ଏବେ କ’ଣ କରିବ ପାକିସ୍ତାନ

ନୂଆଦିଲ୍ଲୀ: ପୁଲଵାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତର ପଦକ୍ଷେପକୁ ବିଶ୍ବବ୍ୟାପୀ ଅପେକ୍ଷା କରି ରହିଥିଲେ। ତେବେ ସୋମବାର ବିଳମ୍ବିତ ରାତିରେ ଭାରତୀୟ ବାୟୁସେନା ଯେଭଳି ପାକିସ୍ତାନରେ ପଶି ବାଲାକୋଟ ସ୍ଥିତ ଜୈସ୍ ଶିବିର ଧ୍ବଂସ କଲା, ସେଥିରେ ସମସ୍ତେ ସ୍ତବ୍ଧ ହୋଇଛନ୍ତି। ଭାରତର ଏହି ପ୍ରତିଶୋଧମୂଳକ କାର୍ଯାନୁଷ୍ଠାନକୁ ପାକିସ୍ତାନ ଆଉ ଫାଙ୍କିପାରୁନାହିଁ। ତଥାପି ନିହତ ଆତଙ୍କବାଦୀଙ୍କ ଶବକୁ ଗାଏବ କରି ପ୍ରମାଣ ଲୁଚାଇବାର ଅପଚେଷ୍ଟା କରିବା ସହ ଘଟଣାର ୧୨ ଘଣ୍ଟା ପରେ ମୁହଁ ଖୋଲିଛି। ନିର୍ବାଚନୀମୁହାଁ ଭାରତ ଦେଶବାସୀଙ୍କ ପାଖରେ ସରକାରୀ ହାଵା ପ୍ରବାହ କରିବା ପାଇଁ ଏଭଳି ଆକ୍ରମଣ କରି ସମଗ୍ର ଅଞ୍ଚଳରେ ଶାନ୍ତିଭଙ୍ଗ କରିବାର ଦୁଃସାହସ କରିଛି ବୋଲି ଏଣେ ଅଭିଯୋଗ କରିବା ସହ ଭାରତର ଏଭଳି ଆକ୍ରମଣାତ୍ମକ ଅଭିଯାନକୁ ମୁକାବିଲା କରିବା ଲାଗି ପ୍ରସ୍ତୁତ ବୋଲି କହିଛି। ପୁଲଵାମା ଆକ୍ରମଣ ପରେ ଭାରତୀୟ ସେନା ଠିକଣା ସମୟ ଏବଂ ଠିକଣା ସ୍ଥାନରେ ପ୍ରତିଶୋଧ ନେବ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ବିବୃତି ପରି ପାକିସ୍ତାନ ମଧ୍ୟ ଅନୁରୂପ ଢଙ୍ଗରେ ଜବାବ ଦେବ ବୋଲି ମୁହଁ ଟାଣ କରି କହିଛି। ତେବେ ଏଭଳି ସ୍ଥିତିରେ ବିଶ୍ବ ଦରବାରରେ ନିଜର ସମ୍ମାନଜନକ ସ୍ଥିତି ଆଣିବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସରକାର ପାଇଁ କଣ ସବୁ ବିକଳ୍ପ ରହିଛି ତାହା ଏବେ ଆଲୋଚ୍ୟ ବିଷୟ ହୋଇଛି।
ଭାରତୀୟ ବାୟୁସେନାର ଦାବି ମୁତାବକ କ୍ଷୟକ୍ଷତିକୁ ପାକିସ୍ତାନ ଗ୍ରହଣ କରୁ କି ନକରୁ, ନିଜର ଉଡ଼ାଣ ଅଞ୍ଚଳରେ ଅଜାଣତରେ ବିଦେଶୀ ବିମାନ ପଶି ଆସି ଅକ୍ଷତ ଅବସ୍ଥାରେ ଫେରିଯିବା ହିଁ ଏହାର ପାରିବା ପଣିଆକୁ ପଦାରେ ପକାଇଛି। ତେବେ ଏ ପ୍ରସଙ୍ଗରେ ପାକିସ୍ତାନ ପାଇଁ ଦୁଇଟି ବିକଳ୍ପ ରହିଛି। ହୁଏ ତ ଭାରତର ଦାବି ଅନୁଯାୟୀ କ୍ଷୟକ୍ଷତି କି ମୃତାହତ ପରିମାଣକୁ ଅତି ନଗଣ୍ୟ ବୋଲି ଦର୍ଶାଇ ତାହାକୁ ସେତେ ଗୁରୁତ୍ବ ନଦେଇ ନିରବ ରହିଯିବ, ଅଥବା ଉଚିତ ଜବାବ ପାଇଁ ଆଗେଇ ଆସିବ। ଯଦି ପ୍ରଥମ ବିକଳ୍ପକୁ ଗ୍ରହଣ କରିବ, ତେବେ ଲୋକଙ୍କ ପାଖରେ ମୁହଁଟାଣ ନୀତି ଧରାପଡ଼ିଯିବା ସହ ଅସନ୍ତୋଷ ତୀବ୍ର ହେବ ଏବଂ ସରକାରଙ୍କ ଉପରୁ ଲୋକଙ୍କ ଭରସା ମଧ୍ୟ ତୁଟିଯିବ। ଅପରପକ୍ଷେ, ଯଦି ଦ୍ବିତୀୟ ବିକଳ୍ପ ସ୍ବରୂପ ଭାରତ ସହ ଲଢ଼େଇ କରେ, ଏଥିରେ ନଷ୍ଟ ହେବାକୁ ଥିବା ବିପୁଳ ଅର୍ଥ ଏବଂ ଭିତ୍ତିଭୂମିର ଭରଣା କରିବା କଷ୍ଟକର ହେବ। ଏଥି ସହିତ ଆଜିର ଘଟଣା ପରେ ବିଶ୍ବ ସମୁଦାୟରୁ ମିଳିଥିବା ପ୍ରତିକ୍ରିୟାରୁ ସେଭଳି ସ୍ଥିତି ପାକିସ୍ତାନକୁ ଆଦୌ ସୁହାଇବ ନାହିଁ ବୋଲି ସ୍ପଷ୍ଟ ହୋଇଛି। କାରଣ ସେଥିପାଇଁ ପାକିସ୍ତାନ ପଛରେ ଅନ୍ୟ ରାଷ୍ଟ୍ରମାନଙ୍କର ଦୃଢ଼ କୂତନୈତିକ ସମ୍ପର୍କ ଲୋଡ଼ା। ମାତ୍ର ଆତଙ୍କବାଦ ପ୍ରସଙ୍ଗରେ ଚୀନକୁ ଛାଡ଼ିଦେଲେ ଆଉ କେହି ପାକିସ୍ତାନକୁ ସହାୟତାର ହାତ ବଢ଼ାଇବ ନାହିଁ। ଏପରିକି ଚୀନ୍ ମଧ୍ୟ ଏଭଳି ସ୍ଥିତିରେ ପାକିସ୍ତାନକୁ ଠିକରେ ଗ୍ରହଣ କରିବ ବୋଲି କିଛି ମାନେ ନାହିଁ। ତେଣୁ ପାକିସ୍ତାନ କିଂକର୍ତ୍ତବ୍ୟବିମୂଢ଼ ହୋଇ କେବଳ ଭାଷଣବାଜିରେ ସମୟ ସାରିବା ସାର ହୋଇଛି।

ସମ୍ବନ୍ଧିତ ଖବର