ବସ୍ତିରେ ଚାଲିଥିବା ରାଜନୈତିକ ଦଳକୁ କେଉଁଠାରୁ ମିଳିଲା ୯୦ କୋଟି ଟଙ୍କା, ଛାନଭିନ ଆରମ୍ଭ କଲା ଆୟକର ବିଭାଗ

ମୁମ୍ବାଇ: ବସ୍ତିରେ ଚାଲିଥିଲା ଅଫିସ କିନ୍ତୁ ବ୍ୟାଙ୍କ ଆକାଉଣ୍ଟକୁ ଆସୁଥିଲା କୋଟି କୋଟି ଟଙ୍କା | ମହାରାଷ୍ଟ୍ରର ମୁମ୍ବାଇର ଏକ ବସ୍ତିରେ ଥିବା ଏକ ରାଜନୈତିକ ଦଳକୁ ମିଳିଥିବା କୋଟି କୋଟି ଟଙ୍କାର ଦାନ ଆୟକର ବିଭାଗର ହୋସ ଉଡାଇଦେଇଛି। ସମ୍ପ୍ରତି ସାରା ଦେଶରେ ଆୟକର ବିଭାଗ ଦ୍ୱାରା ଚଢ଼ାଉ ଜାରି ରହିଥିବାବେଳେ ଏହି ସମୟ ମଧ୍ୟରେ ମୁମ୍ବାଇର ଏକ ରାଜନୈତିକ ଦଳ ବାବଦରେ ଏଭଳି କିଛି ସତ ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ | ଏହି ରାଜନୈତିକ ଦଳର ନାମ ଜନତାୱାଡି କଂଗ୍ରେସ ପାର୍ଟି ହୋଇଥିବାବେଳେ ଦଳର ମୁଖ୍ୟାଳୟ ମୁମ୍ବାଇର ଚୁନାଭଟ୍ଟୀ ଅଞ୍ଚଳର ଏକ ବସ୍ତିରେ ରହିଛି । ସୂଚନା ସାମ୍ନାକୁ ଆସିଛି ଯେ ୨୦୧୫ରେ ଗଠିତ ଏହି ଦଳକୁ ଏପର୍ଯ୍ୟନ୍ତ ୯୦ କୋଟି ଟଙ୍କା ଦାନ ସୂତ୍ରରେ ମିଳିଛି | ଆୟକର ବିଭାଗ ସନ୍ଦେହ କରୁଛି ଯେ କଳା ଟଙ୍କାକୁ ଧଳା ଟଙ୍କାରେ ପରିବର୍ତ୍ତନ କରିବା ପାଇଁ ଏହି ରାଜନୈତିକ ଦଳକୁ ବ୍ୟବହାର କରାଯାଇଛି |

ବଡ଼କଥା ଯେ ଜନତାୱାଡି କଂଗ୍ରେସ ପାର୍ଟି ଏକ ପଞ୍ଜୀକୃତ ଦଳ ହୋଇଥିଲେ ବିଏହା ମହାରାଷ୍ଟ୍ର କିମ୍ବା ମୁମ୍ବାଇ ରାଜନୀତିରେ କୌଣସି ଭୂମିକା ନିର୍ବାହ କରିନାହିଁ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଜନତାୱାଡି କଂଗ୍ରେସ ପାର୍ଟିକୁ ୯୦ କୋଟି ଟଙ୍କା ଦାନ ଭାବରେ କିଏ ଦେଇଛନ୍ତି | ଦଳର ଜାତୀୟ ସଭାପତି ସନ୍ତୋଷ କାଟକେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ଆମ ଦଳ ୯୦ କୋଟି ଟଙ୍କା ଦାନ ଭାବେ ପାଇଛି। ଏହି ସମସ୍ତ ଟଙ୍କା ପାର୍ଟି କାମରେ ଖର୍ଚ୍ଚ ହୋଇଥିଲା | ଆମେ କିଛି ଭୁଲ କରିନାହୁଁ। ମୁଁ ଖର୍ଚ୍ଚର ସମସ୍ତ ବିବରଣୀ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛି। ତେବେ ଆୟକର ବିଭାଗ ଏହି ଦାବିକୁ ଅସ୍ୱୀକାର କରାଯାଇଛି ।

ଆୟକର ବିଭାଗର ଅଧିକାରୀମାନେ କହିଛନ୍ତି ଯେ ଜନତାୱାଡି କଂଗ୍ରେସ ପାର୍ଟି ଦ୍ୱାରା ଦର୍ଶାଯାଇଥିବା ସମସ୍ତ ଖର୍ଚ୍ଚ ବିବରଣୀ ନକଲି । ଜନତାୱାଡି କଂଗ୍ରେସ ପାର୍ଟି ୨୦୧୫ ରେ ପ୍ରତିଷ୍ଠିତ ହୋଇଥିଲା। ପଞ୍ଜୀକରଣ ସମୟରେ ଦଳର ମୁଖ୍ୟାଳୟ ଚୁନାଭଟ୍ଟୀରେ ଏକ ବସ୍ତିରେ ଥିବା ଉଲ୍ଲେଖ କରାଯାଇଥିଲା। ୨୦୧୮ରେ, ଏହି ଦଳ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲା। କିନ୍ତୁ କୌଣସି ଆସନ ଜିତିନଥିଲା।

ସମ୍ବନ୍ଧିତ ଖବର