ ଓ ୫.୫ ନିୟୁତ ଆମେରିକୀୟ ଡଲାର୍ ଆବଶ୍ୟକ ବୋଲି ଆଜି ପ୍ରକାଶ ପାଇଥିବା ୨୦୨୩ ପ୍ରପର୍ଟି ବ୍ରୋକର୍ସ ‘ୱେଲ୍ଥ୍ ରିପୋର୍ଟ’ରେ ପ୍ରକାଶିତ ତଥ୍ୟାବଳିରୁ ଜଣାପଡ଼ିଛି। ଆମେରିକାରେ ୧% ଧନିକମାନଙ୍କ ମଧ୍ୟରେ ସାମିଲ ହେବା ପାଇଁ ୫.୧ ନିୟୁତ ଆମେରିକୀୟ ଡଲାର୍ ଆବଶ୍ୟକ।
ମହାମାରୀ ଏବଂ ଜୀବନଯାପନ ମୂଲ୍ୟର ଦ୍ରୁତ ବୃଦ୍ଧି କିଭଳି ଧନୀ ଓ ଦରିଦ୍ର ରାଷ୍ଟ୍ରମାନଙ୍କ ମଧ୍ୟରେ ଥିବା ବ୍ୟବଧାନ ବୃଦ୍ଧି କରୁଛି ତାହା ଏହି ଅଧ୍ୟୟନରୁ ଜଣାପଡ଼ିଛି।
ବିଶ୍ବବ୍ୟାପୀ ସ୍ବଳ୍ପ ଆୟକାରୀ ପରିବାର ଉପରେ ମୁଦ୍ରାସ୍ଫୀତି ବୋଝ ପଡୁଥିବାରୁ ସେମାନେ ସେମାନଙ୍କ ଆୟର ବହୁଳାଂଶ ଖାଦ୍ୟ ଓ ବାସଗୃହରେ ବ୍ୟୟ କରୁଛନ୍ତି ବୋଲି ବିଶ୍ବ ବ୍ୟାଙ୍କ୍ କହିଛି।
ସେହିପରି, ଚଳିତ ବର୍ଷ ୫୦୦ ସବୁଠୁ ବିତ୍ତଶାଳୀ ବ୍ୟକ୍ତି ସେମାନଙ୍କ ସମ୍ମିଳିତ ସମ୍ପତ୍ତିରେ ପ୍ରାୟ ୬୦୦ ବିଲିୟନ୍ ଡଲାର୍ ସାମିଲ କରିଛନ୍ତି ବୋଲି ‘ବ୍ଲୁମ୍ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ୍’ରେ ଉଲ୍ଲେଖ ଅଛି।