ଆମେରିକା ଓ ଭାରତର ଜାଲରେ ଫସିଗଲା ପାକିସ୍ତାନ, କିପରି ଜାଣନ୍ତୁ

ନୂଆଦିଲ୍ଲୀ : ଗତ ସପ୍ତାହରେ ପାକିସ୍ତାନ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫଏଟିଏଫ)ର ଗ୍ରେ ଲିଷ୍ଟ ( ଧୂସର ତାଲିକା)ରେ ପାକିସ୍ତାନ ସାମିଲ ହେବା ପରେ ଏହାର ଅର୍ଥନୀତି ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଏହା ଦ୍ୱାରା ପାକିସ୍ତାନର ଆର୍ଥିକ ସଂକଟ ଆହୁରି ଗଭୀର ହେବ । ତେବେ ଏହି ସମ୍ମିଳନୀ ବେଳେ ପାକିସ୍ତାନ ଅତ୍ୟନ୍ତ ଲଜ୍ୱାଜନକ ପରିସ୍ଥିତିରେ ପଡିଯାଇଥିଲା । ନିଜର ମିତ୍ରରାଷ୍ଟ୍ରମାନଙ୍କ ଉପରେ ପାକିସ୍ତାନର ଏତେ ଭରଷା ଥିିଲା ଯେ ବୈଠକରେ ନିଷ୍ପତ୍ତି ହେବା ପୂର୍ବରୁ ପାକିସ୍ତାନର ବିଦେଶ ମନ୍ତ୍ରୀ ଟ୍ଵିଟ୍‌ କରିଥିଲେ ଯେ ଆମକୁ ସାହାଯ୍ୟ କରିଥିବାରୁ ଆମ ମିତ୍ରମାନଙ୍କୁ ଧନ୍ୟବାଦ । କିନ୍ତୁ ଫଳହେଲା ଓଲଟା । ପାକିସ୍ତାନର ଦୁଇ ବିଶ୍ୱାସୀ ବନ୍ଧୁରାଷ୍ଟ୍ର ସାଉଦିଆରବ ଓ ଚୀନ ଶେଷମୁହୂର୍ତ୍ତରେ ପାକିସ୍ତାନକୁ ଦେଉଥିବା ସମର୍ଥନ ପ୍ରତ୍ୟାହାର କରିନେଇଥିଲେ । ତେବେ ଏହା ପଛରେ ଆମେରିକା ଓ ଭାରତର ମିଳିତ କୂଟନୀତି କାମ ଦେଇଥିଲା ବୋଲି ଜଣାଯାଇଛି ।

ଏଫଏଟିଏଫର ପ୍ରସ୍ତାବକୁ କାଟିବା ପାଇଁ ଅତି କମରେ ତିନିଟି ରାଷ୍ଟ୍ରର ବିରୋଧ ଆବଶ୍ୟକ । ପ୍ରସ୍ତାବକୁ କାଟିବା ପାଇଁ ପାକିସ୍ତାନପଛରେ ଛିଡ଼ା ହୋଇଥିଲେ ଚୀନ, ସାଉଦିଆରବ ଓ ତୁର୍କୀ । ପ୍ରଥମେ ସାଉଦି ଆରବକୁ ଲୋଭ ଦେଖାଇ ନିଜ ପଟକୁ ନେଇଗଲା ଆମେରିକା । ପ୍ରସ୍ତାବକୁ ସମର୍ଥନ କଲେ ଏଫଏଟିଏଫର ସ୍ଥାୟୀ ସଦସ୍ୟ କରାଯିବ ବୋଲି ଆମେରିକାର ଥୋପକୁ ଏଡାଇପାରି ନଥିଲା ସାଉଦି । ସାଉଦି ଆରବ ଖସିବା ପରେ ପ୍ରସ୍ତାବ ବିରୋଧରେ ମାତ୍ର ୨ଟି ଦେଶ ରହିଥିଲେ, ଏଣୁ ଏହା ଆଗତ ହେବା ନିଶ୍ଚିତ ହୋଇଯାଇଥିଲା । ଚୀନ ଦେଖିଲା ଯେ ପ୍ରସ୍ତାବଟି ଯେମିତି ହେଲେ ଆଗତ ହେବାକୁ ଯାଉଛି, ଏଣୁ ପାକିସ୍ତାନକୁ ସମର୍ଥନ କରି ଲଜ୍ଜାକର ପରିସ୍ଥିତିର ସମ୍ମୁଖୀନ ହେବାକୁ ଚାହୁଁନଥିଲା ଚୀନ । ଏଣୁ ସେ ପଛଘୁଞ୍ଚା ଦେଇଥିଲା । ଆହୁରି ମଧ୍ୟ ପାକିସ୍ତାନକୁ ସମର୍ଥନ ପ୍ରତ୍ୟାହାର କଲେ ଏଫଏଟିଏଫର ଏକ ପ୍ରମୁଖ ପଦବୀକୁ ଚୀନକୁ ଦିଆଯିବ ବୋଲି ଆମେରିକା ଓ ଭାରତ ଚୀନକୁ ଲୋଭ ଦେଖାଇଥିଲେ । ଏହା ଫଳରେ ଚୀନ ମଧ୍ୟ ରାଜି ହୋଇଯାଇଥିଲା ।

ସମ୍ବନ୍ଧିତ ଖବର