ନିଜ ଫାଶରେ ପଡ଼ିଗଲେ ରାହୁଲ, କିପରି ଜାଣନ୍ତୁ

ନୂଆଦିଲ୍ଲୀ : ୨୦୧୯ର  ଏକ ମାନହାନୀ ମକଦ୍ଦମାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷର ଜେଲ ଦଣ୍ଡ ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ହୋଇଯାଇଛି । ତେବେ ଆଜି ଏହି ଘଟଣାକୁ ୧୦ ବର୍ଷ ତଳେ ଘଟିଥିବା ଏକ ଘଟଣାକୁ ଯୋଡ଼ାଯାଉଛି । କୁହାଯାଉଛି ସେହିବର୍ଷ ରାହୁଲ ଯେଉଁ କାମ କରିଥିଲେ, ତାହାର ପରିଣତି ଆଜି ଭୋଗୁଛନ୍ତି । ଅର୍ଥାତ ନିଜ ଫାଶରେ ନିଜେ ପଡ଼ିଯାଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

ଏବେ ୨୦୧୩ର ସେହି ଘଟଣା କଥା ଜାଣନ୍ତୁ । ଲୋକ ପ୍ରତିନିଧି ଆଇନର ଧାରା ୮(୪) ଅନୁସାରେ ଯଦି କୌଣସି ସାଂସଦ ବା ବିଧାୟକ କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତାଙ୍କ ସଦସ୍ୟ ପଦ ତୁରନ୍ତ ଯିବ ନାହିଁ । ଏହା ୩ ମାସ ପରେ ଲାଗୁ ହେବ । ସେହି ୩ ମାସରେ ସାଂସଦ ବା ବିଧାୟକ ଉପର କୋର୍ଟରେ ଅପିଲ କରିପାରିବେ ।

କିନ୍ତୁ ସେହିବର୍ଷ ‘ଲିଲି ଥମାସ ବନାମ ଭାରତ ସରକାର’ ମାମଲାରେ ସୁପ୍ରିମକୋର୍ଟ ଏହି ଧାରା ( ୮(୪))କୁ ଅସମ୍ବିଧାନିକ କହି ରଦ୍ଦ କରିଦେଇଥିଲେ । ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଅକାମୀ କରିବାକୁ ତତ୍କାଳୀନ ମନମୋହନ ସିଂ ସରକାର ଏକ ଅଧ୍ୟାଦେଶ ଆଣିଥିଲେ ।

କିନ୍ତୁ ରାହୁଲ ଗାନ୍ଧି ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟାଦେଶ ଲେଖାଥିବା କାଗଜକୁ ଚିରି ଦେଇଥିଲେ । ଏହା ପରେ ଭାରତ ସରକାର ଏହି ଅଧ୍ୟାଦେଶକୁ ପ୍ରତ୍ୟାହାର କରିନେଇଥିଲେ । ଯଦି ଉକ୍ତ ଅଧ୍ୟାଦେଶ ଲାଗୁ ହୋଇଥାନ୍ତା, ତେବେ ରାହୁଲ ଗାନ୍ଧିଙ୍କ ସଦସ୍ୟ ପଦ ଆଜି (ମାର୍ଚ୍ଚ ୨୪, ୨୦୨୩) ନୁହେଁ,  ୩ ମାସ ପରେ କାର୍ଯ୍ୟକାରୀ ହୋଇଥାନ୍ତା ।

ସେ ସମୟରେ ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟ ଯାହା ବି ହୋଇଥାଉ, ଆଜି କିନ୍ତୁ ସେଦିନର ନିଷ୍ପତ୍ତି ତାଙ୍କ ଲାଗି ବୁମେରାଂ ସାବ୍ୟସ୍ତ ହୋଇଛି।

 

 

ସମ୍ବନ୍ଧିତ ଖବର