ସ୍ତ୍ରୀକୁ ମିଛ କହି ପ୍ରେମିକା ସହ ମାଲଦ୍ୱୀପ ବୁଲିବାକୁ ଯାଇଥିଲା ସ୍ବାମୀ, ଉଠାଇ ନେଲା ପୁଲିସ

ମୁମ୍ବାଇ: ସ୍ତ୍ରୀକୁ ମିଛ କହି ପ୍ରେମିକା ସହ ମାଲଦ୍ୱୀପ ବୁଲିବାକୁ ଯାଇଥିଲା ସ୍ବାମୀ। ଉଠାଇ ନେଲା ପୁଲିସ। ମୁମ୍ବାଇରେ ରହୁଥିବା ଜଣେ ଯୁବକ ପ୍ରେମିକା ସହ ମାଲଦ୍ୱୀପ ବୁଲିବାକୁ ଯିବା ପାଇଁ ସ୍ତ୍ରୀକୁ ମିଛ କହିଥିଲେ। ଅଫିସ କାମରେ ବାହାରକୁ ଯାଉଛି କହି ମାଲଦ୍ୱୀପ ଯାଇଥିଲେ ସ୍ବାମୀ। ‌ପରେ ସ୍ତ୍ରୀଠାରୁ ଏକଥା ଲୁଚାଇବା ପାଇଁ ଯୁବକଜଣକ ନିଜ ପାସପୋର୍ଟରୁ ମାଲଦ୍ୱୀପ ଯାଇଥିବାର ସୂଚନା ହଟାଇଦେଇଥିଲେ। ହେଲେ ତାଙ୍କୁ ଜଣାନଥିଲା ଏଥିପାଇଁ ତାଙ୍କୁ ଜେଲ ଯିବାକୁ ପଡ଼ିପାରେ।

ସୂଚନା ମୁତାବକ, ଗିରଫ ୩୨ବର୍ଷିୟ ଇଞ୍ଜିନିୟର ଏମଏନସିରେ କାମ କରନ୍ତି। ପ୍ରେମିକା ସହ ବୁଲିବା ପାଇଁ ମନ ହେବାରୁ ଅଫିସର କାମ ପାଇଁ ବିଦେଶ ଯିବାକୁ ହେବ ବୋଲି ପତ୍ନୀକୁ କହିଥିଲେ ଯୁବକ। ମାଲଦ୍ୱୀପ ଯିବା ପରେ ସେ ଆଉ ନିଜ ପତ୍ନୀଙ୍କ ଫୋନ ଉଠାଇନଥିଲେ। ପତ୍ନୀ ବାରମ୍ବାର ଫୋନ କରିବା ପରେ ମଧ୍ୟ ଫୋନ ଉଠାଇନଥିବାରୁ ଧରାପଡ଼ିଯିବା ଡରରେ ପାସପୋର୍ଟରେ ମାଲଦ୍ୱୀପ ଯାଇଥିବା ନେଇ ଥିବା ସୂଚନାକୁ ଚିରି ଦେଇଥିଲେ ଯୁବକ। ପତ୍ନୀ ଜାଣିପାରିବେ ନାହିଁ ବୋଲି ଭାବି ଖୁସିରେ ଇଞ୍ଜିନିୟରଜଣକ ଗୁରୁବାର ରାତିରେ ମୁମ୍ବାଇରେ ପହଞ୍ଚିଥିଲେ। ହେଲେ ବିମାନବନ୍ଦରରେ ଥିବା ବିଦେଶଯାତ୍ରା କର୍ତ୍ତୃପକ୍ଷ ଯାଞ୍ଚ ସମୟରେ ତାଙ୍କ ପାସପୋର୍ଟରୁ ପୃଷ୍ଠା ୩-୬ ଏବଂ ୩୧-୩୪ ନଥିବା ଜାଣିପାରିଥିଲେ। ଯେତେବେଳେ ଏହା ବିଷୟରେ ତାଙ୍କୁ ପଚରାଗଲା, ଏହାର ସଠିକ ଉତ୍ତର ଦେଇପାରିନଥିଲେ ଯୁବକ। ଏହି କାରଣରୁ ତାଙ୍କୁ ଠକେଇ ଓ ଜାଲିଆତି ଅଭିଯୋଗରେ ଏବେ ପୁଲିସକୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର